‘ଭାରତୀୟ ଦଳରେ ସ୍ଥାନ ପାଇଲା ବେଳେ ଭୋ ଭୋ କାନ୍ଦିଥିଲି ଗ୍ଲୋରିଆ’

ପରିବାର ସହ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ଗ୍ଲୋରିଆ ଡୁଙ୍ଗ୍‌ଡୁଙ୍ଗ୍‌

ଭାଇମାନଙ୍କୁ ଖେଳୁଥିବାର ଦେଖି ଦେଖି କେତେ ବେଳେ ଯେ ହକି ପ୍ରେମରେ ପଡ଼ିଯାଇଥିଲେ, ତାହା ଜାଣି ପାରି ନଥିଲେ ସେ। ସେଥିପାଇଁ ମାତ୍ର ୪ ବର୍ଷ ବୟସରେ କ୍ରୀଡ଼ା ଛାତ୍ରାବାସରେ ଯୋଗ ଦେଇଥିଲେ। ହେଲେ ସାଜ ସରଞ୍ଜାମ ଅଭାବ ସହ ଅଜଣା ଖେଳ ହକିକୁ ପେସା କରିବା କେତେ ଯେ କଷ୍ଟ ଥିଲା, ତାହା ସେଠାରେ ହିଁ ସେ ଜାଣିଥିଲେ। ତଥାପି ଖେଳିବା ଛାଡ଼ି ନଥିଲେ। ପିଲା ଅଭାବରୁ ଯେତେବେଳେ ପାନପୋଷ କ୍ରୀଡ଼ା ଛାତ୍ରାବାସର ମହିଳା ହକି ବିଭାଗ ବନ୍ଦ ହେବା ଦ୍ବାର ଦେଶରେ ଥିଲା ସେତେବେଳେ ଗ୍ଲୋରିଆ ଘରେ ଘରେ ବୁଲି ପିଲା ଯୋଗାଡ଼ କରିଥିଲେ। ଜାତୀୟ ବରିଷ୍ଠ ହକିରେ ଓଡ଼ିଶାର ପ୍ରତିନିଧିତ୍ବ କରିବା ସହ ପ୍ରଥମ ଓଡ଼ିଆ ଭାବେ ଅନ୍ତର୍ଜାତୀୟ ମହିଳା ହକି ଖେଳିଥିଲେ ସେ। ଗ୍ଲୋରିଆଙ୍କ ସଫଳତାକୁ ଆଦର୍ଶ କରି ପରବର୍ତୀ ସମୟରେ ଓଡ଼ିଶାରୁ ସୃଷ୍ଟି ହୋଇଥିଲେ ଅନେକ ଅନ୍ତର୍ଜାତୀୟ ମହିଳା ହକି ତାରକା। ଓଡ଼ିଶାରେ ହକି ବିଶ୍ବକପ୍ ଆୟୋଜନ ଏବଂ ଏବେ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଅନ୍ତର୍ଜାତୀୟ ମହିଳା ହକି ମ୍ୟାଚ୍ ଖେଳାଯିବାକୁ ନେଇ ସବୁଠାରୁ ବେଶୀ ଉଲ୍ଲସିତ ଅଛନ୍ତି ଗ୍ଲୋରିଆ। ଶୁକ୍ରବାରର ଆମେରିକା ବିପକ୍ଷ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ହାର୍ଦିକ ଶୁଭେଚ୍ଛା ଜଣାଇଛନ୍ତି ଗ୍ଲୋରିଆ। କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମହିଳା ହକିର ପ୍ରତୀକ୍ଷିତ ପଦାର୍ପଣ ପୂର୍ବରୁ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମହିଳା ହକି ତାରକା ଗ୍ଲୋରିଆ ଡୁଙ୍ଗ୍‌ଡୁଙ୍ଗ୍‌ ‘ସମ୍ବାଦ’କୁ ଦେଇଛନ୍ତି ସ୍ବତନ୍ତ୍ର ସାକ୍ଷାତକାର।

ପ୍ରଶ୍ନ: ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ଭାରତୀୟ ଦଳରେ ସ୍ଥାନ ପାଇବା ପର୍ଯ୍ୟନ୍ତ, ଆପଣଙ୍କ ହକି ଅଭିଯାନ କେତେ ସଂଘର୍ଷପୂର୍ଣ୍ଣ ଥିଲା?
ଗ୍ଲୋରିଆ: ଆମେ ବହୁତ କଷ୍ଟ କରିଛୁ। ସଂଘର୍ଷ କରି ଆଗକୁ ବଢ଼ିଛୁ। ଅଭୟ ପଟ୍ଟନାୟକଙ୍କ ପ୍ରେରଣାରେ ମୁଁ ହକିକୁ ଆସିଥିଲି। ହକି ସେତେବେଳେ ଏତେ ଲୋକପ୍ରିୟ ନଥିଲା। ମୁଁ କେବେ ଭାରତ ପକ୍ଷରୁ ଖେଳିବି ବୋଲି ସ୍ବପ୍ନରେ ଭାବି ନଥିଲି। ସେତେବେଳେ ଆମ ଛାତ୍ରବାସରେ ପିଲା ହେଉ ନଥିଲେ। ତଥାପି ବହୁତ ପରିଶ୍ରମ କରି ଆମେ ତିନି ଚାରି ଜଣ ପିଲା ଭାରତୀୟ ଦଳର ଚୟନ ଶିବିରରେ ସ୍ଥାନ ପାଇଥିଲୁ। ସେତେବେଳେ ମୁଁ[ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲି। ଚୟନ ଶିବିରରେ ବହୁତ ଭଲ ଭଲ ‌ଖେଳାଳି ଥିଲେ। ଏଣୁ ଆମେ ‌କେହି ଭାରତୀୟ ଦଳରେ ସ୍ଥାନ ପାଇବୁ ନାହିଁ ବୋଲି ଭାବିଥିଲୁ। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ମୋ‌ତେ ଛାଡ଼ି ଅନ୍ୟ ସମସ୍ତଙ୍କୁ ଚୟନକର୍ତା ଘରକୁ ଯିବାକୁ କହିଥିଲେ। ସେତେବେଳେ ମୁଁ ବହୁତ କାନ୍ଦିଥିଲି। ସାଙ୍ଗମାନେ ମୋତେ ଛାଡ଼ି ଚାଲି ଯାଉଥିବାରୁ ବହୁତ ଦୁଃଖରେ ଥିଲି। ମୋ ନାଁ ଯେତେବେଳେ ଭାରତୀୟ ଦଳରେ ଘୋଷଣା ହେଲା ବହୁତ ଖୁସି ଲାଗିଥିଲା। ପ୍ରଥମେ ମୁଁ କନିଷ୍ଠ ଦଳରେ ଥିଲି। ତା’ ପରେ ବରି‌ଷ୍ଠ ଦଳକୁ ଯାଇଥିଲି। ୧୯୯୨-୯୩ରେ ମୁଁ କୋରିଆ, ଚୀନ ଓ କାଜାକସ୍ଥାନରେ ଅନେକ ଦ୍ବିପାକ୍ଷିକ ହକି ଶୃଙ୍ଖଳା ଖେଳିଛି। ମୁଁ ମଧ୍ୟ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇଛି।

ପ୍ରଶ୍ନ: ଭାରତୀୟ ଦଳରେ ସ୍ଥାନ ପାଇବା ପରେ ଓଡ଼ିଶା ହକିରେ ଏହାର ପ୍ରଭାବ କିଭଳି ପଡ଼ିଥିଲା?
ଗ୍ଲୋରିଆ: ମୁଁ ‌ଯେ‌ତେବେଳେ ବରିଷ୍ଠ ଭାରତୀୟ ଦଳରେ ସ୍ଥାନ ପାଇଥିଲି ଖବରକାଗଜରେ ନାଁ ଆସିଥିଲା। ଫଟୋ ବି ପ୍ରକାଶ ପାଇଥିଲା। ସେ‌ତେବେଳେ ମୋତେ ବହୁତ ଖୁସି ଲାଗିଥିଲା। ମୋ ପଛେ ପଛେ ଜ୍ୟୋତି ସୁନିତା କୁଲ୍ଲୁ ବି ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଆମେ ପୂରା ଷ୍ଟାର ପାଲଟି ଯାଇଥିଲୁ। ଆମକୁ ଦେଖି ପାନପୋଷ କ୍ରୀଡ଼ା ଛାତ୍ରାବାସରେ ମହିଳା ହକି ଖେଳାଳିଙ୍କ ସଂଖ୍ୟା ଯାଥେଷ୍ଟ ବଢ଼ି ଯାଇଥିଲା। ମୋ ସମୟରେ ଛାତ୍ରାବାସରେ ଯେତେ‌ ଝିଅ ଥିଲେ ଅଧିକାଂଶ ଅନ୍ତର୍ଜାତୀୟ ହକି ଖେଳିଛନ୍ତି।

ପ୍ରଶ୍ନ: ଗତ ଏକ ଦଶନ୍ଧି ମଧ୍ୟରେ ହକିର ନୀତି ନିୟମ ସହ ଖେଳ ପରିବେଶରେ ଅନେକ ପରିବର୍ତନ ହୋଇଛି। ଏହି ବିଷୟରେ କ’ଣ କହିବେ?
ଗ୍ଲୋରିଆ: ହଁ, ଆମ ବେଳେ ହକି ନିୟମ ଭିନ୍ନ ଥିଲା। ଏବେ ଅନେକ କିଛି ବଦଳିଛି। ଯେ କୌଣସି ପ୍ରକାର ପରିବର୍ତନ ହକିର ଭବିଷ୍ୟତ ପାଇଁ ଭଲ। ମୁଁ ଏହାକୁ ସ୍ବାଗତ କରୁଛି। ଏଥିପାଇଁ ହକି ଅଧିକ ରୋମାଞ୍ଚଭରା ଏବଂ ଉତ୍କଣ୍ଠାପୂର୍ଣ୍ଣ ହୋଇଛି। ହେଲେ ଆମ ବେଳେ ଥିବା ହକି କଳା କୌଶଳ ଏବେ ଦେଖିବାକୁ ମିଳୁନି ବୋଲି କହି ପାରିବି।

ପ୍ରଶ୍ନ: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମହିଳା ହକି ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି, ଏନେଇ ଆପଣ କେତେ ଉଲ୍ଲସିତ ଅଛନ୍ତି?
ଗ୍ଳୋରିଆ: କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ୍ ଦେଖିବାକୁ ମୁଁ ଯାଇଥିଲି। ବହୁତ ଭଲ ଆୟୋଜନ ଥିଲା। ଏବେ ମହିଳା ହକିର ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଖେଳାଯିବ। ଏଥିନେଇ ବ୍ୟକ୍ତିଗତ ଭାବେ ମୁଁ ବହୁତ ଖୁସି ଅଛି। ଆମ ବେଳେ ଓଡ଼ିଶାରେ ଏଭଳି ସୁବିଧା ସୁଯୋଗ ନଥିଲା। ଆମକୁ ବହୁତ କଷ୍ଟ କରିବାକୁ ପଡ଼ୁଥିଲା। ଏବେ ଭାରତୀୟ ଦଳରେ ୩ ଜଣ ଖେଳାଳି ଲିଲିମା ମିଞ୍ଜ, ନମିତା ଟପ୍ପୋ ଓ ଦୀପଗ୍ରେସ୍ ଏକ୍କା ଅଛନ୍ତି। ଓଡ଼ିଶା ହକି ପାଇଁ ଏହା ଏକ ନୂଆ ଆରମ୍ଭ ହେବ। ଏହି ତିନି ଜଣ ଖେଳାଳି ମଧ୍ୟ ଘରୋଇ ପରିବେଶରେ ଖେଳିବାର ନୂଆ ଅଭିଜ୍ଞତା ପାଇବେ। ଏହି ପ୍ରତିଯୋଗିତା ପରେ ଓଡ଼ିଶାରେ ମହିଳା ହକିର ଲୋକପ୍ରିୟତା ନିଶ୍ଚିତ ଭାବେ ବଢ଼ିବ ବୋଲି ଭାବୁଛି।

ପ୍ରଶ୍ନ: ଓଡ଼ିଶାର ସାଂପ୍ରତିକ ହକି ଭିତ୍ତିଭୂମିକୁ ନେଇ ଆପଣଙ୍କ ମତ କଣ?
ଗ୍ଲୋରିଆ: ଓଡ଼ିଶାର ହକି ଭିତ୍ତିଭୂମି ଅନ୍ତର୍ଜାତୀୟ ସ୍ତରର। ସାମଗ୍ରିକ ଭାବେ ଏହା ଓଡ଼ିଶା ହକି ପାଇଁ ବହୁତ ଭଲକଥା। ଭାରତୀୟ ହକି ମଧ୍ୟ ଏଥିରୁ ଉପକୃତ ହେବ। ହକି ପାଇଁ ଓଡ଼ିଶା ସରକାର ଏବେ ଯେଭଳି ପଦ‌େକ୍ଷେପ ନେଉଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ ଓ ସ୍ବାଗତଯୋଗ୍ୟ।

ପ୍ରଶ୍ନ: ଓଡ଼ିଶା ଖେଳାଳିଙ୍କ ପ୍ରଦର୍ଶନ ନେଇ ଆପଣଙ୍କ ମତ କ’ଣ?
ଗ୍ଲୋରିଆ: ସମସ୍ତେ ବହୁତ ଭଲ କରୁଛନ୍ତି। ସେମାନଙ୍କ ପାଇଁ ମୁଁ ବହୁତ ଖୁସି। ଯେତେ ବେଳେ ବି ଓଡ଼ିଶାରୁ କୌଣସି ଖେଳାଳି ପଞ୍ଜାବ ଆସନ୍ତି, ମୋତେ ସାକ୍ଷାତ କରିବାକୁ ଭୁଲନ୍ତି ନାହିଁ। ସେମାନଙ୍କୁ ନେଇ ମୁଁ ବହୁତ ଗର୍ବିତ। ଅମିତ ରୋହି ଦାସ, ଅମ୍ପାୟାର ନିଶାନଜ୍ୟୋତି ମହାନ୍ତି ପ୍ରମୁଖ ମୋ ସହ ବରାବର ସଂପର୍କ ରଖିଛନ୍ତି।

ପ୍ରଶ୍ନ: ଆପଣ ଜଣେ ହକି ଖେଳାଳିଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି? ଓଡ଼ିଶା ହକି ପାଇଁ ଆଗକୁ କିଛି କରିବାକୁ ଯୋଜନା ରଖିଛନ୍ତି କି?
ଗ୍ଲୋରିଆ: ମୁଁ ଏବେ କପୁରଥଲାର ରେଲ୍ କୋଚ୍ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଛି। ମୋ ସ୍ବାମୀ ରାଜେନ୍ଦ୍ର କୁମାର ବାଗେ ମଧ୍ୟ ଜଣେ ହକି ଖେଳାଳି। ସେ ଦିଲ୍ଲୀପ ତିର୍କିଙ୍କ ସମସାମୟିକ। ଓଡ଼ିଶାରେ କିଛି କରିବାକୁ ଇଚ୍ଛା ଅଛି। ହେଲେ ଆମକୁ କିଏ ଡାକୁଛି ଆଜ୍ଞା। ଆମ ମାନଙ୍କ ପାଇଁ ଓଡ଼ିଶା ହକି ଏତେ ଆଗକୁ ଯାଇଛି। ମୁଁ ବିଶ୍ବକପ୍ ବେଳେ ଭୁବନେଶ୍ବର ଯାଇଥିଲି। ହେଲେ ଦୁଃଖର ସହ କହିବି, ଆମକୁ ସେଠାରେ କେହି ପଚାରି ନଥିଲେ। ଏବେ ତ ଆମେ ହକି ଛାଡ଼ି ଦେଲୁଣି। କେବେ କେବେ ବିଭାଗୀୟ ପ୍ରତିଯୋଗିତାରେ ଯାହା ଖେଳୁଛୁ। ଅବସର ପରେ ଯାଇ ପ୍ରଶିକ୍ଷଣ କିମ୍ବା ଅନ୍ୟାନ୍ୟ କଥା‌ ଚିନ୍ତା କରିବୁ।

ସମ୍ବନ୍ଧିତ ଖବର