ଗିଲ୍‌ ଭାଙ୍ଗିଲେ ଗମ୍ଭୀରଙ୍କ ଦ୍ବିଶତକ କୀର୍ତ୍ତିମାନ

ଭାରତ-ଇଣ୍ଡିଜ୍ ତୃତୀୟ ‘ଏ’ ଟେଷ୍ଟ୍‌ ଅମୀମାଂସିତ ମୁହାଁ

ତ୍ରିନିଦାଦ: ସଂପ୍ରତି ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଥିବା ଭାରତ-ଏ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୪-୧ରେ ଜିତିବା ପରେ ଏବେ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିବା ସୁଯୋଗ ପାଇଛି। ପ୍ରଥମ ଦୁଇ ଟେଷ୍ଟ୍‌ ଜିତି ଆଗୁଆ ଶୃଙ୍ଖଳା କବ୍‌ଜା କରିସାରିଥିବା ଅତିଥି ଭାରତୀୟ ଦଳ ତୃତୀୟ ତଥା ଶେଷ ଟେଷ୍ଟ୍‌ରେ ଶୁଭମନ୍‌ ଗିଲ୍‌ (୨୦୪)ଙ୍କ ଅପରାଜିତ ଦ୍ବିଶତକ ଏବଂ ଅଧିନାୟକ ହନୁମା ବିହାରୀ (୧୧୮)ଙ୍କ ଅପରାଜିତ ଶତକ ସହାୟତାରେ ଦ୍ବିତୀୟ ପାଳିରେ ବଡ଼ ସ୍କୋର୍‌ କରି ଘରୋଇ ଇଣ୍ଡିଜ୍‌ ଦଳ ଉପରେ ଚାପ ପକାଇଛି। ୫୦ ରନ୍‌ରେ ୪ ୱିକେଟ୍‌ ହରାଇ ସଂକଟରେ ପଡ଼ିଥିବା ଭାରତକୁ ଗିଲ୍‌ ଓ ବିହାରୀ ଉଦ୍ଧାର କରିଥିଲେ। ଦୁହେଁ ଅସମାପ୍ତ ପଞ୍ଚମ ୱିକେଟ୍‌ରେ ୩୧୫ ରନ୍‌ ଯୋଡ଼ି ଦଳକୁ ଦୃଢ଼ ସ୍ଥିତି ଦେଇଥିଲେ। ଫଳରେ ଭାରତ ୩୬୫/୪ରେ ଦ୍ବିତୀୟ ପାଳି ଘୋଷଣା କରିବା ସହିତ ଇଣ୍ଡିଜ୍‌ ସମ୍ମୁଖରେ ୩୭୩ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଛି। ଏହାର ଜବାବରେ ଘରୋଇ ଦଳ ଚତୁର୍ଥ ଦିବସ ଚାପାନ ସୁଦ୍ଧା ୩ ୱିକେଟ୍‌ ହରାଇ ୨୪୨ ରନ୍‌ କରିଛି। ହାତରେ ୭ ୱିକେଟ୍‌ ଥାଇ ଚତୁର୍ଥ ତଥା ଶେଷ ଦିନ ଶେଷ ଅଧିବେସନରେ ଘରୋଇ ଦଳକୁ ଆଉ ୧୩୧ ରନ୍‌ ଆବଶ୍ୟକତା ରହିଛି। ମ୍ୟାଚ୍‌ ଏବେ ଅମୀମାଂସିତ ରହିବା ସମ୍ଭାବନା ବଢ଼ିଯାଇଛି।

