ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଶତକରେ ଗିଲ୍‌ ସର୍ବକନିଷ୍ଠ

ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳାରେ ଭାରତର ଅପରାଜେୟ ଧାରା ୧୩କୁ ଲମ୍ବିଲା

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ଓପ୍‌ନର ଶୁବମନ ଗିଲ୍‌ ଚିତାକର୍ଷକ ଶତକ ଜମାଇଥିଲେ। ଏଥି ସହିତ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଶତକ ଜମାଇବାରେ ଗିଲ୍‌ ସର୍ବକନିଷ୍ଠ ଭାରତୀୟ ହୋଇଯାଇଥିଲେ। ମାତ୍ର ୨୩ ବର୍ଷ ୧୪୬ ଦିନ ବୟସରେ ଗିଲ୍‌ ଭାରତ ପାଇଁ ଏହି କୃତିତ୍ବ ହାସଲ କରିଥିଲେ। ତାଙ୍କ ପୂର୍ବରୁ ଏହି ରେକର୍ଡ ସୁରେଶ ରାଇନା (୨୩ ବର୍ଷ ୧୫୬ ଦିନ)ଙ୍କ ନାମରେ ରହିଥିଲା। ରାଇନା ମଧ୍ୟ ପ୍ରଥମ ଭାରତୀୟ ଭାବେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ଶତକୀୟ ସଫଳତା ହାତେଇଥିଲେ। ୨୦୧୦ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାଇନା ଶତକ ମା‌ରିଥିଲେ।

ଟ୍ବେଣ୍ଟି-୨୦ରେ ପ୍ରଥମ ଶତକ ହାସଲ ପରେ ଗିଲ୍‌ ମଧ୍ୟ ଆନ୍ତର୍ଜାତିକ କ୍ରିକେଟ୍‌ର ତିନିଟିଯାକ ଫର୍ମାଟ୍‌ (ଟେଷ୍ଟ୍‌, ଦିନିକିଆ ଓ ଟ୍ବେଣ୍ଟି-୨୦)ରେ ଶତକ ହାସଲ କରିବାର ଗୌରବ ବହନ କରିଥିଲେ। ହେଲେ ଗିଲ୍‌ଙ୍କ ଉପରକୁ ଏକମାତ୍ର ସର୍ବକନିଷ୍ଠ ଖେଳାଳି ଭାବେ ପାକିସ୍ତାନର ଅହମ୍ମଦ ସେହଜାଦ୍‌ ସବୁ ଫର୍ମାଟ୍‌ରେ ଶତକ ହାସଲ କରିଛନ୍ତି। ସେ ୨୨ ବର୍ଷ ୧୨୭ ଦିନ ବୟସରେ ଏହି କୀର୍ତ୍ତିମାନ ରଚିଥିଲେ। ୨୦୧୪ରେ ବାଂଲାଦେଶ ବିପକ୍ଷରେ ଟ୍ବେଣ୍ଟି-୨୦ ଶତକ ଜମାଇ ସେ ସେଟ୍‌ ପୂରଣ କରିଥିଲେ। ବୁଧବାର ଗିଲ୍‌ ୬୩ ବଲ୍‌ରୁ ଅପରାଜିତ ୧୨୬ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଯେକୌଣସି ବ୍ୟାଟର୍‌ଙ୍କ ତୁଳନାରେ ଏହା ସର୍ବାଧିକ ସ୍କୋର୍‌ ଥିଲା। ପୂର୍ବରୁ ଏହି ରେକର୍ଡ ରିଚାର୍ଡ ଲେଭିଙ୍କ ନାମରେ ରହିଥିଲା। ଲେଭି ୨୦୧୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଡନ ପାର୍କରେ ଅପରାଜିତ ୧୧୭ ରନ୍‌ କରିଥିଲେ।

