ବିର୍ସା ମୁଣ୍ଡାରେ ଗୋଲ୍‌ ବର୍ଷା: ବିଶ୍ବ ବିଜେତା ଜର୍ମାନୀକୁ ପୁଣି ହରାଇଲା ଭାରତ

ଜର୍ମାନୀ ବିପକ୍ଷରେ ଭାରତର ଦ୍ବିତୀୟ ସର୍ବବୃହତ ବିଜୟ

ରାଉରକେଲା: ବିଶ୍ବବିଜେତା ଜର୍ମାନୀ ବିପକ୍ଷରେ ସୋମବାର ଭାରତ ଗୋଲ୍‌ ବର୍ଷା କରିବା ସହ ବୃହତ୍‌ ବିଜୟ ହାସଲ କରିଛି। ଭାରତୀୟ ଖେଳାଳିଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ବଳରେ ଦଳ ୬-୩ ଗୋଲ୍‌ରେ ଜର୍ମାନୀକୁ ପରାସ୍ତ କରିଛି। ଏଥି ସହ ଚଳିତ ଚରଣ ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି। ମାତ୍ର ଦେଢ଼ ମାସ ତଳେ ଭୁବନେଶ୍ବରରେ ବିଶ୍ବ ବିଜେତା ହୋଇଥିବା ଜର୍ମାନିକୁ ଭାରତ ଏଥର ଲଗାତାର ଭାବେ ହରାଇ ଯୁଗଳ ସଫଳତା ଅର୍ଜନ କରିଛି। ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ସୋମବାର ୯ଟି ଗୋଲ୍‌ ଦେଖିବାକୁ ମିଳିଥିଲା। ପ୍ରକାଶଥାଉକି, ଜର୍ମାନୀ ବିପକ୍ଷରେ ଏହା ଥିଲା ଭାରତର ଦ୍ବିତୀୟ ସବର୍ବୃହତ (୬-୩) ବିଜୟ। ଭାରତ ୧୯୩୬ ମସିହା ଅଗଷ୍ଟ ୭ ତାରିଖରେ ଅନୁଷ୍ଠିତ ଅଲିମ୍ପିକ୍ସରେ ଜର୍ମାନୀକୁ ୮-୧ ଗୋଲରେ ପରାସ୍ତ କରିଥିଲା। ଏହି ବିରାଟ ବିଜୟ ରେକର୍ଡ ଅତୁଟ ରହିଛି।

ସୋମବାର ମ୍ୟାଚ୍‌ ଆରମ୍ଭରୁ ଜର୍ମାନୀ ଦଳ ଆକ୍ରମଣ ଆରମ୍ଭ କରିଥିଲା। ଭାରତୀୟ ଦଳ ସଫଳ ମୁକାବିଲା କରିଥିଲେ ମଧ୍ୟ ମ୍ୟାଚ୍‌ର ତୃତୀୟ ମିନିଟରେ ଜର୍ମାନୀର ଯୋଶୁଆ ଗ୍ରାମ୍‌ବସ୍କ ଗୋଟିଏ ଗୋଲ୍‌ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଭାରତ ଦ୍ବିତୀୟ କ୍ବାର୍ଟରରେ ସଫଳ ପ୍ରତ୍ୟାବର୍ତ୍ତନ ସହ ୪ଟି ଗୋଲ୍‌ ଲଦି ଦେଇଥିଲା। ୨୧ତମ ମିନିଟ୍‌ରେ ଯୁଗରାଜ ସିଂହ ଏକ ପେନାଲଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଦଳ ପାଇଁ ପ୍ରଥମ ଗୋଲ୍‌ ଦେଇଥିଲେ। ଏହାପରେ ଅଭିଷେକ (୨୨ ମିନିଟ୍‌), କାର୍ତ୍ତି (୨୪ ମିନିଟ୍‌) ଓ ହର୍ମନପ୍ରୀତ ସିଂହ (୨୬ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ୨୩ ତମ ମିନିଟ୍‌ରେ ଜର୍ମାନୀର ଗଞ୍ଜାଲୋ ପିଲେଟ୍‌ ଗୋଟିଏ ଗୋଲ୍‌ ଦେବାରୁ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ସ୍କୋର୍‌ ୪-୨ରେ ପହଞ୍ଚିଥିଲା।

ତୃତୀୟ କ୍ବାର୍ଟର ଆରମ୍ଭ ହେବାର ଗୋଟିଏ ମିନିଟ୍‌ ପରେ ଜର୍ମାନୀର ହେଲିୱିଗ୍‌ ଗୋଟିଏ ଗୋଲ ଦେଇ ଗୋଲ୍‌ ବ୍ୟବଧାନ ହ୍ରାସ କରିଥିଲେ। ଏହାପରେ କିନ୍ତୁ ଭାରତୀୟ ଖେଳାଳି ଆକ୍ରମଣକୁ ବ୍ୟାପକ କରିଥିଲେ। କାର୍ତ୍ତି (୪୬ ମିନିଟ୍‌) ଓ ଅଭିଷେକ (୫୧ ମିନିଟ୍‌)ଙ୍କ ଆଉ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ବ୍ୟବଧାନକୁ ୬-୩ କରିଥିଲେ। ମ୍ୟାଚ୍‌କୁ ଫେରିବାକୁ ଜର୍ମାନୀ ପ୍ରୟାସ କରିଥିଲା; କିନ୍ତୁ ସବୁ ଉଦ୍ୟମ ବିଫଳ ଯାଇଥିଲା। ଭାରତ ୪ ଓ ଜର୍ମାନୀ ୬ ପେନାଲ୍‌ଟି କର୍ଣ୍ଣର୍‌ ସୁଯୋଗ ପାଇଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି କାର୍ତ୍ତି ସେଲଭମ୍‌ଙ୍କୁ ଅତିଥି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପୁରସ୍କାର ପ୍ରଦାନ କରିଥିଲେ। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ବୁଧବାର ଅଷ୍ଟ୍ରେଲିଆକୁ ଭେଟିବ।

ଆଜି ଜର୍ମାନୀ-ଅଷ୍ଟ୍ରେଲିଆ
ବିର୍ସା ମୁଣ୍ଡା ଷ୍ଟାଡିୟମରେ ମଙ୍ଗଳବାର ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଏଯାବତ୍‌ ଚଳିତ ପ୍ରୋ-ଲିଗ୍‌ର ରାଉରକେଲା ସଂସ୍କରଣରେ ବିଜୟର ସ୍ବାଦ ଚାଖିପାରିନଥିବା ଅଷ୍ଟ୍ରେଲିଆ ଦଳ ମଙ୍ଗଳବାର ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିବ। ବିଶ୍ବବିଜେତା ଜର୍ମାନୀ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଜିତି ନେଇଥିବାରୁ ମନୋବଳ ଉଚ୍ଚରେ ରଖିଛି। ଅଷ୍ଟ୍ରେଲିଆ ତା’ର ଭାରତ ବିପକ୍ଷ ଶେଷ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲା। ଏଣୁ ଏହି ମ୍ୟାଚ୍‌ରେ ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବା ଆଶା କରାଯାଉଛି।

ସମ୍ବନ୍ଧିତ ଖବର