ଚର୍ଚାରେ ଗିବ୍ସଙ୍କୁ ଆଲିଆଙ୍କ ‘ଚୌକା’ ଉତ୍ତର

ନୂଆଦିଲ୍ଲୀ: ଦୀର୍ଘ ୧୪ ବର୍ଷ ଧରି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ପ୍ରତିନିଧିତ୍ବ କରିଥି ବା ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ହରଶ୍ଚେଲ ଗିବ୍ସ ଏବଂ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମଧ୍ୟରେ ଟ୍ବିଟରରେ ହୋଇଥିବା ବାକ୍ୟ ବିନିମୟ ସାମାଜିକ ଗଣମାଧ୍ୟମରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଆଲିଆଙ୍କୁ ଆଦୌ ଚିହ୍ନି ନଥିବା ଗିବ୍ସ ଏହି ବଲିଉଡ୍ ଅଭିନେତ୍ରୀଙ୍କ ଏକ ସୁନ୍ଦର ଫଟୋ ସେୟାର କରି ଥଟ୍ଟା ପରିହାସର ପାତ୍ର ହୋଇଛନ୍ତି।

ଗତ ୨୬ ତାରିଖ ସକାଳୁ ଉଠି ଗିବ୍ସ ‘ସକାଳ ସମୟର ମତାଣିଆ ପକ୍ଷୀ ରାବ ମନକୁ ବେଶ୍ ଛୁଇଁଛି, ଏଣୁ ମୁଁ ଟ୍ବିଟ୍ କରି ସମସ୍ତଙ୍କୁ ଶୁଭ ସକାଳ କହୁଛି’ ବୋଲି ଟ୍ବିଟ୍ କରିଥିଲେ। ତାଙ୍କର ଏହି ଟ୍ବିଟ୍‌କୁ ଖୋଦ୍ ‘ଟ୍ବିଟର’ କଂପାନି ପସନ୍ଦ କରିଥିଲା। ଉଲ୍ଲସିତ ଗିବ୍ସ ଆଲିଆଙ୍କ ଏକ ମୋସନ୍ ଫଟୋ ବା ଗିଫ୍‌ (ଜିଆଇଏଫ୍, ଗ୍ରାଫିକ୍ ଇଣ୍ଟରଚେଞ୍ଜ୍ ଫର୍ମାଟ୍) ପ୍ରକାଶ କରି ଟ୍ବିଟର ଯେତେବେଳେ ଆପଣଙ୍କ ଟ୍ବିଟ୍‌କୁ ପସନ୍ଦ କରେ, ଠିକ୍ ଏମିତି ଭାବନା ଆସେ ବୋଲି ରି ଟ୍ବିଟ୍ କରିଥିଲେ। ଯାହା ଆଲିଆଙ୍କ ପ୍ରଶଂସକଙ୍କ ମନ ଜିତି ନେଇଥିଲା। ହେଲେ ଜଣେ ପ୍ରଶଂସକ ଆପଣ ଆଲିଆଙ୍କୁ ଚିହ୍ନିଛନ୍ତି କି? ବୋଲି ପ୍ରଶ୍ନ କରିବାରୁ, ଏହି ଭଦ୍ର ମହିଳାଙ୍କୁ ମୁଁ ଚିହ୍ନିନାହିଁ ବୋଲି ଗିବ୍ସ ଉତ୍ତର ରଖିଥିଲେ। ପରେ କିନ୍ତୁ ଆଲିଆଙ୍କୁ ଚିହ୍ନି ପୁଣି ଥରେ ତାଙ୍କ ଫଟୋ ଟ୍ବିଟ୍ କରିଥିଲେ, ହେଲେ ଏକ ଅଲଗା ଶିରୋନାମା ସହ। ଏଥର ସେ ଲେଖିଥିଲେ ଯେ ତୁମେ ଜଣେ ଅଭିନେତ୍ରୀ ବୋଲି ଜାଣି ନଥିଲି, ଫଟୋଟି କିନ୍ତୁ ବହୁତ ସୁନ୍ଦର ଥିଲା। ଏଥର ଆଲିଆ ନିଜର ଆଉ ଏକ ମୋସନ୍ ଫଟୋ ବା ଗିଫ୍ ପ୍ରକାଶ କରି ତାଙ୍କୁ ଉତ୍ତର ଦେଇଥିଲେ। ଏଥିରେ ଅମ୍ପାୟାର ହାତ ହଲାଇ ଚୌକା ସଙ୍କେତ ଦେବା ଭଳି ସେ ହାତ ହଲାଉଥିବା ଦେଖିବାକୁ ମିଳିଥିଲା। ଗିବ୍ସ ମଧ୍ୟ ତୁରନ୍ତ ଏହାର ଉତ୍ତର ଦେଇ ମୁଁ ଚୌକା ନୁହେଁ, ଛକାରେ ଖେଳେ ବୋଲି ଲେଖିଥିଲେ। ଯାହାକୁ ଉଭୟ ତାରକାଙ୍କ ହଜାର ହଜାର ପ୍ରଶଂସକ ଲାଇକ୍‌ରେ ପୋତି ଦେଇଥିଲେ।

ସମ୍ବନ୍ଧିତ ଖବର