ଚେନ୍ନାଇ ସିଟିକୁ ସଫା କରି ଫାଇନାଲରେ ଗୋଆ

ଭୁବନେଶ୍ବର: ପ୍ରଥମ ସେମିଫାଇନାଲରେ ଚେନ୍ନାଇ ସିଟିକୁ ୩-୦ ଗୋଲ୍‌ରେ ପରାସ୍ତ କରି ଆଇଏସ୍‌ଏଲ୍‌ ଉପବିଜେତା ଗୋଆ ଏଫ୍‌ସି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସୁପରକପ୍‌ ଫୁଟବଲ୍‌ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଗୋଆ ପ୍ରଥମାର୍ଧରେ ଦୁଇଟି ଏବ˚ ଦ୍ବିତୀୟାର୍ଧରେ ଗୋଟିଏ ଗୋଲ୍‌ ଦେଇ ଫାଇନାଲ୍‌ ଟିକେଟ୍‌ ହାସଲ କରି ନେଇଥିଲା। ଅନ୍ୟପକ୍ଷରେ ଆଇଲିଗ୍‌ ବିଜେତା ଚେନ୍ନାଇ ସିଟି ଗୋଆର ଶକ୍ତିଶାଳୀ ରକ୍ଷଣଭାଗକୁ ଭେଦ କରି ନପାରି ଏକତରଫା ପରାଜୟ ବରଣ କରିବା ସହ ବିଦାୟ ନେଇଥିଲା। ୭ ଆଇଲିଗ୍‌ ଦଳ ଶେଷ ମୁହୂର୍ତରେ ଓହରିଯିବା ପରେ ପୂର୍ବ ଚମକ ହରାଇଥିବା ଏହି ପ୍ରତିଯୋଗିତାର ଦ୍ବିତୀୟ ସେମିଫାଇନାଲ୍‌ ବୁଧବାର ଏଟିକେ ଏବ˚ ଚେନ୍ନାଇନ୍‌ ମଧୢରେ ଖେଳାଯିବ। ଦୁଇ ଦିନର ବିଶ୍ରାମ ପରେ ଫାଇନାଲ୍‌ ଶନିବାର ରାତିରେ ଅନୁଷ୍ଠିତ ହେବ।
ମଙ୍ଗଳବାରର ପ୍ରଥମ ସେମିଫାଇନାଲରେ ଉଭୟ ଦଳ ଆରମ୍ଭରୁ ପରସ୍ପରକୁ ଆକ୍ରମଣ କରିଥିଲେ। ଦୁଇ ଦଳର ଖେଳାଳି ଶାରୀରିକ ସ୍ପର୍ଶ ସହ ମଝିରେ ମଝିରେ ଠେଲା ପେଲା ହେବାକୁ ପଛାଇ ନଥିଲେ। ସେଥିପାଇଁ ପ୍ରଥମ ୨୦ ମିନିଟ୍‌ ଖେଳ ବେଶ୍‌ ଉଷ୍ମତା ଭରା ରହିଥିଲା। ଷୋଡ଼ଶ ମିନିଟରେ ଅଜିତକୁମାର କାମରାଜଙ୍କୁ ଫାଉଲ୍‌ ମାରି ଗୋଆର ସେରିଟନ୍‌ ବେନି ପ୍ରଥମ ହଳଦିଆ କାର୍ଡ ପାଇଥିଲେ। ତେବେ ଲଗାତାର ଚାପ ସୃଷ୍ଟି କରିବାର ଲାଭ ଗୋଆକୁ ତୁରନ୍ତ ମିଳି ଯାଇଥିଲା। ୨୫ ମିନିଟରେ ଚେନ୍ନାଇ ମଧୢଭାଗ ଖେଳାଳି ଚାର୍ଲସ ଆନନ୍ଦରାଜ ଲୌରଡୁସ୍ବାମୀ ଗୋଆର ଅଗ୍ରଭାଗ ଖେଳାଳି ତଥା ସ୍ପେନୀୟ ଅଧିନାୟକ ଫେରାନ କରୋମିନାସଙ୍କୁ ବକ୍ସ ଭିତରେ ଭିଡ଼ି ତଳେ ପକାଇ ଦେଇଥିଲେ। ଫଳରେ ଗୋଆ ମ୍ୟାଚ୍‌ର ପ୍ରଥମ ପେନାଲ୍ଟି ଅର୍ଜନ କରିଥିଲା। ଯାହାକୁ ସଫଳତାର ସହ ଗୋଲ୍‌ ପୋଷ୍ଟ୍‌ ଭିତରେ ପୂରାଇ କରୋମିନାସ (୨୬ ମିନିଟ୍‌) ଗୋଆକୁ ଆଗୁଆ କରି ଦେଇଥିଲେ। ୯ ମିନିଟ୍‌ ପରେ ଗୋଆ ପୁଣି ଥରେ ସଫଳତାର ସ୍ବାଦ ଚାଖିଥିଲା। ଏଥର ଚେନ୍ନାଇର ରକ୍ଷଣଭାଗକୁ ଚତୁରତାର ସହ ଭେଦ କରି କରୋମିନାସ (୩୫ ମିନିଟ୍‌) ଏକ ସୁନ୍ଦର ଫିଲ୍ଡ ଗୋଲ୍‌ ଦେବାକୁ ସକ୍ଷମ ହୋଇଥିଲେ। ଯାହା ମ୍ୟାଚ୍‌ ଏବ˚ ବ୍ୟକ୍ତିଗତ ଭାବେ ତାଙ୍କର ଦ୍ବିତୀୟ ଗୋଲ୍‌ ହୋଇଥିଲା। ୩୫ ମିନିଟ୍‌ ଭିତରେ ୨-୦ରେ ଆଗୁଆ ହୋଇ ଗୋଆ ମ୍ୟାଚ୍‌କୁ ଏକପ୍ରକାର ନିଜ କବଜାକୁ ନେଇ ଯାଇଥିଲା। ଚେନ୍ନାଇ କେତେକ ଭଲ ସୁଯୋଗ ହାତଛଡ଼ା କରିବା ପରେ ପ୍ରଥମାର୍ଧ ସେହି ୨-୦ରେ ଗୋଆ ସପକ୍ଷରେ ରହିଥିଲା। ଦ୍ବିତୀୟାର୍ଧରେ ଚେନ୍ନାଇ ସିଟି ରଣନୀତି ବଦଳାଇ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ଗୋଆ ଚାପ କମିବାକୁ ଦେଇ ନଥିଲା। ବର˚ ୬୯ ମିନିଟ୍‌ରେ ଏହି ଦଳର ୧୦ ନମ୍ବର ଖେଳାଳି ବ୍ରାଣ୍ତନ୍‌ ଫର୍ନାଣ୍ତିସ୍‌ ଆଉ ଏକ ଫିଲ୍ଡ ଗୋଲ୍‌ ଦେଇ ଗୋଆକୁ ୩-୦ରେ ଆଗୁଆ କରି ଦେଇଥିଲେ। ଶେଷ ୨୧ ମିନିଟ୍‌ ସହ ଆହତ ସମୟରେ ଚେନ୍ନାଇ ତା ଗୋଲ୍‌ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା। ଫଳରେ ୩-୦ର ବଡ଼ ବ୍ୟବଧାନରେ ବିଜୟୀ ହୋଇ ଗୋଆ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ଗୋଆର ରକ୍ଷଣଭାଗ ଖେଳାଳି ସାଭିୟର ଗାମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର