ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ର ଦୁଇ ମହାନ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭବିଷ୍ୟତକୁ ନେଇ ଏବେ ଚାଲିଛି ନାନା ଅଙ୍କକଷା। ଉଭୟ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ଲାଗି ଜାତୀୟ ଦଳକୁ ଫେରିଥିଲେ ମଧ୍ୟ ୨୦୨୭ ଏକଦିବସୀୟ ବିଶ୍ବକପ୍ ଖେଳିବେ କି ନାହିଁ, ସେ ଚର୍ଚ୍ଚା ଚାରିଆଡ଼େ ଚାଲିଛି। ଗୁରୁବାର ନୂଆ ଅଧିନାୟକ ଶୁବମନ୍ ଗିଲ୍ ଏହି ତର୍କ ବିତର୍କରେ ଆପାତତଃ ବିରାମ ଲଗାଇଛନ୍ତି। ‘ରୋକୋ’ ଭାବେ ପରଚିତ ଏହି ଦୁଇ କିଂବଦନ୍ତି କ୍ରିକେଟର୍ ୨୦୨୭ ବିଶ୍ବକପ୍ ଯୋଜନାରେ ଶତପ୍ରତିଶତ ସାମିଲ ଅଛନ୍ତି। ଉଭୟଙ୍କ ବିପୁଳ ଅଭିଜ୍ଞତା ଏବଂ ଅତୁଳନୀୟ କ୍ରିକେଟ୍ ଶୈଳୀ ଟିମ୍ ଇଣ୍ଡିଆ ପାଇଁ ବଡ଼ ସମ୍ପତ୍ତି ବୋଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି। ଅଷ୍ଟ୍ରେଲିଆ ଶୃଙ୍ଖଳାରେ ରୋହିତଙ୍କ ଭଳି ସଫଳ ଅଧିନାୟକଙ୍କ ସ୍ଥାନ ନେଇଥିବା ୨୬ବର୍ଷୀୟ ଗିଲ୍ ଦୁଇ ପୂର୍ବତନ ଅଧିନାୟକ ‘ରୋକୋ’ଙ୍କ ଉପସ୍ଥିତିରୁ ଅନେକ କିଛି ଶିଖିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ସେହିଭଳି ଭାରତ ଭଳି ଲୋକପ୍ରିୟ ଓ ଶକ୍ତିଶାଳୀ ଦଳକୁ ପରିଚାଳନା କରିବା ଲାଗି ଦରକାର ମାନସିକ ଓ ଶାରୀରିକ ଦୃଢ଼ତା ବିଷୟରେ ରୋହିତ-କୋହଲିଙ୍କଠାରୁ ଗୁରୁ ଜ୍ଞାନ ନେବାକୁ ଆଶାୟୀ ଥିବା ମତ ରଖିଛନ୍ତି। ସୂଚନାଯୋଗ୍ୟ ଯେ ଗିଲ୍ ପୂର୍ବରୁ ସଫଳତାର ସହ ଭାରତୀୟ ଟେଷ୍ଟ୍ ଦଳର ନେତୃତ୍ବ ନେବା ଆରମ୍ଭ କରିସାରିଛନ୍ତି। ଏବେ ଦିନିକିଆରେ ନିଜ ବଳିଷ୍ଠ ନେତୃତ୍ବରେ ଛାପ ଛାଡ଼ିବାକୁ ଯାଉଛନ୍ତି।
‘‘ସେମାନଙ୍କ ଭେଭଳି ଅଭିଜ୍ଞତା ଅଛି ଏବଂ ଯେତେ ମ୍ୟାଚ୍ରେ ସେମାନେ ଭାରତକୁ ଜିତାଇଛନ୍ତି। ଖୁବକମ୍ ଖେଳାଳି ତାହା କରିଛନ୍ତି। ସେମାନଙ୍କୁ ଦଳରେ ପାଇ ମୁଁ ବହୁତ ଖୁସି। ଉଭୟଙ୍କଠାରୁ ଅନେକ କିଛି ଶିଖିବାକୁ ମୁଁ ଲକ୍ଷ୍ୟ ରଖିଛି। ଟେଷ୍ଟ୍ ଭଳି ଦିନିକିଆ ଫର୍ମାଟ୍ରେ ଦେଶର ନେତୃତ୍ବ ନେବାକୁ ଯାଉଥିବାରୁ ବେଶ୍ ଉଲ୍ଲସିତ ଅଛି। ମୁଁ ଭବିଷ୍ୟତ ଅପେକ୍ଷା ବର୍ତ୍ତମାନ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଛି’’ ବୋଲି ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ଶୃଙ୍ଖଳା ପୂର୍ବରୁ ଦେଇଥିବା ପ୍ରଥମ ସାକ୍ଷାତକାରରେ କହିଛନ୍ତି ଗିଲ୍।
ତିନିଟି ଯାକ ଫର୍ମାଟ୍ ଖେଳିବା ସହଜ ନୁହେଁ
ଗିଲ୍ଙ୍କୁ ତିନିଟି ଯାକ ଫର୍ମାଟ୍ (ଟ୍ବେଣ୍ଟି-୨୦, ଦିନିକିଆ ଓ ଟେଷ୍ଟ୍)ରେ ଭାରତର ଭାବି ଅଧିନାୟକ ଭାବେ ଦେଖାଯାଉଥିଲା ବେଳେ ଏହି ଦାୟିତ୍ବ ନିର୍ବାହ କରିବା ଆଦୌ ସହଜ ହେବନି। ଏପରିକି ତିନିଟି ଯାକ ଫର୍ମାଟ୍ ଖେଳିବା ମାନସିକ ଭାବେ ଜଣେ ଖେଳାଳିଙ୍କୁ କ୍ଷଣକ୍ଷଣ ପରୀକ୍ଷାରେ ପକାଇବ ବୋଲି ସ୍ବୀକାର କରିଛନ୍ତି ଗିଲ୍। କହିଛନ୍ତି, ଶାରିରୀକ ଭାବେ ମୁଁ ଅଧିକାଂଶ ସମୟ ସତେଜ ଓ ସୁସ୍ଥ ଅନୁଭବ କରେ। ଭାବୁଛି କେବେ କେବେ ଏଥିଲାଗି ମାନସିକ ଭାବେ ମୁଁ ହାଲିଆ ହୋଇଯାଏ। କାରଣ ଯେତେବେଳେ ଆପଣ ଲଗାତାର ଖେଳୁଥା'ନ୍ତି। ନିଜଠାରୁ ଏକ ନିର୍ଦ୍ଦିଷ୍ଟ ଆଶା ରଖିଥା'ନ୍ତି। ଏସବୁ ପରେ ବି ମୁଁ ତିନିଟି ଯାକ ଫର୍ମାଟ୍ରେ ଖେଳିବାକୁ ଏବଂ ଆଇସିସି ଟ୍ରଫି ଜିତିବାକୁ ଚାହେ। ଏହା କରିବାକୁ ହେଲେ ମୋତେ ସେହି ଆହ୍ବାନପୂର୍ଣ୍ଣ ପ୍ରକ୍ରିୟା ଦେଇ ଗତି କରିବାକୁ ହିଁ ହେବ।
ଖେଳାଳିଙ୍କୁ ସୁରକ୍ଷିତ ଅନୁଭବ କରାଇବାକୁ ଚାହେଁ
ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ହିଁ ଗିଲ୍ ଅଧିନାୟକ ପଦକୁ ପଦେନ୍ନତି ପାଇଥିଲା ବେଳେ ବଛାବଛା ୧୫ରୁ ୧୮ଜଣ ଖେଳାଳିଙ୍କୁ ଦଳରେ ସେମାନଙ୍କ ସ୍ଥାନ ନେଇ ସୁରକ୍ଷିତ କରାଇବା ଦିଗରେ କାମ ଚାଲିଛି ବୋଲି ଗିଲ୍ ସଙ୍କେତ ଦେଇଛନ୍ତି। ସେହିଭଳି ଏହି ପ୍ରସଙ୍ଗରେ ଉଭୟ ଏକମତ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ଗମ୍ଭୀରଙ୍କ ତାଙ୍କର ଉତ୍ତମ ସଂପର୍କ ଥିବା ଖୋଲାଖୋଲି ଭାବେ ମତ ରଖିବା ସହ ଟେଷ୍ଟ୍ ଦଳର ତୃତୀୟ ସ୍ଥାନରେ ସାଇ ସୁଦର୍ଶନ ବ୍ୟାଟିଂ କରିବା ଜାରି ରଖିବେ ବୋଲି ସଙ୍କେତ ଦେଇଛନ୍ତି। ଏହି ବିଷୟ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବକୁ ଦୂର କରିବାକୁ ଯାଇ, ଆମକୁ ସଂଖ୍ୟା ନୁହେଁ, ପ୍ରତିଭା ଓ କ୍ରିକେଟ୍ ଶୈଳୀ ଉପରେ ଅଧିକ ଦ୍ୟାନ ଦେବାକୁ ପଡ଼ିବ ବୋଲି କହିଥିଲେ।