ଗ୍ଲୋବାଲ୍‌ ଟ୍ବେଣ୍ଟି-୨୦ ଉଦ୍‌ଘାଟିତ, ଲାରା-ଆକ୍ରମଙ୍କ ସହ ଝୁମିଲେ ଯୁବି

ଅଣ୍ଟାରିଓ (କାନାଡା): ଭାରତୀୟ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ଯୁବରାଜ ସିଂହ କ୍ରିକେଟରୁ ନିଜକୁ ଦୂରେଇ ପାରୁନାହାନ୍ତି। ସେ କାନାଡାରେ ଆରମ୍ଭ ହେଉଥିବା ଗ୍ଲୋବାଲ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ବୁଧବାର ଏହି ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣ ଉଦ୍‌ଘାଟନୀ ସମାରୋହରେ ଯୁବି ରାତି ସାରା ନାଚରେ ଝୁମିଥିବାର ଦେଖିବାକୁ ମିଳିଛି। ଗତ ମାସରେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଥିବା ଯୁବରାଜ ଗ୍ଲୋବାଲ ଟ୍ବେଣ୍ଟି-୨୦ ପାଇଁ ଟରୋଣ୍ଟୋ ନ୍ୟାସ୍‌ନାଲ୍‌ ଦଳର ଅଧିନାୟକ ରହିଛନ୍ତି। ଗୁରୁବାର ରାତିରେ ଯୁବିଙ୍କ ନେତୃତ୍ବାଧୀନ ଟରୋଣ୍ଟୋ ନ୍ୟାସ୍‌ନାଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ କ୍ରିସ୍‌ ଗେଲ୍‌ଙ୍କ ନେତୃତ୍ବାଧୀନ ଭାଙ୍କୋଭର୍‌ ନାଇଟ୍‌ସ ଦଳକୁ ଭେଟିବ। ଭାଙ୍କୋଭର୍‌ ନାଇଟ୍‌ସ ପ୍ରଥମ ସଂସ୍କରଣର ବିଜେତା ଦଳ। ହେଲେ ପ୍ରଥମ ମ୍ୟାଚ୍‌ ଖେଳିବା ପୂର୍ବରୁ ଯୁବରାଜ ନାଚଗୀତରେ ନିଜର ଝଲକ୍‌ ଛାଡ଼ିଚନ୍ତି। ଯୁବରାଜ ସିଂହଙ୍କ ଭାଙ୍ଗଡ଼ା ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା। ସେ ୱେଷ୍ଟଇଣ୍ଡିଜ୍‌ କିମ୍ବଦନ୍ତୀ ବ୍ରାଏନ୍‌ ଲାରା ଏବଂ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ୍‌ ଆକ୍ରମଙ୍କ ସହ ରାତି ସାରା ନାଚରେ ଝୁମିଥିଲେ। ଏପରିକି ତାଙ୍କ ଛକା ମାରିବାର ଦକ୍ଷତାଠୁ ନାଚ ଖୁବ୍‌ ଭଲ ବୋଲି ଗ୍ଲୋବାଲ ଟ୍ବେଣ୍ଟି-୨୦ କାନାଡା ତା’ର ଅଫିସିଆଲ ଆକାଉଣ୍ଟରେ ଟ୍ବିଟ୍‌ କରିଛି। ଉଦ୍‌ଘାଟନୀ ସମାରୋହରେ ବଲିଉଡ୍‌ ତଥା ପଞ୍ଜାବୀ କଣ୍ଠଶିଳ୍ପୀ ଗୁରୁ ରାନ୍ଧୱା ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲେ। ଏହି ଅବସରରେ ଉଭୟ ଯୁବି ଓ ଗେଲ୍‌ ଥଟାମଜାରେ ମଜି ଯାଇଥିଲେ। ଗେଲ୍‌ କହିଥିଲେ, ଯୁବରାଜ ବ୍ୟାଟିଂ ପାଇଁ ଆସିବା ବେଳେ ମୁଁ ତାଙ୍କୁ ବୋଲିଂ କରିବି। ତେବେ ମୁଁ କି ଗେଲ୍‌ କେହି ବି ବୋଲିଂ କରିବୁ ନାହିଁ ବୋଲି ଯୁବରାଜ କହିଥିଲେ।

ସମ୍ବନ୍ଧିତ ଖବର