ନୂଆଦିଲ୍ଲୀ: ବ୍ରିସ୍‌ବେନ୍‌ ଟେଷ୍ଟ୍‌ ପଞ୍ଚମ ଦିନର ବିପଜ୍ଜନକ ପିଚ୍‌ରେ ଅଷ୍ଟ୍ରେଲିଆର ଘାତକ ବୋଲରମାନେ ଯେତେବେଳେ ଅଗ୍ନୀବର୍ଷୀ ବୋଲିଂ କରୁଥିଲେ ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶୁବମନ୍ ଗିଲ୍‌ ଓ ଚେତେଶ୍ବର ପୂଜାରା ସବୁକିଛି କରି ଜୀବନ ଲଗାଇ ଖେଳିଥିଲେ। ପୂଜାରା ଅନ୍ୟୁନ ଡଜନେ ବଲ୍‌ ନିଜ ଶରୀରରେ ଆଘାତ ପାଇ ସହିଯାଇଥିଲେ, ହେଲେ ‌ଧୈର୍ଯ୍ୟ ହରାଇନଥିଲେ। ଅନ୍ୟପକ୍ଷରେ ଶୁବମନ୍ କିନ୍ତୁ ଅତି ଆରାମରେ ଖେଳି ନିଜ ଶତକ ଦିଗରେ ଅଗ୍ରସର ହେଉଥିଲେ। ପ୍ରଥମ ଟେଷ୍ଟ୍ ଶତକ ଅର୍ଜନରୁ ବଞ୍ଚିତ ହୋଇଥିଲେ ମଧ୍ୟ ଏହି ଉଦୀୟମାନ ଖେଳାଳି ଯୁବ ଭାରତର ଭବିଷ୍ୟତ ତାରକା ଭାବେ ଉଭା ହୋଇଛନ୍ତି। ଷ୍ଟାର୍କଙ୍କ ଗୋଟିଏ ଓଭରରୁ ୨୦ ରନ୍ ଆଦାୟ କରିଥିବା ଗିଲ୍‌ ଅଷ୍ଟ୍ରେଲିଆରୁ ଫେରିବା ପରେ ନିଜ ସଫଳତାର ଗୋପନ ସୂତ୍ର ପଦାକୁ ଆସିଛି।

Advertisment

‘ମାତ୍ର ୯ ବର୍ଷ ବୟସରୁ ଗିଲ୍‌ ଦୈନିକ ୧୫୦୦ ସର୍ଟ ବଲ୍‌ ଖେଳିଥା’ନ୍ତି। ଫାଷ୍ଟ ବୋଲିଂକୁ ମୁକାବିଲା କରିବାକୁ ସେ ଏଭଳି ଅଭ୍ୟାସ କରିଥା’ନ୍ତି। ମ୍ୟାଟ୍ ପିଚ୍‌ରେ ପୁଲ୍‌, ହୁକ୍‌, କଟ୍‌ ଏବଂ ପଞ୍ଚ୍‌ ଆଦି ସେ ଅଭ୍ୟାସ କରି ଏବେ ଅନ୍ତର୍ଜାତୀୟ ସଫଳତା ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି ତାଙ୍କ ପିତା ଲଖବିନ୍ଦର ସିଂହ। ମୋହାଲିଠାରୁ ୩୦୦ କିଲୋମିଟର୍ ଦୂର ଏକ ଗାଁ ଚେକଖେରେରେ ଜନ୍ମଗ୍ରହଣ କରିଥିବା ଗିଲ୍‌ ପିତାଙ୍କୁ ଆଦର୍ଶ ମାନି କ୍ରିକେଟ୍‌‌ ଖେଳି ଆସିଥିଲେ। ମୋହାଲି କ୍ରିକେଟ୍ ଏକାଡେମିରେ ନିଜ କ୍ରିକେଟ୍ ଜୀବନକୁ ଶାଣିତ କରିବା ଅବସରରେ ସେ ପଞ୍ଜାବର ଆଗଧାଡ଼ିର ଦ୍ରୁତ ବୋଲର ମନପ୍ରୀତ୍ ସିଂହ ଗୋନି, ହରମିତ୍‌ ସିଂ ବଂଶଲ ପ୍ରମୁଖଙ୍କୁ ମୁକାବିଲା କରିବାର ଫଳ ଏବେ ପାଇଛନ୍ତି।