ଗାଏକ୍ବାଡ, ଗିଲ୍‌ଙ୍କ ଶତକ: ଭାରତ-ଏ ୧୦ ୱିକେଟ୍‌ରେ ବିଜୟୀ

ବେଲ୍‌ଗାମ୍‌: ପ୍ରାରମ୍ଭିକ ଯୋଡ଼ି ଋତୁରାଜ ଗାଏକ୍ବାଡ (୧୨୫*) ଓ ଶୁଭମନ ଗିଲ୍‌ (୧୦୯)ଙ୍କ ଚିତାକର୍ଷକ ଶତକ ବଳରେ ଭାରତ-ଏ ଶନିବାର ଏଠାରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ ଦଳକୁ ୧୦ ୱିକେଟ୍‌ରେ ପରାସ୍ତ କରିଦେଇଛି। ଶ୍ରୀଲଙ୍କା ଛାଡ଼ିଥିବା ୨୪୩ ରନ୍‌ର ଲକ୍ଷ୍ୟକୁ ଭାରତ ୩୩.୩ ଓଭରରେ କୌଣସି ୱିକେଟ୍‌ ନହରାଇ ହାସଲ କରିନେଇଥିଲା। ଗ‌ାଏକ୍ବାଡ ୯୪ ବଲ୍‌ରୁ ୧୪ ଚୌକା ଓ ୪ ଛକା ବଳରେ ୧୨୫ ଏବଂ ଗିଲ୍‌ ୯୬ ବଲ୍‌ରୁ ୧୪ ଚୌକା ଓ ୨ ଛକା ବଳରେ ୧୦୯ ରନ୍‌ କରିଥିଲେ। ଉଭୟେ ପ୍ରଥମ ୱିକେଟ୍‌ରେ ୨୨୬ ରନ୍‌ ଯୋଡ଼ିଥିଲା ବେଳେ ଗିଲ୍‌ ରିଟାୟର୍ଡ ହର୍ଟ ହୋଇଥିଲେ। ପ୍ରଶାନ୍ତ ଚୋପ୍ରା କ୍ରିଜ୍‌କୁ ଆସି ୧୧ ବଲ୍‌ରେ ୧ ରନ୍‌ କରି ଅପରାଜିତ ରହିଥିଲେ। ହେଲେ ଗାଏକ୍ବାର୍ଡ ଦଳକୁ ସହଜ ବିଜୟ ଭେଟି ଦେଇଥିଲେ। ଚଳିତ ଦିନିକିଆ ଶୃଙ୍ଖଳାରେ ଗାଏକ୍ବାଡଙ୍କର ଏହା କ୍ରମାଗତ ଦ୍ବିତୀୟ ଶତକ। ଏହା ପୂର୍ବରୁ ପ୍ରଥମ ଦିନିକିଆରେ ସେ ଅପରାଜିତ ୧୮୭ ରନ୍‌ କରିଥିଲେ। ଏଥି ସହିତ ଭାରତ ମଧ୍ୟ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୨-୦ର ଅଗ୍ରଣୀ ପାଇଯାଇଛି। ଦ୍ବିତୀୟ ମ୍ୟାଚ୍‌ରେ ଗିଲ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ସେହାନ୍‌ ଜୟସୂରିଆ (୧୦୧)ଙ୍କ ଶତକ ବଳରେ ନିର୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୪୨ ରନ୍‌ କରିଥିଲା। ଭାରତ ପକ୍ଷରୁ ତୁଷାର ଦେଶପାଣ୍ଡେ ଓ ଶିବମ୍‌ ଦୁବେ ୨ ଲେଖାଏଁ ୱିକେଟ୍‌ ନେଇ ସଫଳ ବୋଲର ରହିଥିଲେ।

ସମ୍ବନ୍ଧିତ ଖବର