ପ୍ରଥମ ପାଳି‌ରେ ଖାତା ଖୋଲିପାରିନଥିବା ଶୁଭମନ୍‌ ଗିଲ୍‌ ଦ୍ବିତୀୟ ପାଳିରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ସେ ୨୪୮ ବଲ୍‌ ଖେଳି ୧୯ ଚୌକା ଓ ୨ ଛକା ସହାୟତାରେ ୨୦୪ ରନ୍‌ କରି ଅପରାଜିତ ରହିଥିଲେ। ତାଙ୍କର ଏହି ପାଳି ମଧ୍ୟ‌ରେ ଗିଲ୍‌ ଏକାଧିକ ଭାରତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଦ୍ବିଶତକ ହାସଲ କରିବା‌ରେ ଗିଲ୍‌ ସର୍ବକନିଷ୍ଠ ଭାରତୀୟ କ୍ରିକେଟର୍‌ ବିବେଚିତ ହେଲେ। ଆଉ ଏକ୍ଷେତ୍ରରେ ଗିଲ୍‌ ଭାରତୀୟ ଦଳର ପୂର୍ବତନ ବାମହାତୀ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଗୌତମ ଗମ୍ଭୀରଙ୍କ କୀର୍ତ୍ତିମାନକୁ ଭାଙ୍ଗି ‌ଦେଇଛନ୍ତି। ଗମ୍ଭୀର ୨୦୦୨ରେ ଜିମ୍ବାୱେ ବିପକ୍ଷ ଏକ ଟୁର୍‌ ମ୍ୟାଚ୍‌ରେ ଭାରତ ବୋର୍ଡ ସଭାପତି ଏକାଦଶ ପକ୍ଷରୁ ଖେଳି ଦ୍ବିଶତକ ଜମାଇଥିଲେ। ସେତେବେଳେ ଗମ୍ଭୀରଙ୍କ ବୟସ ୨୦ ବର୍ଷ ୧୨୪ ଦିନ ଥିଲା। କିନ୍ତୁ ଶୁଭମନ୍‌ ଗିଲ୍‌ ଗୁରୁବାର ଦ୍ବିଶତକୀୟ ପାଳି ଖେଳିଲା ବେଳେ ତାଙ୍କୁ ୧୯ ବର୍ଷ ୩୩୪ ଦିନ ବୟସ ହୋଇଛି। କେବଳ ସେତିକି ନୁହେଁ ଗିଲ୍‌ ମଧ୍ୟ ଦେଶ ବାହାରେ ପ୍ରଥମ ଶ୍ରେଣୀ ଦ୍ବିଶତକ ହାସଲ କରିବାରେ ଭାରତର ସର୍ବକନିଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ସେ ଏକ୍ଷେତ୍ରରେ ଆବାସ ଅଲ୍ଲୀ ବେଗ୍‌ଙ୍କ ୬୦ ବର୍ଷ ତଳର କୀର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି। ୧୯୫୯ ମସିହାରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ଖେଳି ଫ୍ରି ଫୋରେଷ୍ଟର୍ସ ଦଳ ବିପକ୍ଷରେ ବେଗ୍‌ ୨୨୧ ରନ୍‌ କରିଥିଲେ। ବେଗ୍‌ ବିଦେଶରେ ଏହି ଦ୍ବିଶତକୀୟ ପାଳିର ସଫଳତା ୨୦ ବର୍ଷ ୭୯ ଦିନ ବୟସରେ ପାଇଥିଲେ।
ପୁଣି କାରବୀୟ ରାଷ୍ଟ୍ରରେ ପ୍ରଥମ ଶ୍ରେଣୀ ଦ୍ବିଶତକ ଜମାଇବାରେ ଗିଲ୍‌ ତୃତୀୟ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ଜିଓଫ୍ରି ଗ୍ରିନିଜ୍‌ (୧୮ ବର୍ଷ ୩୦୧ ଦିନ) ୧୯୬୬ ମସିହାରେ ବାର୍ବାଡସ୍‌ ପାଇଁ ଜାମାଇକା ବିପକ୍ଷରେ ଏବଂ ଫ୍ରାଙ୍କ୍‌ ୱରେଲ୍‌ (୧୯ ବର୍ଷ ୧୯୭ ଦିନ) ୧୯୪୪ରେ ବାର୍ବାଡସ୍‌ ପାଇଁ ତ୍ରିନିଦାଦ୍‌ ବିପକ୍ଷରେ ଦ୍ବିଶତକ ହାସଲ କରିଥିଲେ।

ଗିଲ୍‌ଙ୍କ ସହିତ ମୋଟ ୫ ଜଣ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ୨୦ ବର୍ଷ ବୟସ ପୂର୍ବରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଦ୍ବିଶତକ ହାସଲ କରିବାର ସଫଳତା ସାଉଁଟିଛନ୍ତି। ଗିଲ୍‌ଙ୍କ ବ୍ୟତୀତ ଅନ୍ୟ ୪ ହେଲେ ବିନୋଦ କାମ୍ବଲି, ଅଭିନବ ମୁକୁନ୍ଦ, ବାବା ଅପରାଜିତ ଏବଂ ଅନ୍‌ମୋଲପ୍ରୀତ୍‌ ସିଂହ। ମୋଟାମୋଟି ସର୍ବକନିଷ୍ଠ ଭାବେ ପ୍ରଥମ ଶ୍ରେଣୀ ଦ୍ବିଶତକ ହାସଲ କରିବାରେ ଗିଲ୍‌ ହେଉଛନ୍ତି ଚତୁର୍ଦଶ ବ୍ୟାଟ୍‌ସମ୍ୟାନ୍‌। ଗିଲ୍‌ କୌଣସି ଅଣସ୍ବୀକୃତ ଟେଷ୍ଟ୍‌ ମ୍ୟାଚ୍‌ରେ କମ୍‌ ବୟସରେ ଦ୍ବିଶତକ ଜମାଇବାରେ ଦ୍ବିତୀୟ ସର୍ବକନିଷ୍ଠ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି। ତାଙ୍କ ପୂର୍ବରୁ ସନତ ଜୟସୂରିଆ ଶ୍ରୀଲଙ୍କା-ବି’ ଦଳ ପକ୍ଷରୁ ୧୯୮୯ରେ ପାକିସ୍ତାନ ବିପକ୍ଷ ଟେଷ୍ଟ୍‌ରେ ଦ୍ବିଶତକ ହାସଲ କରିଥିଲେ। ସେତେବେଳେ ତାଙ୍କ ବୟସ ଥିଲା ୧୮ ବର୍ଷ।

ସମ୍ବନ୍ଧିତ ଖବର