କାନପୁର: ଯୁବ ପ୍ରାରମ୍ଭିକ ବ୍ୟାଟର୍ ଶୁବମନ ଗିଲ୍ଙ୍କ ଅର୍ଦ୍ଧଶତକ ପରେ ଶ୍ରେୟସ ଆୟର ଏବଂ ରବୀନ୍ଦ୍ର ଜାଦେଜାଙ୍କ ଶତକୀୟ ଭାଗୀଦାରି ବଳରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଭାରତ ପ୍ରଥମ ଦିନ ସୁଦ୍ଧା ଭଲ ସ୍ଥିତିରେ ରହିଛି। ପଦାର୍ପଣ କରିଥିବା ଶ୍ରେୟସ ଆୟରଙ୍କ ସହ ଅଭିଜ୍ଞ ଜାଦେଜା ଅତୁଟ ପଞ୍ଚମ ୱିକେଟ୍ ପାଇଁ ୧୧୩ ରନ୍ ଯୋଡ଼ି ଭାରତକୁ ଅଡୁଆ ପରିସ୍ଥିତିରୁ ବାହାର କରିଛନ୍ତି। ଆଲୋକ ଅଭାବ ଯୋଗୁଁ ଗୁରୁବାର ଖେଳ ୬ ଓଭର ପୂର୍ବରୁ ବନ୍ଦ ବେଳକୁ ଅଜିଙ୍କ୍ୟ ରାହାଣେଙ୍କ ଦଳ ୪ ୱିକେଟ୍ ହରାଇ ୨୫୮ ରନ୍ ସଂଗ୍ରହ କରିଛି। ନ୍ୟୁଜିଲାଣ୍ଡ୍ ପକ୍ଷରୁ ସଫଳ ବୋଲର ଭାବେ କାଏଲ୍ ଜାମିସନ୍ ସର୍ବାଧିକ ୩ ୱିକେଟ୍ ନେଇଛନ୍ତି।
କାନପୁରର ଗ୍ରିନ୍ ପାର୍କରେ ଭାରତ ଗୁରୁବାର ସକାଳେ ଟସ୍ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ତୃତୀୟ ଓଭରରେ ଶୁବମନ ଗିଲ୍ଙ୍କୁ ଅମ୍ପାୟାର୍ ଆଉଟ୍ ଘୋଷଣା କରିଥିଲେ ମଧ୍ୟ ସେ ତୁରନ୍ତ ଏହାକୁ ରିଭ୍ୟୁ କରି ବର୍ତ୍ତିଯାଇଥିଲେ। ମୟଙ୍କ ଅଗ୍ରୱାଲ୍ ଭଲ ଆରମ୍ଭ କରିଥିଲେ ମଧ୍ୟ ପୁଣି ଥରେ ବିଫଳ ହୋଇ ମାତ୍ର ୧୩ ରନ୍ କରି ଜାମିସନଙ୍କ ପ୍ରଥମ ଶିକାର ହୋଇଥିଲେ। ଏହା ପରେ ଆକର୍ଷଣୀୟ ବ୍ୟାଟିଂ କରି ଗିଲ୍ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ହିଁ ନିଜ ଅର୍ଦ୍ଧଶତକ ପୂରଣ କରିନେଇଥିଲେ। ଗିଲଙ୍କ ୮୩ ବଲ୍ ୫୨ ରନ୍ ପାଳିରେ ୫ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ସ୍ପିନର୍ ଏଜାଜ ପଟେଲଙ୍କୁ ସେ ନିର୍ଧୁମ ପ୍ରହାର କରିଥିଲେ। ମଧ୍ୟାହ୍ନ ଭୋଜନ ବିରତି ପରବର୍ତୀ ପ୍ରଥମ ଓଭରରେ କିନ୍ତୁ ଜାମିସନଙ୍କ ଦ୍ବାରା ସେ ପ୍ଲେଡ୍ ଅନ୍ ବୋଲ୍ଡ ହୋଇଯାଇଥିଲେ। ପୂଜାରାଙ୍କ ସତର୍କ ଓ ରକ୍ଷଣାତ୍ମକ ବ୍ୟାଟିଂ ବିଶେଷ ଲମ୍ବି ପାରିନଥିଲା। ୮୮ ବଲ୍ ଖେଳି ସେ ମାତ୍ର ୨୬ ରନ୍ କରି ଟିମ୍ ସାଉଦିଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ରାହାଣେ ଏବଂ ଆୟର ଜମି ଆସୁଥିବା ବେଳେ ଜାମିସନ ମଧ୍ୟ ଏହି ଭାଗୀଦାରି ଭାଙ୍ଗି ଦେଇଥିଲେ। ଅଧିନାୟକ ରାହାଣେ ୬୩ ବଲ୍ରୁ ୩୫ ରନ୍ କରିଥିଲେ। ଭୋଜନ ବିରତି ପରେ ଭାରତ ୩ ୱିକେଟ୍ ହରାଇ ୧୪୫/୪ରେ ସଂଘର୍ଷ କରିଥିଲା। କିନ୍ତୁ ପ୍ରଥମ ଟେଷ୍ଟ୍ ଖେଳୁଥିବା ଶ୍ରେୟସ ଆୟର (୭୫*, ୧୩୬ ବଲ୍, ୭ ଚୌକା, ୨ ଛକା) ଏବଂ ଅଭିଜ୍ଞ ବାମହାତୀ ବ୍ୟାଟର୍ ରବୀନ୍ଦ୍ର ଜାଦେଜା (୫୦*, ୧୦୦ ବଲ୍, ୬ ଚୌକା) ପୁରୁଣା ବଲ୍ରେ ଆଉ ନ୍ୟୁଜିଲାଣ୍ଡ୍କୁ କୌଣସି ସୁଯୋଗ ଦେଇନଥିଲେ। ଟିମ୍ ସାଉଦି ଆହତ ହୋଇ ବୋଲିଂ ଅଧାରୁ ଓହରିବା ମଧ୍ୟ ଭାରତକୁ ସୁହାଇଥିଲା। ପରବର୍ତୀ ୩୪.୪ ଓଭରରେ ଏହି ଯୋଡ଼ି ୧୧୩* ରନ୍ ଭାଗୀଦାରି କରି ଭାରତକୁ ପ୍ରତ୍ୟାବର୍ତନ କରାଇଛନ୍ତି।
୩-୩ ସ୍ପିନ୍ ଆକ୍ରମଣ
ଗ୍ରିନ୍ ପାର୍କ ପିଚ୍ରୁ ଫାଇଦା ଉଠାଇବା ଲକ୍ଷ୍ୟରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ୍ ଦଳ ୩ ଜଣିଆ ସ୍ପିନ୍ ଆକ୍ରମଣରେ ପଡିଆକୁ ଓହ୍ଲାଇଛନ୍ତି। ଭାରତ ପାଇଁ ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ୍ ଏବଂ ବାମହାତୀ ସ୍ପିନ୍ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଦେଜାଙ୍କୁ ଖେଳାଇଛି। ନ୍ୟୁଜିଲାଣ୍ଡ୍ ମଧ୍ୟ ଏଜାଜ ପଟେଲ୍, ୱିଲିୟମ୍ ସୋମରଭିଲ୍ଙ୍କ ସହ ସ୍ପିନ୍ ଅଲରାଉଣ୍ଡର୍ ରାଚିନ୍ ରବୀନ୍ଦ୍ରଙ୍କୁ ଖେଳାଇଛି। ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ୍ଙ୍କ ନାମକୁ ମିଶାଇ ନାମିତ ହୋଇଥିବା ରାଚିନ ରବୀନ୍ଦ୍ର ଭାରତରେ ଭାରତ ବିପକ୍ଷରେ ପଦାର୍ପଣ କରିବାର ସୁଯୋଗ ପାଇ ଖୁସି ହୋଇଛନ୍ତି। ଏହି ୩ କିୱି ସ୍ପିନର୍ କିନ୍ତୁ ପ୍ରଥମ ଦିନ ମିଳିତ ଭାବେ ୫୨ ଓଭର ବୋଲିଂ କରି ୧୬୬ ରନ୍ ବ୍ୟୟ କରି ଗୋଟିଏ ବି ୱିକେଟ୍ ପାଇନାହାନ୍ତି।