ଅହମଦାବାଦରେ ବୁଧବାର ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଗିଲ୍‌ଙ୍କ ଅପରାଜିତ ୧୨୬ ରନ୍‌ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଭାରତ ପାଇଁ ସର୍ବାଧିକ ସ୍କୋର୍‌। ଏକ୍ଷେତ୍ରରେ ସେ ବିରାଟ କୋହଲି (୧୨୨*)ଙ୍କ ନାମରେ ରହିଥିବ‌ା ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। କୋହଲି ଗତବର୍ଷ ଦୁବାଇରେ ଆୟୋଜିତ ଏସିଆ କପ୍‌ ଅବସରରେ ଆଫ୍‌ଗାନିସ୍ତାନ ବିପକ୍ଷରେ ଅପରାଜିତ ୧୨୨ ରନ୍‌ କରିଥିଲେ। ଅହମଦାବାଦ୍‌ରେ ବୁଧବାର ଗିଲ୍‌ ଖେଳିଥିବା ଅପରାଜିତ ଶତକୀୟ ପାଳି ମଧ୍ୟରୁ ଦ୍ରୁତ ବୋଲରଙ୍କ ବିପକ୍ଷରେ ୨୩୬.୫୮ ଷ୍ଟ୍ରାଇକ ରେଟ୍‌ (୪୧ ବଲ୍‌ରୁ ୯୭, ୯ ଚୌକା, ୭ ଛକା) ପାଇଥିଲା ବେଳେ ସ୍ପିନରଙ୍କ ବିପକ୍ଷରେ ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ଥିଲା ୧୩୧.୮୧ (୨୨ ବଲ୍‌, ୨୯ ରନ୍‌)। ତେବେ ଗିଲ୍‌ ସମ୍ମୁଖୀନ ହୋଇଥିବା ଶେଷ ୧୮ ବଲ୍‌ରେ ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୩୨୭.୭୮ ଥିଲା। ସେ ଏହି ୧୮ ବଲ୍‌ରୁ ସଂଗ୍ରହ କରିଥିଲେ ୫୯ ରନ୍‌। ପାୱାର ପ୍ଲେ ଓଭରରେ ଗିଲ୍‌ ୩୪ ରନ୍‌ କରିଥିଲେ ଯାହାକି କୌଣସି ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ପ୍ରଥମ ୬ ଓଭରରେ ସର୍ବାଧିକ କେରର୍ଡ।

ଅହମଦାବାଦରେ ଭାରତର ୨୩୪/୪ ସ୍କୋର୍‌ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ‌ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଯେକୌଣସି ଦଳ ପାଇଁ ତୃତୀୟ ସର୍ବାଧିକ। ଅଷ୍ଟ୍ରେଲିଆର ୨୪୫/୫ (ଇଡେନ୍‌ ପାର୍କ, ୨୦୧୮) ଏବଂ ଇଂଲଣ୍ଡର ୨୪୧/୩ (ନାପିଅର୍‌, ୧୦୧୯) ପ୍ରଥମ ଦୁଇ ସ୍ଥାନରେ ରହିଛି। ଭାରତର ପୂର୍ବ ସର୍ବାଧିକ ସ୍କୋର୍‌ ୨୦୮/୬ (୨୦୧୯) ରହିଥିଲା। ନ୍ୟୁଜିଲାଣ୍ଡ୍‌ ବିପକ୍ଷ ୧୬୮ ରନ୍‌ର ବିଜୟ ଦୁଇଟି ପୂର୍ଣ୍ଣକାଳୀନ ସଦସ୍ୟ ସଂପୃକ୍ତି ଥିବା ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବବୃହତ୍‌ ବ୍ୟବଧାନ (ରନ୍‌ ଭିତ୍ତିରେ) ରେକର୍ଡ। ପୂର୍ବରୁ ଉଭୟ ପାକିସ୍ତାନ ଓ ଭାରତ (୧୪୩ ରନ୍‌ ଲେଖାଏଁ) ଯୁଗ୍ମ ଭାବେ ଏହି ରେକର୍ଡର ଅଧିକାରୀ ରହିଥିଲେ। ବିଶେଷକରି ଘରୋଇ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳାରେ ଅପରାଜେୟ ଧାରାକୁ ଭାରତ ୧୩କୁ ଲମ୍ବାଇଛି। ଏହି ୧୩ ଶୃଙ୍ଖଳା ମଧ୍ୟରୁ ଭାରତ ୧୧ ଜିତିଥିଲା ବେଳେ ୨ ଅମୀମାଂସିତ ରହିଛି।

ଭାରତୀୟ ଦ୍ରୁତ ବୋଲରମାନେ ନ୍ୟୁଜିଲାଣ୍ଡ୍‌ର ସମସ୍ତ ୧୦ ୱିକେଟ୍‌ ଦଖଲ କରିଥିଲେ। ଯାହାକି କେବଳ ଦ୍ବିତୀୟ ଥର ପାଇଁ ଘଟିଛି। ତେବେ ଘରୋଇ ମାଟିରେ ଭାରତୀୟ ଦ୍ରୁତ ବୋଲରମାନେ ପ୍ରଥମ ଥର ପାଇଁ ପ୍ରତିପକ୍ଷର ୧୦ ୱିକେଟ୍‌ ନେଇଛନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍‌ ମଧ୍ୟ ପ୍ରଥମ ଥର ପାଇଁ କୌଣସି ‌ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଦ୍ରୁତ ବୋଲିଂ ବିପକ୍ଷରେ ସମସ୍ତ ୧୦ ୱିକେଟ୍‌ ହରାଇଛି।

ସମ୍ବନ୍ଧିତ ଖବର