ଭୁବନେଶ୍ବର: ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତାର ରୋମାଞ୍ଚକର ମୁକାବିଲାରେ ଶନିବାର ଭ୍ରମଣକାରୀ ଜର୍ମାନୀ ମହିଳା ଦଳ ଘରୋଇ ଭାରତକୁ ପେନାଲ୍ଟି ସୁଟଆଉଟ୍ ୨-୧ (୧-୧) ଗୋଲ୍ରେ ପରାସ୍ତ କରଛି। ତା’ ସହିତ ତୃତୀୟ ମ୍ୟାଚ୍ରୁ ପ୍ରଥମ ବିଜୟ ହାସଲ କରି ପଏଣ୍ଟ ଖାତା ଖୋଲିଛି। ତେବେ ନିର୍ଦ୍ଧାରିତ ସମୟରେ ମ୍ୟାଚ୍କୁ ଅମୀମାଂସିତ ରଖିବା ଆଧାରରେ ଭାରତ ୧ ପଏଣ୍ଟ୍ ଅର୍ଜନ କରିଛି। ଅନ୍ୟପକ୍ଷରେ ସୁଟଆଉଟ୍ରେ ମ୍ୟାଚ୍ ଜିତିଥିବାରୁ ପୂରା ୩ ପଏଣ୍ଟ୍ ପରିବର୍ତ୍ତେ ୨ ପଏଣ୍ଟ୍ ପାଇଛି ଜର୍ମାନୀ। ନିଜ ପ୍ରଥମ ତିନି ମ୍ୟାଚ୍କୁ ଜିତି ହ୍ୟାଟ୍ରିକ୍ ବିଜୟ ପାଇଥିବା ଭାରତୀୟ ମହିଳା ଦଳ ଏହି ପରାଜୟ ସହ କିନ୍ତୁ ୪ ମ୍ୟାଚ୍ରୁ ୧୦ ପଏଣ୍ଟ୍ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି।
ସୁଶୀଳାଙ୍କ ୨୦୦, ଉଦିତାଙ୍କ ୫୦
ଭାରତୀୟ ମହିଳା ହକି ଦଳର ଦୁଇ ନିୟମିତ ସଦସ୍ୟ ସୁଶୀଳା ଚାନୁ ପୁଖରମବାମ ଏବଂ ଉଦିତା ଦୁହାନ ନିଜ ନିଜ ଖେଳ ଜୀବନର ନୂଆ ମାଇଲଖୁଣ୍ଟ ଛୁଇଁଥିଲେ। ୩୦ ବର୍ଷୀୟ ସୁଶୀଳା ଶନିବାର ଜର୍ମାନୀ ବିପକ୍ଷରେ ନିଜ ୨୦୦ତମ ମ୍ୟାଚ୍ ଖେଳିଥିଲେ। ସେହିଭଳି ୨୪ ବର୍ଷୀୟ ଉଦିତା ୫୦ତମ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଥିଲେ। ଉଭୟଙ୍କୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜାନେକ ସ୍କପମ୍ୟାନ୍ ସ୍ବତନ୍ତ୍ର ଜର୍ସି ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉଭୟ ଖେଳାଳିଙ୍କୁ ହକି ଇଣ୍ଡିଆ ଏଥିଲାଗି ଅଭିନନ୍ଦନ ଜଣାଇଥିଲା। ସୁଶୀଳା ବିଶ୍ବ ହକିର ଅନ୍ୟତମ ପ୍ରତିଭାବାନ ମଧ୍ୟଭାଗ ଖେଳାଳି ହୋଇଥିଲା ବେଳେ ଉଦିତା ହେଉଛନ୍ତି ବିଶ୍ବ ହକିର ଅନ୍ୟତମ ଉଦୀୟମାନ ରକ୍ଷଣଭାଗ ଖେଳାଳି।
ଆଜି ପାଲଟା ମୁକାବିଲା
ପ୍ରଥମ ମ୍ୟାଚ୍ରେ ଜର୍ମାନୀ ବାଜି ମାରିନେଇଥିଲା ବେଳେ ରବିବାର ଦ୍ବିତୀୟ ମୁକାବିଲାରେ ପୁଣି ଥରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଅପରାହ୍ନ ୫ଟାରୁ ଆରମ୍ଭ ହେବ। କଳିଙ୍ଗ ଷ୍ଟାଡିୟମ୍ରେ ପ୍ରଥମ ଥର ଖେଳି ରୋମାଞ୍ଚକ ବିଜୟ ହାସଲ କରିଥିବା ଜର୍ମାନୀଠାରୁ ପ୍ରତିଶୋଧ ନେବାର ସୁଯୋଗ ଏହି ମ୍ୟାଚ୍ରେ ଭାରତ ପାଖରେ ରହିବ। ସୂଚନାଯୋଗ୍ୟ ଯେ ମହିଳାଙ୍କ ଭଳି କଳିଙ୍ଗ ଷ୍ଟାଡିୟମ୍ରେ ଭାରତ ଓ ଜର୍ମାନୀ ପୁରୁଷ ଦଳ ମଧ୍ୟ ଶନି ଓ ରବିବାର ଦୁଇ ଦିନ ଧରି ମୁହାଁମୁହିଁ ହେବାର ଥିଲା। ତେବେ ଜର୍ମାନୀ ଦଳର କିଛି ଖେଳାଳି କରୋନା ସଂକ୍ରମିତ ହେବା ପରେ ଏହି ମ୍ୟାଚ୍କୁ ସ୍ଥଗିତ କରି ଦିଆଯାଇଥିଲା। ରବିବାର ଭାରତୀୟ ମହିଳା ଦଳ ପାଲଟା ମୁକାବିଲାରେ ପୁଣିଥରେ ଏହିଠାରେ ହିଁ ଜର୍ମାନୀ ମହିଳା ଦଳକୁ ପୁନର୍ବାର ଭେଟିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/fih.jpg)