ଜିଏଫ୍‌ଜି ସୁପରସଟ୍‌ ଲିଗ୍‌:ରୢାଗିଂ ବୁଲ୍‌ସ ଆଇ ବିଜେତା

ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଗନ୍‌ ଫର୍‌ ଗ୍ଲୋରି ବନ୍ଧୁକଚାଳନା ଏକାଡେମିରେ ଆୟୋଜିତ ପ୍ରଥମ ଜିଏଫ୍‌ଜି ସୁପରସଟ୍‌ ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ଏପ୍ରିଲ ୨୭ରୁ ଆରମ୍ଭ ହୋଇ ଜୁନ୍‌ ୨ ତାରିଖ‌ରେ ଶେଷ ହୋଇଥିବା ଏହି ୪ ଦଳୀୟ ପ୍ରତିଯୋଗିତାରେ ରୢାଗିଂ ବୁଲ୍‌ସ ଆଇ ବିଜେତା ହୋଇଛି। ଫାଇନାଲ୍‌ରେ ଏହି ଦଳ ଗୋଲ୍‌ଡେନ୍‌ ୱାରିୟର୍ସ ଦଳକୁ ୨୩-୩ ପଏଣ୍ଟ୍‌ରେ ପରାସ୍ତ କରିଥିଲା। ଉଦ୍‌ଯାପନୀ ଉତ୍ସବର ମୁଖ୍ୟ ଅତିଥି ଓଡ଼ିଶା ରାଇଫଲ୍‌ ସଂଘର ସଂପାଦକ ହରିପ୍ରସାଦ ପଟ୍ଟନାୟକ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ବିଜେତା ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ବର୍ଣ୍ଣ ପଦକ ମଧ୍ୟ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କୁ ପଦକ ଓ ପ୍ରମାଣପତ୍ର ମଧ୍ୟ ମିଳିଥିଲା। ଅନ୍ୟମାନଙ୍କ ମଧ୍ୟରେ ଗୌରୀ ମହାନ୍ତି, ଆଶିଷ ନାୟକ ଓ ବଳଭଦ୍ର ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଭୁବନେଶ୍ବରରେ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଥିବାରୁ ବନ୍ଧୁକଚାଳକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ସାଙ୍ଗକୁ ଆତ୍ମବିଶ୍ବାସ ବଢ଼ିପାରିବ ବୋଲି ଏକାଡେମିର ପ୍ରଶିକ୍ଷକ ପୁରୁଷୋତ୍ତମ ପାଙ୍ଗା କହିଛନ୍ତି।

ସମ୍ବନ୍ଧିତ ଖବର