ମୁମ୍ବାଇ: ଆଇପିଏଲ୍-୧୫ର ୧୬ତମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରୋମାଞ୍ଚକ ଭାବେ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟ୍ରେ ପରାସ୍ତ କରି ୩ରୁ ୩ ବିଜୟ ସହ ହ୍ୟାଟ୍ରିକ୍ କରିଛି। ୧୯୦ ରନ୍କୁ ପିଛା କରିଥିବା ଗୁଜରାଟ ପାଇଁ ଯୁବ ତାରକା ଶୁବମନ ଗିଲ୍ (୯୬, ୫୯ ବଲ୍) ଶତକରୁ ବଞ୍ଚିତ ହୋଇଥିଲେ। ସାଇ ସୁଦର୍ଶନ ଓ ହାର୍ଦିକ ପାଣ୍ଡ୍ୟା ଭଲ ବ୍ୟାଟିଂ କରିଥିଲେ। ଶେଷ ଓଭରରୁ ୧୯ ରନ୍ ଆବଶ୍ୟକ ଥିବାବେଳେ ହାର୍ଦିକ ପାଣ୍ଡ୍ୟାଙ୍କ ରନ୍ ଆଉଟ୍ ଚିନ୍ତା ବଢ଼ାଇଥିଲା। ତେବେ ଓଡ଼ିଅନ୍ ସ୍ମିଥ୍ଙ୍କ ଶେଷ ଦୁଇ ବଲ୍କୁ ଛକା ମାରି ରାହୁଲ ତିୱାତିଆ (୧୩*, ୩ ବଲ୍) ମ୍ୟାଚ୍ ଛଡ଼ାଇ ଆଣିଥିଲେ। ଶୁବମନ ଗିଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପାୱାର ପ୍ଲେ ଭିତରେ ଅଧିନାୟକ ମୟଙ୍କ ଅଗ୍ରୱାଲ୍ (୫) ଓ ଇଂଲିସ୍ ୱିକେଟରକ୍ଷକ ବ୍ୟାଟର୍ ଜନି ବେୟାରଷ୍ଟୋ (୮)ଙ୍କୁ ହରାଇଥିଲା। ଶିଖର ଧାୱନ (୩୫, ୩୦ ବଲ୍) ଏବଂ ଲିଆମ୍ ଲିଭିଙ୍ଗଷ୍ଟୋନ (୬୪, ୨୭ ବଲ୍) ଦ୍ବିତୀୟ ୱିକେଟ୍ ଭାଗୀଦାରିରେ ୩୨ ବଲରୁ ୫୨ ରନ୍ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲେ। ଲିଭିଙ୍ଗଷ୍ଟୋନ୍ ୪ ଲେଖାଏଁ ଚୌକା ଓ ଛକା ସହ ମାତ୍ର ୨୧ ବଲରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ମଝିରେ ଜିତେଶ ଶର୍ମା (୧୧ ବଲରୁ ୨୩ ରନ୍) ଏବଂ ସାହାରୁଖ ଖାନ୍ (୮ ବଲରୁ ୧୫ ରନ୍) ଉପଯୋଗୀ ପାଳି ଖେଳିଥିଲେ ମଧ୍ୟ ମିନି ବିପର୍ଯ୍ୟୟ କାରଣରୁ ୧୭.୫ ଓଭର ବେଳକୁ ୧୬୨/୯ରେ ପହଞ୍ଚିଯାଇଥିଲା। ଶେଷ ୱିକେଟ୍ରେ ରାହୁଲ ଚହର (୧୪ ବଲରୁ ୨୨*) ଏବଂ ଅର୍ଶଦୀପ ସିଂହ (୫ ବଲ୍ରୁ ୧୦*) ୧୩ ବଲରୁ ୨୭ ରନ୍ କରି ଆହ୍ବାନଭରା ୧୮୯ ରନ୍ ସ୍କୋର୍ କରି ଦେଇଥିଲେ। ୨୦ତମ ଓଭର ବୋଲିଂ କରିଥିବା ହାର୍ଦିକ ପାଣ୍ଡ୍ୟାଙ୍କଠାରୁ ୧୬ ରନ୍ ଆଦାୟ କରିଥିଲେ ଏହି ଯୋଡ଼ି। ରସିଦ୍ ଖାନ୍ (୪-୦-୨୨-୩) ସବୁଠୁ ସଫଳ ବୋଲର ଥିଲେ। ପ୍ରଥମ ପଦାର୍ପଣ କରିଥିବା ଦର୍ଶନ ନଲକାଣ୍ଡେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ଲଗାତାର ବଲରେ ୱିକେଟ୍ ନେଇ ୨/୩୭ ସଫଳତା ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/gill.jpg)