ଭୁବନେଶ୍ବର: ଇନ୍ଦୋରରେ ଚାଲିଥିବା ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ୍ ପକେଟସ୍ଥ କରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ତଥାପି ଘରୋଇ ଦଳ ଉପରେ ଫଲୋଅନ୍ ଲଦିବା ସମ୍ଭାବନା ଥିବାରୁ ଓଡ଼ିଶା ବିଜୟୀ ହେବାର ସୁଯୋଗ ବି ରହିଛି। ଶାନ୍ତନୁ ମିଶ୍ରଙ୍କ ଦଳ ରବିବାର ଅଧିକ କିଛି କରି ନପାରି ଶେଷ ଦୁଇ ୱିକେଟ୍ ହରାଇଥିଲା। ଅତିରିକ୍ତରୁ ୫ ରନ୍ ଯୋଡ଼ିବା ସହ ଶେଷ ଦୁଇ ୱିକେଟ୍ ହରାଇଥିଲା। ମାରାଥନ୍ ପାଳି ଖେଳିଥିବା ପୂର୍ବତନ ଅଧିନାୟକ ଶୁଭ୍ରାଂଶୁ ସେନାପତି (୨୭୭ ରନ୍, ୪୮୭ ବଲ୍, ୧୯ ଚୌକା, ୧୧ ଛକା)ଙ୍କୁ ପ୍ରଥମ ଓଭରରେ କୁମାର କାର୍ତ୍ତିକେୟ ସିଂହଙ୍କ ଶିକାର ହୋଇଥିଲେ। ୱିକେଟରକ୍ଷକ ହିମାଂଶୁ ମନ୍ତ୍ରୀ ନେଇଥିଲେ କ୍ୟାଚ୍। ପରବର୍ତ୍ତୀ ଓଭର ଦ୍ବିତୀୟ ବଲ୍ରେ ଜୟନ୍ତ ବେହେରା (୦)ଙ୍କୁ ସାରାଂଶ ଜୈନ ଏଲବି କରି ଦେବାରୁ ଓଡ଼ିଶା ପାଳି ସକାଳେ ମାତ୍ର ୮ ବଲ୍ ଭିତରେ ଶେଷ ୨ ୱିକେଟ ହରାଇ ଶେଷ ହୋଇଯାଇଥିଲା। ପ୍ରଥମ ପଦାର୍ପଣକାରୀ ହର୍ଷିତ ରାଠୋଡ଼ (୬୦*) ଅପରାଜିତ ରହିଯାଇଥିଲେ। ମଧ୍ୟପ୍ରଦେଶ ପକ୍ଷରୁ ଅଫସ୍ପିନର୍ ସାରାଂଶ ଜୈନ ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଥିବା ବେଳେ ଆର୍ଯ୍ୟନ ପାଣ୍ଡେ, କୁମାର କାର୍ତ୍ତିକେୟ ସିଂହ, ଭେଙ୍କଟେଶ ଆୟର ୨ ଲେଖାଏଁ ଅକ୍ତିଆର କରିଥିଲେ। ଓଡ଼ିଶାର ବିଶାଳ ୪୯୮ ରନ୍ ଜବାବରେ ମଧ୍ୟପ୍ରଦେଶ ପାଳି ଆରମ୍ଭ କରିବା ମାତ୍ରେ ଓଡ଼ିଶାର ବୋଲିଂ ବାହିନୀ ଘରୋଇ ଦଳକୁ ଅଡୁଆରେ ପକାଇଥିଲେ। ପ୍ରୟାସ ସିଂହ, ସୂର୍ଯ୍ୟକାନ୍ତ ପ୍ରଧାନ, ସୁନିଲ ରାଉଳ ପ୍ରଥମ ୩ ବ୍ୟାଟରଙ୍କୁ ପ୍ୟାଭିଲିଅନ୍ ପଠାଇବା ପରେ ଅନ୍ତର୍ଜାତୀୟ ଖେଳାଳି ଭେଙ୍କଟେଶ ଆୟର ରିଟାୟର୍ଡ ହର୍ଟ ହୋଇ ଫେରି ଯାଇଥିଲେ। ଅର୍ଥାତ୍ ଘରୋଇ ଦଳ ବସ୍ତୁତଃ ୩୫ ରନ୍ ବେଳକୁ ୪ ଜଣଙ୍କୁ ହରାଇଥିଲା। ଏହି ସମୟରେ ହର୍ଷ ଗାୱଲି ଓ ଆଦିତ୍ୟ ଶ୍ରୀବାସ୍ତବ ୫୪ ରନ୍ର ଭାଗୀଦାରି ଗଢ଼ିଥିଲେ। ଅଧିନାୟକ ଆଦିତ୍ୟଙ୍କୁ ପ୍ରୟାସ ସିଂହ ଏଲ୍ବି କରି ଦେବାରୁ ମଧ୍ୟପ୍ରଦେଶ ପୁଣି ଅଡୁଆରେ ପଡ଼ିଥିଲା। କିନ୍ତୁ ହର୍ଷ ଗାୱଲିଙ୍କ ସହ ମିଶି ସାରାଂଶ ଜୈନ (୪୦ ରନ୍, ୯୫ ବଲ୍) ପଞ୍ଚମ ୱିକେଟ୍ ପାଇଁ ୧୦୧ ରନ୍ ଯୋଡ଼ି ଘରୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ହର୍ଷ ମଧ୍ୟ ଆର୍ଯ୍ୟନ ପାଣ୍ଡେ (୧୭)ଙ୍କୁ ସାଥୀ କରି ଷଷ୍ଠ ୱିକେଟ୍ ଲାଗି ୫୬ ରନ୍ ଯୋଡ଼ିଛନ୍ତି। ଦିନର ଶେଷ ଦୁଇ ୱିକେଟ୍ ସାରାଂଶ ଓ ଆର୍ଯ୍ୟନଙ୍କୁ ସୁନିଲ ରାଉଳ ସମାନ ଢଙ୍ଗରେ ୱିକେଟରକ୍ଷକ ରାଜେଶ ଧୂପରଙ୍କ ଗ୍ଲୋଭସରେ ଧରାଇ ନେଇଥିଲେ। ସୁନିଲ ମଧ୍ୟ ଓଡ଼ିଶାର ସଫଳତମ (୩/୭୬) ବୋଲର ରହିଛନ୍ତି। ହର୍ଷ ଗାୱଲି କିନ୍ତୁ ନିଜ ସପ୍ତମ ମ୍ୟାଚ୍ ଓ ଦ୍ବାଦଶ ପାଳିରେ ପ୍ରଥମ ଥର ଶତକ (୧୩୭*, ୨୪୨ ବଲ୍, ୧୯ ଚୌକା) ହାସଲ କରି ବ୍ୟକ୍ତିଗତ ସ୍ମୃତି ଅର୍ଜନ କରିଛନ୍ତି।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୭୦.୨ ଓଭରରେ ୪୯୮ (ଶୁଭ୍ରାଂଶୁ ସେନାପତି-୨୭୭, ହର୍ଷିତ ରାଠୋଡ଼-୬୦*, ରାଜେଶ ଧୂପର-୫୧, ସାରାଂଶ ଜୈନ-୩/୯୦, ଭେଙ୍କଟେଶ ଆୟର-୨/୩୮, ଆର୍ଯ୍ୟନ ପାଣ୍ଡେ-୨/୮୯, କୁମାର କାର୍ତିକେୟ-୨/୧୦୯, କୁଲୱନ୍ତ ଖେଜେରୋଲିୟା-୧/୬୮)। ମଧ୍ୟପ୍ରଦେଶ ପ୍ରଥମ ପାଳି: ୮୦.୩ ଓଭରରେ ୨୪୬/୬ (ହର୍ଷ ଗାୱଲି-୧୩୭*, ସାରାଂଶ ଜୈନ-୪୦, ସୁନିଲ ରାଉଳ-୩/୭୬, ପ୍ରୟାସ ସିଂହ-୨/୫୫, ସୂର୍ଯ୍ୟକାନ୍ତ ପ୍ରଧାନ-୧/୪୬)।