ଜୟପୁର: ଚଳିତ ଆଇପିଏଲ୍‌ର ବୁଧବାର ରାତିରେ ଖେଳାଯାଇଥିବା ୨୬ତମ ମ୍ୟାଚ୍‌ରେ ପଏଣ୍ଟ ତାଲିକାର ଶୀର୍ଷରେ ଥିବା ରାଜସ୍ଥାନ ରୟାଲ୍ସକୁ ୧୦ ରନ୍‌ରେ ପରାସ୍ତ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଚତୁର୍ଥ ବିଜୟ ହାସଲ କରିଛି। ମାଇଲ ମାୟର୍ସଙ୍କ ଅର୍ଦ୍ଧଶତକ ବଳରେ ୧୫୪/୭ କରିଥିବା ଲକ୍ଷ୍ନୌ ନବୀନ ଉଲ୍‌ ହକ୍‌ଙ୍କ କଞ୍ଜୁସ ବୋଲିଂ ସାଙ୍ଗକୁ ଆୱେସ ଖାନ୍‌ଙ୍କ ୩ ଓ ମାର୍କସ ଷ୍ଟୋଇନିସ୍‌ଙ୍କ ୨ ୱିକେଟ୍‌ ଦଖଲ ବଳରେ ରାଜସ୍ଥାନ ରୟାଲ୍ସ ପାଳିକୁ ୧୪୪/୬ରେ ଅଟକାଇ ଦେଇଥିଲା। ଶେଷ ଓଭରରେ ବିଜୟ ପାଇଁ ୧୯ ରନ୍‌ ଆବଶ୍ୟକ ଥିବା ବେଳେ ଆୱେସ୍‌ ୮ ରନ୍‌ ବିନିମୟରେ ୨ଟି ୱିକେଟ୍‌ ନେଇ ଲକ୍ଷ୍ନୌର ବିଜୟ ମୁଣ୍ଡି ମାରିଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଷ୍ଟୋଇନିସ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରୟାଲ୍ସ ପାଇଁ ଯଶସ୍ବୀ ଜୟସ୍ବାଲ ଏବଂ ଜୋସ୍‌ ବଟଲର୍‌ ପ୍ରଥମ ୱିକେଟ୍‌ରେ ୮୭ ରନ୍ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ ମଧ୍ୟ ଅବଶିଷ୍ଟ ବ୍ୟାଟର୍‌ଙ୍କ ବିଫଳତା ଯୋଗୁଁ ଦଳ ପରାଜିତ ହୋଇଥିଲା। ବିଶେଷକରି ଅଧିନାୟକ ସଞ୍ଜୁ ସାମ୍‌ସନ୍‌ଙ୍କ ରନ୍‌ ଆଉଟ୍‌ ଫଳାଫଳ ଉପରେ ଫରକ ପାଇଥିଲା। ଷଷ୍ଠ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ସତ୍ତ୍ବେ ୮ ପଏଣ୍ଟ ସହ ରାଜସ୍ଥାନ ଶୀର୍ଷରେ ଅପରିବର୍ତିତ ରହିଥିଲା ବେଳେ ଚତୁର୍ଥ ବିଜୟ ସହ ସମାନ ପଏଣ୍ଟ ପାଇ ସୁପର ଜାଏଣ୍ଟସ୍‌ ଦ୍ବିତୀୟ ସ୍ଥାନରେ ସ୍ଥିର ରହିଛି।

Advertisment

ଜୟପୁରର ସବାଇ ମାନସିଂହ ଷ୍ଟାଡିୟମ୍‌ରେ ବୁଧବାର ଟସ୍‌ ଜିତି ଘରୋଇ ରାଜସ୍ଥାନ ଦଳ ପ୍ରଥମେ ବ୍ୟାଟିଂ ପାଇଁ ସୁପର ଜାଏଣ୍ଟସ୍‌କୁ ଆମନ୍ତ୍ରଣ କରିଥିଲା। ଟ୍ରେଣ୍ଟ୍‌ ବୋଲ୍‌ଟ ମେଡେନ୍‌ ଓଭରରୁ ମ୍ୟାଚ୍‌ ଆରମ୍ଭ କରିଥିଲେ। ସେ ଘାତକ ବୋଲିଂ କରି ମାତ୍ର ୧୬ ରନ୍‌ ବ୍ୟୟ କରି ଗୋଟିଏ ୱିକେଟ୍‌ ପାଇଥିଲେ। ବୋଲ୍‌ଟ ପ୍ରତିପକ୍ଷର ରନ୍‌ ଗତିକୁ ରୋକିଥିଲା ବେଳେ ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ଚମତ୍କାର ବୋଲିଂ କରି ଗୋଟିଏ ଓଭରରେ ୨ଟି ୱିକେଟ୍‌ ଦଖଲ କରି ରାଜସ୍ଥାନକୁ ସୁଯୋଗ ଦେଇଥିଲେ। ରୟାଲ୍‌ସ ବୋଲରଙ୍କ ମଧ୍ୟରୁ ୟୁଝବେନ୍ଦ୍ର ଚହଲଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଶୃଙ୍ଖଳିତ ବୋଲିଂ କରିଥିଲେ। ଫ‌ଳରେ ଲକ୍ଷ୍ନୌ ଦଳ ୭ ୱିକେଟ୍‌ ବିନିମୟରେ ୧୫୪ ରନ୍‌ କରିପାରିଥିଲା। ଅଧିନାୟକ କେଏଲ୍‌ ରାହୁଲ ଓ କାଇଲ ମେୟର୍ସଙ୍କ ମଧ୍ୟରେ ୮୨ ରନ୍‌ର ପ୍ରଥମ ୱିକେଟ୍‌ ଭାଗୀଦାରି ହିଁ ସୁପର ଜାଏଣ୍ଟସ୍‌କୁ ୧୫୦ ଅତିକ୍ରମ କରିବାରେ ସହାୟକ ହୋଇଥିଲା। ତେବେ ରାହୁଲ ୬ ରନ୍‌ କରିଥିଲା ବେଳେ ଯଶସ୍ବୀ ଜୟସ୍ବାଲ୍‌ କ୍ୟାଚ୍‌ ଛାଡ଼ିବା, ୭ ରନ୍ କରିଥିଲା ବେଳେ ରନ୍‌ଆଉଟ୍‌ରୁ ବର୍ତିବା ଏବଂ ୧୨ ରନ୍‌ କରିଥିଲା ବେଳେ ହୋଲ୍ଡର ହାତରୁ କ୍ୟାଚ୍‌ ଖସିବା ସତ୍ତ୍ବେ ଏହାର ଫାଇଦା ଉଠାଇ ପାରିନଥିଲେ। ସେହିପରି ମାର୍କସ‌ ଷ୍ଟୋଇନିସ୍‌ ଓ ନିକୋଲାସ ପୂରନ୍‌ ଡେଥ୍‌ ଓଭରଗୁଡ଼ିକରେ ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ଯାଇ ଆଉଟ୍‌ ହୋଇଥିଲେ।