ହାଇଦ୍ରାବାଦ : ବିରାଟ କୋହଲି ଏବଂ ଶିଖର ଧାୱନ୍‌ଙ୍କୁ ପଛରେ ପକାଇ ଉଦୀୟମାନ ଯୁବ ତାରକା ଶୁବମନ ଗିଲ୍‌ ଦିନିକିଆ ଆନ୍ତର୍ଜାତିକରେ ଦ୍ରୁତତମ ୧୦୦୦ ରନ୍‌ କରିବାରେ ପ୍ରଥମ ଭାରତୀୟ ବ୍ୟାଟର୍‌ ହୋଇଛନ୍ତି। ଉଭୟ କୋହଲି ଓ ଧାୱନ୍‌ ସମାନ ୨୪ ଲେଖାଏଁ ପାଳିରୁ ୧୦୦୦ ରନ୍‌ ପୂରଣ କରିଥିଲା ବେଳେ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଖେଳିବା ପୂର୍ବରୁ ଗିଲ୍‌ ୧୮ ପାଳିରୁ ୮୯୪ ରନ୍‌  କରିଥିଲେ। ନ୍ୟୁଜିଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ରେ ସେ ଦ୍ବିଶତକୀୟ ପାଳି ଖେଳିବା ଅବସରରେ ଭାରତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଗିଲ୍‌ ୧୯ ପାଳିରୁ ୧୦୦୦ ରନ୍‌ ପୂରଣ କରି ଦ୍ରୁତତମ ଭାରତୀୟ ସାବ୍ୟସ୍ତ ହୋଇଛନ୍ତି। ସେ ବୁଧବାର ୨୦୮ ରନ୍‌ କରି ଆଉଟ୍‌ ହେବା ପରେ ତାଙ୍କ ମୋଟ ରନ୍‌ ୧୧୦୨ରେ ପହଞ୍ଚିଯାଇଛି। ଗିଲ୍‌ ମଧ୍ୟ କମ୍‌ ପାଳି ଭିତ୍ତିରେ ୧୦୦୦ ରନ୍‌ ଟପିବାରେ ପାକିସ୍ତାନର ଇଞ୍ଜାମମ୍‌ ଉଲ୍‌ ହକ୍‌ଙ୍କ ସମକକ୍ଷ ହୋଇଥିଲା ବେଳେ କେବଳ ପାକିସ୍ତାନର ଫକର ଜମନ ହିଁ ୧୮ ପାଳିରୁ ଏହି ମାଇଲଖୁଣ୍ଟ ଅତିକ୍ରମ କରି ପ୍ରଥମ ବ୍ୟାଟର୍‌ ରହିଛନ୍ତି।
Advertisment
ଶୁବମନ ଗିଲ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୨୦୮ ରନ୍‌ କରିଥିଲେ। ଏହା ତାଙ୍କ ଛୋଟ କ୍ୟାରିୟରର ପ୍ରଥମ ଦ୍ବିଶତକ। ତେବେ ଦିନିକିଆ ଆନ୍ତର୍ଜାତିକରେ ଦ୍ବିଶତକ ଜମାଇବାରେ ସେ ସର୍ବକନିଷ୍ଠ ବ୍ୟାଟର୍‌ ହୋଇଛନ୍ତି। ମାତ୍ର ୨୩ ବର୍ଷ ୧୩୨ ଦିନ ବୟସରେ ଗିଲ୍‌ ଏହି କୀର୍ତ୍ତିମାନ ରଚିଥିଲା ବେଳେ ତାଙ୍କ ପୂର୍ବରୁ ଈଶାନ କିଶନ (୨୪ ବର୍ଷ ୧୪୫ ଦିନ ବୟସ)ଙ୍କ ନାମରେ ସର୍ବକନିଷ୍ଠ ରେକର୍ଡ ରହିଥିଲା। ତେବେ ଦିନିକିଆରେ ଦ୍ବିଶତକ ଜମାଇବାରେ ଗିଲ୍‌ ପଞ୍ଚମ ଭାରତୀୟ ଏବଂ ମୋଟ ଉପରେ ଅଷ୍ଟମ ବ୍ୟାଟର୍‌ ରହିଛନ୍ତି। ଗିଲ୍‌ ମଧ୍ୟ ତାଙ୍କ ପାଳି ଅବସରରେ ସର୍ବାଧିକ ବ୍ୟକ୍ତିଗତ ଦିନିକିଆ ସ୍କୋର୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କୁ ଟପି ଯାଇଛନ୍ତି। ସର୍ବାଧିକ ସ୍କୋର୍‌ ରେକର୍ଡ ଏବେ ବି ରୋହିତ ଶର୍ମାଙ୍କ ନାମରେ ରହିଛି। ଏହି ଫର୍ମାଟ୍‌ରେ ମୋଟ ୧୦ଟି ଦ୍ବିଶତକ ହାସଲ ହୋଇଛି। ସେମଧ୍ୟରୁ କେବଳ ଭାରତୀୟ ଅଧିନାୟକ ରୋହିତ ଶର୍ମା ୩ ଥର ଏଭଳି କୃତିତ୍ବ ହାସଲ କରିଥିଲା ବେଳେ ଗିଲ୍‌ଙ୍କ ବ୍ୟତୀତ ଅନ୍ୟ ଭାରତୀୟ ଭାବେ ବୀରେନ୍ଦ୍ର ସେହବାଗ୍‌, ଈଶାନ କିଶନ ଏବଂ ସଚିନ୍ ତେନ୍ଦୁଲକର ଏଭଳି ବଡ଼ ମାଇଲଖୁଣ୍ଟ ଛୁଇଁଛନ୍ତି। ସଚିନ ପ୍ରଥମ ଭାରତୀୟ ତଥା ବିଶ୍ବର ପ୍ରଥମ ବ୍ୟାଟର୍‌ ଭା‌ବେ ଦିନିକିଆରେ ଦ୍ବିଶତକ ଜମାଇଥିଲା ବେଳେ ବିଦେଶୀ ଖେଳାଳି ଭାବେ ନ୍ୟୁଜିଲାଣ୍ଡ୍‌ର ମ‌ାର୍ଟିନ୍‌ ଗପ୍ଟିଲ, ୱେଷ୍ଟ୍‌ଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ ଏବଂ ପାକିସ୍ତାନର ଫକର ଜମନ ଏହି ତାଲିକାରେ ସାମିଲ ଅଛନ୍ତି।