ଜୋହର ବାହରୁ (ମାଲେସିଆ): ମାଲେସିଆରେ ଚାଲିଥିବା ସୁଲ୍ତାନ ଜୋହର୍ କପ୍ ହକି ପ୍ରତିଯୋଗିତାରେ ଭାରତୀୟ ଯୁବ ଦଳ ବୁଧବାର ଆମେରିକା ବିପକ୍ଷରେ ଗୋଲ୍ ବର୍ଷା କରିଦେଇଛି। ଏହି ମ୍ୟାଚ୍ରେ ଭାରତ ୨୨-୦ ଗୋଲ୍ରେ ଆମେରିକାକୁ ପରାସ୍ତ କରିଛି। ପ୍ରଥମ ଦୁଇ ମ୍ୟାଚ୍ରେ ଜାପାନ୍କୁ ୩-୨ ଓ ଆୟୋଜକ ମାଲେସିଆକୁ ୨-୧ ଗୋଲ୍ରେ ହରାଇଥିବା ଭାରତ ଏଥି ସହିତ ଏହି ଷଡ଼ରାଷ୍ଟ୍ରୀୟ ପ୍ରତିଯୋଗିିିତାରେ ହ୍ୟାଟ୍ରିକ୍ (କ୍ରମାଗତ ତୃତୀୟ) ବିଜୟ ସହ ପଏଣ୍ଟ୍ ତାଲିକାର ଶୀର୍ଷରେ ପହଞ୍ଚିିଯାଇଛି।
ବୁଧବାର ଜୋହର ବାହୁରସ୍ଥିତ ତାମନ୍ ଦାୟା ହକି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ର ଦ୍ୱିତୀୟ ମିନିଟ୍ରୁ ହିଁ ଭାରତ ଗୋଲ୍ ଅଭିଯାନ ଆରମ୍ଭ କରିଥିଲା। ଓଡ଼ିଆ ତାରକା ପ୍ରତାପ ଲାକ୍ରା ଦଳ ପାଇଁ ଗୋଲ୍ ଶୁଭରାମ୍ଭ କରିଥିଲେ। ଏହାପରେ ଭାରତ ଲଗାତାର ଭାବେ ଗୋଲ୍ ଦେଇ ପ୍ରଥମ କ୍ୱାର୍ଟର୍ରେ ୪-୦ରେ ଆଗୁଆ ହୋଇ ଯାଇଥିଲା। ଦ୍ୱିତୀୟ କ୍ୱାର୍ଟର୍ରେ ଆଉ ୪ ଗୋଲ୍ ଦେଇ ପ୍ରଥମାର୍ଧ ସୁଦ୍ଧା ସ୍ଥିତି ୮-୦ କରିିଥିଲା। ଏହାପରେ ତୃତୀୟ କ୍ୱାର୍ଟର୍ରେ ଭାରତୀୟ ଖେଳାଳି ୯ ଗୋଲ୍ ଦେଇ ସ୍ଥିତି ୧୭-୦ରେ ପହଞ୍ଚାଇଥିଲା ବେଳେ ଚତିୁର୍ଥ ତଥା ଶେଷ କ୍ୱାର୍ଟର୍ରେ ଆଉ ୫ ଗୋଲ୍ ଲଦିଦେଇ ଭାରତ ବୃହତ୍ ବ୍ୟବଧାନର ବିଜୟ ପାଇଥିଲା। ୨ ମିନିଟ୍ରୁ ୫୯ ମିନିଟ୍ ମଧ୍ୟରେ ଭାରତ ପକ୍ଷରୁ ମୋଟ ୧୦ ଜଣ ଗୋଲ୍ ବର୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ହରମନଜିତ ସିଂହ (୫) ସବୁଠୁ ଅଧିକ ଗୋଲ୍ କରିଥିଲା ବେଳେ ଅଭିଷେକ, ଦିଲପ୍ରୀତ୍ ସିଂହ ଓ ବିଶାଲ ଅନ୍ତିଲ ହ୍ୟାଟ୍ରିକ୍ (ଲଗାତାର ୩ ଲେଖାଏଁ ଗୋଲ୍) ଅର୍ଜନ କରିଥିଲେ। ଅଭିଷେକ ଏକାକି ୪ ଗୋଲ୍ ଦେଇଥିଲା ବେଳେ ଦିଲ୍ପ୍ରୀତ୍ ଓ ବିଶାଲ ୩ ଲେଖାଏଁ ଗୋଲ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନିନ୍ଦର ସିଂହ ୨ ଏବଂ ରୌଶାନ କୁମାର, ବିବେକ ପ୍ରସାଦ, ରବିଚନ୍ଦ୍ର ମୋଇରାଙ୍ଗଥାମ ଓ ଦୁଇ ଓଡ଼ିଆ ତାରକା ପ୍ରତାପ ଲାକ୍ରା ଓ ଶିଳାନନ୍ଦ ଲାକ୍ରା ଗୋଟିଏ ଲେଖାଏଁ ଗୋଲ୍ ଦେଇ ବ୍ୟବଧାନ ବଢ଼ାଇଥିଲେ। ଭାରତ ପକ୍ଷରୁ ଗୋଲ୍ ବର୍ଷା ଚାଲିଥିଲା ବେଳେ ଆମେରିକା ଏହି ମ୍ୟାଚ୍ରେ ଗୋଟିଏ ବି ଗୋଲ୍ କରିବାକୁ ସମର୍ଥ ହୋଇନପାରି ଲଜ୍ଜାଜନକ ପରାଜୟକୁ ଆଦରି ନେଇଥିଲା। ୨୦୧୫ ଉପବିଜେତା ଭାରତ ତା’ର ପରବର୍ତୀ ମ୍ୟାଚ୍ ଗୁରୁବାର ଅଷ୍ଟ୍ରେଲିଆ ସହ ଖେଳିବା ପରେ ଶନିବାର ଅନ୍ତିମ ଲିଗ୍ ମ୍ୟାଚ୍ ବ୍ରିଟେନ୍ ସହ ଖେଳିବ। ବୁଧବାର ଖେଳା ଯାଇଥିବା ଅନ୍ୟ ମ୍ୟାଚ୍ ଗୁଡ଼ିକରେ ବ୍ରିଟେନ୍ ୪-୨ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ବେଳେ ମାଲେସିଆ-ଜାପାନ ମୁକାବିଲା ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା।