ନୂଆଦିଲ୍ଲୀ: ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ପ୍ରତି ଦିଲ୍ଲୀ ପୁଲିସ୍‌ର ବର୍ବର ନିର୍ଯାତନାକୁ ନେଇ ଖପ୍ପା ହୋଇଛନ୍ତି ଆନ୍ଦୋଳନକାରୀ। ଦେଶ ପାଇଁ ଜିତିଥିବା ପଦକ ଏବଂ ସରକାରଙ୍କଠାରୁ ମିଳିଥିବା ପୁରସ୍କାର ଓ ସମ୍ମାନକୁ ସେମାନେ ଫେରାଇ ଦେବାକୁ ଧମକ ଦେଇଛନ୍ତି। ଯଦି ପୁଲିସ୍‌ ଏଭଳି ଅପମାନଜନକ କାର୍ଯ୍ୟ କରେ, ତାହେଲେ ଉକ୍ତ ସମ୍ମାନର କୌଣସି ମୂଲ୍ୟ ନଥିବା ଭିନେଶ ଫୋଗତ ଓ ବଜରଙ୍ଗ ପୁନିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଭାରତ ସରକାରଙ୍କୁ ସବୁ ପୁରସ୍କାର ଓ ପଦକ ଫେରାଇ ଦେଇ ସାଧାରଣ ଜୀବନ ଜିଇଁବୁ ବୋଲି ବଜରଙ୍ଗ କହିଛନ୍ତି। ଯେତେବେଳେ ପୁଲିସ୍‌ ଠେଲାପେଲା କଲା, ଗାଳିଗୁଲଜ ଦେଲା ଓ ଖରାପ ବ୍ୟବହାର ପ୍ରଦର୍ଶନ କଲା, ସେତେବେଳେ ସେମାନେ ଆମକୁ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କ୍ରୀଡ଼ାବିତ୍‌ ବୋଲି ଭାବିନଥିଲେ। କେବଳ ସେ ନୁହଁନ୍ତି ରିଓ ଅଲିମ୍ପିକ କାଂସ୍ୟ ପଦକ ବିଜେତା ସାକ୍ଷୀ ମଲ୍ଲିକ ମଧ୍ୟ ଏହି ବର୍ବରତାର ଶିକାର ହୋଇଛନ୍ତି। ଖେଳରତ୍ନ ପୁରସ୍କାର ବିଜେତା ଭିନେଶ ଫୋଗତ କହିଛନ୍ତି ଯେ ଆମକୁ ବହୁତ ଅସମ୍ମାନ କରାଯାଇଛି। ଆମେ ସମ୍ମାନ ପାଇଁ ସଂଘର୍ଷ କରୁଛୁ, କିନ୍ତୁ ଆମକୁ ସେମାନଙ୍କ ପାଦ ତଳେ ଚକଟି ଦିଆଯାଉଛି। ତେଣୁ ଆମ ପଦକଗୁଡ଼ିକୁ ଫେରାଇ ନିଆଯାଉ ବୋଲି ସେ କହିଛନ୍ତି। ଏପରିକି ନ୍ୟାୟ ପାଇଁ ପଦକ ସହିତ ଜୀବନ ମଧ୍ୟ ଉତ୍ସର୍ଗ କରିଦେବାକୁ ସେମାନେ ପ୍ରସ୍ତୁତ ଅଛନ୍ତି। ରାତିରେ ଶୋଇବା ପାଇଁ ବେଡ୍‌ ମଗାଯାଇଥିଲା। ଯଦି ବିଧାୟକ ସୋମନାଥ ଭାରତୀ ସେଗୁଡ଼ିକୁ ଆଣିଥିଲେ, ତାହେଲେ କ’ଣ ଆମର ଶୋଇବାର ଅଧିକାର ନାହିଁ? ବେଡ୍‌ ମଗାଇ ଆମେ କିଛି ଅପରାଧ କରିଛୁ କି? ସେଥିରେ ବମ୍‌ କିମ୍ବା ଅନ୍ୟ ମାରଣାସ୍ତ୍ର ଥିଲା କି ବୋଲି ଭିନେଶ ପ୍ରଶ୍ନ କରିଛନ୍ତି। ମାମଲା ଉପରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଆଗେଇ ଆସନ୍ତୁ ଓ ଆମକୁ ନ୍ୟାୟ ଦିଅନ୍ତୁ ବୋଲି ଭିନେଶ କହିଥିଲେ।
ପୁଲିସ ସହ ଠେଲାପେଲାରେ ୨ ଆହତ; ଜେନେରେଟର ଓ ଗଦି ନେଇଗଲା ପୁଲିସ

Advertisment

ବୁଧବାର ରାତିରେ ହୋଇଥିବା ଧସ୍ତାଧସ୍ତି ପରେ ପୁଲିସ୍‌ ଆନ୍ଦୋଳନକାରୀଙ୍କ ଜେନେରେଟର ସେଟ୍‌ ଓ ଗଦିକୁ ନେଇଯାଇଥିବା ଅଭିଯୋଗ ହୋଇଛି। କୁସ୍ତିଯୋଦ୍ଧା ସଙ୍ଗୀତା ଫୋଗତଙ୍କ ଅଭିଯୋଗ ଅନୁଯାୟୀ, ବର୍ଷାରେ ଓଦା ହୋଇଯାଇଥିବା ଗଦିଗୁଡ଼ିକୁ ଶୁଖାଇବା ପାଇଁ ଅଲଗା ରଖାଯାଇଥିଲା। କିନ୍ତୁ ପୁଲିସ୍‌ ସେଗୁଡ଼ିକୁ ନେଇଯିବା ସହ ଜେନେରେଟର ସେଟ୍‌କୁ ମଧ୍ୟ ସାଙ୍ଗରେ ନେଇଯାଇଛନ୍ତି। ଏହି ଘଟଣା ପରେ ଯନ୍ତରମନ୍ତରରେ ପୁଲିସ୍‌ ମୁତୟନ ବଢାଇ ଦିଆଯାଇଛି। ନ୍ୟାୟ ପାଇଁ ଚାଲିଥିବା ଲଢେଇରେ କୃଷକ ଓ ସାଧାରଣ ଲୋକମାନଙ୍କୁ ସାମିଲ୍‌ ହେବାକୁ ବଜରଙ୍ଗ ଆହ୍ବାନ ଦେବା ପରେ ଏଠାରେ ଭିଡ଼ ବଢିବା ନେଇ ପୁଲିସ୍‌ ଆଶଙ୍କା କରିଛି। ତେବେ ଆନ୍ଦୋଳନକାରୀମାନେ ବିନା ମାଇକ୍ରୋଫୋନ୍‌ରେ ବଡ଼ ପାଟି କରି ଭାଷଣ ଦେଉଥିବା ଦେଖାଯାଇଛି। ଅନ୍ୟପକ୍ଷରେ ପୁଲିସ୍‌ ସହ ହୋଇଥିବା ଧସ୍ତାଧସ୍ତିରେ ଦୁଇ ଜଣ ଆନ୍ଦୋଳନକାରୀ ମଧ୍ୟ ଆହତ ହୋଇଛନ୍ତି। ପୁଲିସ୍‌ ଆକ୍ରମଣରେ ବଜରଙ୍ଗଙ୍କ ଶାଳକ ଦୁଷ୍ୟନ୍ତ ଓ ରାହୁଲଙ୍କ ମୁଣ୍ଡରେ ଆଘାତ ଲାଗିଥିବା କୁହାଯାଇଛି।

ଡିସିଡବ୍ଲୁ ମୁଖ୍ୟଙ୍କୁ ବି ଛାଡ଼ିଲାନି ପୁଲିସ

କୁସ୍ତିଯୋଦ୍ଧାଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍‌ର ହିଂସାକାଣ୍ଡ ପାଇଁ ଏବେ ମାମଲା ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲୁ)ରେ ପହଞ୍ଚିଛି। ଖୋଦ୍‌ ଡିସିଡବ୍ଲୁ ମୁଖ୍ୟ ମଧ୍ୟ ପୁଲିସ୍‌ ଆକ୍ରୋଶର ଶିକାର ହୋଇଛନ୍ତି। ଯନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ଯିବା ସମୟରେ ପୁଲିସ୍‌ ଡିସିଡବ୍ଲୁ ମୁଖ୍ୟ ସ୍ବାତୀ ମାଲିୱାଲଙ୍କୁ ଟଣା ଓଟରା କରିଛି। ତାଙ୍କୁ ଟାଣିଟାଣି ଭ୍ୟାନ୍‌ରେ ବସାଇବାକୁ ବଳପୂର୍ବକ ପ୍ରୟାସ କରାଯାଇଛି। ମାଲିୱାଲ୍‌ଙ୍କ କହିବାନୁଯାୟୀ, ପୁଲିସ୍‌ ଓ କୁସ୍ତିଯୋଦ୍ଧାଙ୍କ ଭିତରେ ଖଣ୍ଡଯୁଦ୍ଧ ଘଟିବା ପରେ କିଛି ଆନ୍ଦୋଳନକାରୀ ଆହତ ହୋଇଥିଲେ। ଘଟଣା ବିଷୟରେ ଖବର ପାଇ ମୁଁ ଆନ୍ଦୋଳନ ସ୍ଥଳକୁ ଯାଇଥିଲେ ବି ପୁଲିସ୍‌ କୁସ୍ତିଯୋଦ୍ଧାଙ୍କ ସହ ଭେଟିବାକୁ ଦେଇନଥିଲା। ପୁଲିସ୍‌ର ବିରୋଧ ସତ୍ତ୍ବେ ମାଲିୱାଲ୍‌ କୁସ୍ତିଯୋଦ୍ଧାଙ୍କୁ ଭେଟିବାକୁ ଅଡ଼ିବସିଥିଲେ। ସେ ଜଣେ ସାମ୍ବିଧାନିକ ପଦବିର ଅଧିକାରୀ ଓ ଆନ୍ଦୋଳନକାରୀଙ୍କୁ ଭେଟିବାକୁ ସେ ଚାହୁଁଥିବା ବିଷୟରେ ଜଣେ ପୁଲିସ୍‌ କର୍ମଚାରୀଙ୍କୁ କହୁଥିବା ସମୟର ଏକ ଭିଡିଓକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ଏହି ପୋଷ୍ଟର ତୁରନ୍ତ ଜବାବ ଟ୍ବିଟ୍‌ରେ ରଖିଥିଲେ ନୂଆଦିଲ୍ଲୀ ଡିସିପି। ଡିସିଡବ୍ଲୁ ମୁଖ୍ୟଙ୍କୁ ବ୍ୟାରିକେଡ୍‌ ପାଖରେ ଜଣେ ପୁଲିସ୍‌ ଅଧିକାରୀ ରୋକିଥିଲେ ଓ ପରେ ତାଙ୍କୁ ଛଡ଼ାଯାଇଥିଲା। ସେ ଆନ୍ଦୋଳନସ୍ଥଳରେ ଉପସ୍ଥିତ ଥିଲେ। ଯନ୍ତରମନ୍ତରକୁ ବ୍ୟକ୍ତିଗତ ଭାବେ ପ୍ରବେଶ କରିବା ପାଇଁ କୌଣସି କଟକଣା ନଥିବା ଡିସିପି ତାଙ୍କ ଜବାବରେ ଲେଖିଥିଲେ। ପରେ ମାଲିୱାଲ୍‌ କୁସ୍ତିଯୋଦ୍ଧାଙ୍କ ସହିତ ଘଟଣା ବିଷୟରେ ଆଲୋଚନା କରିବା ପରେ ପୁଲିସ୍‌ର ନିର୍ଯାତନା ଓ ଅଶୋଭନୀୟ ଆଚରଣ ଅଭିଯୋଗକୁ ରେକର୍ଡ କରିଥିଲେ। ଅଭିଯୋଗକୁ ଗ୍ରହଣ କରିବା ପରେ ଡିସିଡବ୍ଲୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସେ ଟ୍ବିଟ୍‌ କରି ଜଣାଇଥିଲେ।
ଗଣମାଧ୍ୟମକୁ ସୂଚନା ଦେବା ସମୟରେ ମାଲିୱାଲ୍‌ କହିଛନ୍ତି ଯେ, ଦିଲ୍ଲୀ ପୁଲିସ୍‌ର କିଛି କର୍ମଚାରୀ ମଦ୍ୟପାନ କରି ବୁଧବାର ରାତିରେ ମହିଳା କୁସ୍ତିବିତ୍‌ଙ୍କୁ ମାଡ଼ ମାରିବା ସହ ଟଣା ଓଟରା କରିଥିଲେ। ସେମାନଙ୍କ ସହିତ ଅଶାଳୀନ ବ୍ୟବହାର କରିବା ସହିତ ଚୁଟି ଘୋଷାଡ଼ିଥିଲେ ବୋଲି ଡିସିଡବ୍ଲୁ ନିକଟରେ ଅଭିଯୋଗ ହୋଇଛି। ଏହି ଘଟଣା ସମୟରେ କେହି ଜଣେ ବି ମହିଳା ପୁଲିସ୍‌ ସେଠାରେ ଉପସ୍ଥିତ ନଥିଲେ। ତେଣୁ ଏସଂକ୍ରାନ୍ତରେ ଦିଲ୍ଲୀ ପୁଲିସ୍‌କୁ ନୋଟିସ୍‌ କରାଯିବ ଏବଂ ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ବ୍ରିଜଭୂଷଣଙ୍କ ବିରୋଧରେ ୪୦ଟି ଏତଲା ପଞ୍ଜୀକୃତ ହୋଇସାରିଥିଲା ବେଳେ ତାଙ୍କୁ ପୁଲିସ୍‌ ଗିରଫ କରିପାରିନାହିଁ। ପୀଡ଼ିତାମାନଙ୍କର ବୟାନକୁ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ୍‌ ରେକର୍ଡ କରିନାହିଁ। ତେଣୁ ପୁଲିସ୍‌ କର୍ତ୍ତୃପକ୍ଷ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ମାଲିୱାଲ୍‌ ଅଭିଯୋଗ ଆଣିଛନ୍ତି। ୬ ମାସ ପରେ ଯେଉଁ ଦୁଇ ଏତଲାକୁ ପଞ୍ଜିକରଣ କରାଯାଇଥିଲା, ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କରାଯାଇଥିଲା। କିନ୍ତୁ ଯୌନ ନିର୍ଯାତନା ଭଳି ଘଟଣାରେ ପୁଲିସ୍‌ ୨୪ ଘଣ୍ଟା ମଧ୍ୟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା କଥା। ତେଣୁ ଏଭଳି ଦାୟିତ୍ବହୀନ କର୍ତ୍ତବ୍ୟ ପାଇଁ ନୂଆଦିଲ୍ଲୀ ଡିସିପି ଓ ପାର୍ଲ୍ୟାମେଣ୍ଟ ଷ୍ଟ୍ରିଟ୍‌ ଏସ୍‌ଏଚ୍‌‌ଓଙ୍କ ବିରୋଧରେ ତୁରନ୍ତ ଏତଲା ରୁଜୁ କରାଯିବା ଆବଶ୍ୟକ। ଯେପର୍ଯ୍ୟନ୍ତ ବରିଷ୍ଠ ଅଧିକାରୀମାନେ ନିଲମ୍ବିତ ହୋଇନାହାନ୍ତି, ସେପର୍ଯ୍ୟନ୍ତ ପୁଲିସ୍‌ ତା’ର ମୌଳିକ କର୍ତ୍ତବ୍ୟ ବାବଦରେ ସଚେତନ ହେବ ନାହିଁ ବୋଲି ମାଲିୱାଲ୍‌ କହିଥିଲେ।