ଭୁବନେଶ୍ବର: ଜାମସେଦପୁର ଏଫ୍‌ସିକୁ ୩-୦ ଗୋଲ୍‌ରେ ପରାସ୍ତ କରି ଏଫ୍‌ସି ଗୋଆ ସ୍ଥାନୀୟ କଳିଙ୍ଗ ‌ଷ୍ଟାଡିୟମ୍‌ରେ ଆୟୋଜିତ ‘କଳିଙ୍ଗ ସୁପରକପ୍’ ଫୁଟ୍‌ବଲ୍ ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଛି। ଜାମସେଦପୁର ବିପକ୍ଷରେ ନିଜ ଆଇଏସ୍‌ଏଲ୍ ସଫଳତାକୁ ଜାରି ରଖି ଗୋଆ ଏଫ୍‌ସି ଶନିବାର ଫାଇନାଲ୍‌କୁ ଏକତରଫା ଭାବେ ଜିତି ନେଇଥିଲା। ପ୍ରଥମ ୨୨ ମିନିଟ୍‌ରେ ଉଭୟ ଦଳ ପରସ୍ପରର ବଳ କଷାକଷି ହେବା ପରେ ମ୍ୟାଚ୍‌ର ପ୍ରଥମ ଗୋଲ୍ ୨୩ତମ ମିନିଟ୍‌ରେ ଦେଖିବାକୁ ମିଳିଥିଲା। ଏହି ଗତିରୋଧକୁ ଦୂର କରି ହେରେରା ଗୋଞ୍ଜାଲେଜ୍ଏକ ଚମତ୍କାର ଫିଲ୍‌ଡ ଗୋଲ୍ ଦେଇ  ଏଫ୍‌ସି  ଗୋଆକୁ ଆଗୁଆ କରି ଦେଇଥିଲେ। ପ୍ରଥମାର୍ଦ୍ଧ ମଧ୍ୟ ସେହି ସ୍କୋର୍ ଲାଇନରେ୍‌ ଶେଷ ହୋଇଥିଲା। ପୁଣି ଦ୍ବିତୀୟାର୍ଦ୍ଧରେ ଜାମସେଦପୁର ଏଫ୍‌ସି ଉପରେ ଆଉ ଦୁଇଟି ଗୋଲ୍ ଲଦି ଏଫ୍‌ସି ଗୋଆ ମ୍ୟାଚ୍ ସହ ଟ୍ରଫି ଜିତି ନେଇଥିଲା। ଗୋଞ୍ଜାଲେଜ୍ ୫୧ ମିନିଟ୍‌ରେ ବ୍ୟକ୍ତିଗତ ଭାବେ ଓ ମ୍ୟାଚ୍‌ର ଦ୍ବିତୀୟ ଗୋଲ୍‌ ଦେବା ପରେ ଦିଜାନ ଡ୍ରାଜିକ୍ ୭୨ ମିନିଟ୍‌ରେ ଆଉ ଏକ ଗୋଲ୍‌ ଦେଇ ଜାମସେଦପୁର ଏଫ୍‌ସିକୁ ଫେରିବାର କୌଣସି ସୁଯୋଗ ଦେଇ ନଥିଲେ। ତା’ସହିତ ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍-୨ର ଯୋଗ୍ୟତା ପର୍ଯ୍ୟାୟ ଲାଗି ଟିକେଟ ହାସଲ କରି ନେଇଥିଲା। 

Advertisment

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍‌ଏଫ୍) ସଭାପତି କଲ୍ୟାଣ ଚୌବେ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ସଭାପତି ତଥା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଏଆଇଏଫ୍‌  କାର୍ଯ୍ୟକାରିଣୀ ସଦସ୍ୟ ମେନଲା ଏଥେନପା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚୟ ହେବା ସହ ସେମାନଙ୍କୁ ଶୁଭକାମନା ଜ୍ଞାପନ କରିଥିଲେ।