ବଲାଙ୍ଗୀର: ପଶ୍ଚିମ ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିକୁ ସଦୃଢ଼ କରିବା ଓ ଖେଳାଳିଙ୍କୁ ଅଧିକ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଗେଲ୍ ଇଣ୍ଡିଆ ଲିମିଟେଡ୍‌ ସହାୟତାରେ ବଲାଙ୍ଗୀର ପୃଥୀରାଜ ହାଇସ୍କୁଲରେ ନିର୍ମିତ ଅତ୍ୟାଧୁନିକ ବିଶ୍ବସ୍ତରୀୟ ଇନ୍‌ଡୋର ଷ୍ଟାଡିୟମ ରବିବାର ଲୋକାର୍ପିତ ହୋଇଛି। କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଲୋକାର୍ପଣ କରିଛନ୍ତି। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ଏବଂ ଆବାସ ତଥା ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ।

Advertisment

ଉଦ୍‌ଘାଟନୀ କାର୍ଯ୍ୟକ୍ରମ‌ରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ପୂର୍ବମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଜିଲ୍ଲାପାଳ ଚଞ୍ଚଳ ରାଣା, ପିଆର୍‌ ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠ, ଗେଲ୍ ଇଣ୍ଡିଆ ନିର୍ଦ୍ଦେଶକ ଦୀପକ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ୯.୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମରେ ଏକ ମୁଖ୍ୟ ହଲ୍‌ ରହିଛି। ଯେଉଁଠି ଜାତୀୟସ୍ତରର ୪ଟି ବ୍ୟାଡ୍‌ମିଣ୍ଟନ କୋର୍ଟ ସହ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଏଠାରେ ଆଗକୁ ଜାତୀୟ, ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇପାରିବ ବୋଲି କୁହାଯାଇଛି।