ଗାଭାସ୍କରଙ୍କଠୁ ଟେଷ୍ଟ୍ ଟୋପି ନେଲେ ଆୟର୍
କାନପୁରର ଗ୍ରିନ୍ ପାର୍କରେ ଗୁରୁବାର ଟେଷ୍ଟ୍ ପଦାର୍ପଣ କରିବାର ସୁଯୋଗ ପାଇଛନ୍ତି ୨୬ ବର୍ଷୀୟ ମୁମ୍ବାଇ ବ୍ୟାଟ୍ର ଶ୍ରେୟସ ଆୟର୍। ପ୍ରାରମ୍ଭିକ ବ୍ୟାଟର୍ କେଏଲ୍ ରାହୁଲ୍ ଆହତ ହୋଇ ଶୃଙ୍ଖଳାରୁ ବାଦ୍ ପଡ଼ିବା ପରେ ଆୟରଙ୍କ ପାଇଁ ବାଟ ଫିଟିଥିଲା। ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କରଙ୍କଠାରୁ ଟେଷ୍ଟ୍ ପଦାର୍ପଣ ଟୋପି ଗ୍ରହଣ କରିଥିବାରୁ ଆୟର ମଧ୍ୟ ଏହାକୁ ଜୀବନସାରା ଭୁଲିପାରିବେ ନାହିଁ ବୋଲି ଟ୍ବିଟ୍ କରିଛନ୍ତି। ଦେଶର ୩୦୨ତମ ଟେଷ୍ଟ୍ ଖେଳାଳି ହୋଇଛନ୍ତି ଆୟର୍। ସୀମିତ ଓଭରରେ ନିୟମିତ ସଦସ୍ୟ ପାଲଟିଥିବା ଆୟର୍ ପୂର୍ବରୁ ୨୨ ଦିନିକିଆ ଏବଂ ୩୨ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିସାରିଛନ୍ତି।
ପାକିସ୍ତାନ ମୁର୍ଦାବାଦ୍
ଦୀର୍ଘ ଦିନ ପରେ ଭାରତକୁ ଅନ୍ତର୍ଜାତୀୟ କ୍ରିକେଟ୍ ଫେରିଛି। ଭାରତ-ନ୍ୟୁଜିଲାଣ୍ଡ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଏହା ଆରମ୍ଭ ହୋଇଛି। ସବୁଠାରୁ ବଡ଼ କଥା ହେଲା ପ୍ରଶଂସକମାନଙ୍କୁ ମଧ୍ୟ ଟେଷ୍ଟ୍ ଶୃଙ୍ଖଳାରୁ ଅନୁମତି ମିଳିଛି। ପ୍ରଶଂସକମାନେ କିନ୍ତୁ ଗୁରୁବାର ଗ୍ରିନ୍ ପାର୍କରେ ସମସ୍ତଙ୍କ ଆକର୍ଷଣରେ ରହିଥିଲେ। ଅଧିକାଂଶ ପ୍ରଶଂସକ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରୁଥିଲେ। ଆଉ କିଛି ପ୍ରଶଂସକ କିନ୍ତୁ ପାକିସ୍ତାନ ମୁର୍ଦାବାଦ ସ୍ଲୋଗାନ ଦେଉଥିଲେ। ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନ ମଧ୍ୟରେ କୁଟନୈତିକ ସମ୍ପର୍କ ଭଲ ନ ଥିବାରୁ ୨୦୧୨ ମସିହାରୁ ଉଭୟ ଦଳ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳୁନାହାନ୍ତି। ଆଇସିସି ପ୍ରତିଯୋଗିତାରେ କିନ୍ତୁ ମୁହାଁମୁହିଁ ହେଉଛନ୍ତି।