ବର୍ମିଂହାମ : ବର୍ମିଂହାମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟର ୨ୟ ଦିନଟି ବି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନାମରେ ଥିଲା । ବିଶେଷକରି ଅଧିନାୟକ ଶୁଭମନ ଗିଲଙ୍କ ଲଢୁଆ ଦ୍ବିଶତକ ବଳରେ ଭାରତ ଏକ ବିଶାଳ ସ୍କୋର ଆଡ଼କୁ ଅଗ୍ରସର ହେଉଛି । ସର୍ବଶେଷ ସୂଚନା ଅନୁସାରେ ଭାରତ ୬ ଓ୍ବିକେଟ ହରାଇ ୫୦୭ ରନ କରିଛି ।
ଶୁଭମନ ଗିଲ୍ ଗତ କାଲି ଅର୍ଥାତ ମ୍ୟାଚର ପ୍ରଥମ ଦିନରେ ନିଜର ଶତକ ପୂରଣ କରିଥିଲେ । ତେବେ ଆଜି ସେ ନିଜର ଇନିଂସକୁ ଆଗେଇ ନେଇ ଦ୍ବିଶତକ ପୂରଣ କରିଥିଲେ ଓ ଭାରତୀୟ ସ୍କୋରକୁ ଏକ ସୁଦୃଢ ସ୍ଥିତିକୁ ନେଇଯାଇଥିଲେ ।
ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ଓ ଯଶସ୍ବୀ ଜୟସ୍ବାଲ ଭଲ ଆରମ୍ଭ କରିଥିଲେ ବି ରାହୁଲ ମାତ୍ର ୨ ରନ କରି ଆଉଟ ହୋଇଥିଲେ । କରୁନ ନାୟାର ୩୧ ରନ କରିଥିଲେ । ତେବେ ଜୟସ୍ବାଲ ଲଢୁଆ ବ୍ୟାଟିଂ କରି ୮୭ ରନ କରିଥିଲେ । ମାତ୍ର ଋଷଭ ପନ୍ତ ୨୫ ରନ ଓ ନୀତୀଶ ରେଡ୍ଡି ୧ ରନ କରି ଆଉଟ ହୋଇଥିଲେ । ତେବେ ଗିଲ୍ ଓ ରବୀନ୍ଦ୍ର ଜାଦେଜାଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ଜାଦେଜା ୮୯ ରନ କରିଥିଲେ ।
ଇଂଲଣ୍ଡ ପକ୍ଷରୁ କ୍ରିସ୍ ଓକ୍ସ ୨ଟି ଓ୍ବିକେଟ ନେଇଥିବାବେଳେ ଜୋସ ଟଙ୍ଗ୍, ବ୍ରାଇଡେନ କାର୍ସ, ବେନ ଷ୍ଟୋକ୍ସ ଓ ସୋଏବ ବସିର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।