ମୁମ୍ବାଇ: ରବିଚନ୍ଦ୍ରନ ଅଶ୍ବିନ, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅବସର ପରେ ଏବେ ଭାରତୀୟ ଟେଷ୍ଟ୍ ଦଳ ଏକ ଯୁବବାହିନୀରେ ପରିଣତ ହୋଇଛି। ଏହାର ନେତୃତ୍ବ ବି ମିଳିଛି ଯୁବ ବ୍ୟାଟର୍ ଶୁବମନ ଗିଲଙ୍କୁ। ଏହି ପରିସ୍ଥିତିକୁ କିନ୍ତୁ ସକରାତ୍ମକ ନଜରରେ ଦେଖିଛନ୍ତି। ଗିଲ୍ କହିଛନ୍ତି ‘ସେମାନଙ୍କ ସ୍ଥାନକୁ ପୂରଣ କରିବା କଷ୍ଟକର କାମ। କିନ୍ତୁ ସମାନ ସମୟରେ ଏହା ଯୁବ ଖେଳାଳିମାନଙ୍କ ପାଇଁ ସୁଯୋଗ ଆଣିଛି’। ମେ’ ୭ ତାରିଖରେ ରୋହିତ ଶର୍ମାଙ୍କ ଅବସର ଘୋଷଣାର ୫ ଦିନ ପରେ (ମେ’ ୧୨) ବିରାଟ କୋହଲି ବି ଏହି ଫର୍ମାଟକୁ ଛାଡ଼ି ଦେଇଥିଲେ। ଇଂଲଣ୍ଡ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା ପୂର୍ବରୁ ଉଭୟଙ୍କ ଏହି ନିଷ୍ପତ୍ତି ଆସିଯାଇଥିଲା। ଇଂଲଣ୍ଡ ଗସ୍ତ ପୂର୍ବରୁ ଗିଲ୍ କହିଛନ୍ତି ‘ପ୍ରତିଟି ଗସ୍ତରେ ଭାରତକୁ ଜିତିବା ନେଇ ଚାପ ରହିଥାଏ।
ଦୁଇ ଅଭିଜ୍ଞ ବ୍ୟାଟର୍ ରୋହିତ ଶର୍ମା ଓ ବିରାଟ କୋହଲି ଦଳରେ ନଥିବା ଦୁର୍ଭାଗ୍ୟଜନକ କଥା। ସେମାନେ ଏତେ ମ୍ୟାଚ୍ ଜିତିଛନ୍ତି ଯେ, ସେମାନଙ୍କ ସ୍ଥାନ ପୂରଣ କରିବା କଷ୍ଟକର ହେବ। ତଥାପି ଆମେ ବ୍ୟାଟିଂ ଓ ବୋଲିଂ ବିଭାଗରେ ଏକ ଭଲ ସନ୍ତୁଳନ ଦଳ ନେଇ ଯାଉଛୁ। ଏଥିରେ ଅଭିଜ୍ଞତା ଓ ପ୍ରତିଭାର ଭଲ ମିଶ୍ରଣ ବି ହୋଇଛି। ଏଭଳି ପରିସ୍ଥିତିକୁ ନେଇ ମୁଁ ଉଲ୍ଲସିତ ଅଛି, ମୋ ପାଇଁ ମଧ୍ୟ ଏହା ବଡ଼ ସୁଯୋଗ ଆଣି ଦେଇଛି। ବଡ଼ ଆହ୍ବାନକୁ ପାଇଁ ବି ମୁଁ ପ୍ରସ୍ତୁତ’। ସୂଚନାଯୋଗ୍ୟ, ୨୫ ବର୍ଷୀୟ ଗିଲଙ୍କ ଟେଷ୍ଟ୍ ନେତୃତ୍ବ ଅଭିଯାନ ଜୁନ୍ ୨୦ ତାରିଖରୁ ଆରମ୍ଭ ହେବ। ହେଡିଙ୍ଗଲେରେ ଇଂଲଣ୍ଡ୍ ବିପକ୍ଷ ୫ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍ ଏହି ଦିନଠାରୁ ଆରମ୍ଭ ହେବ।