ଗଲ୍‌: ଏଠାରେ ଚାଲିଥିବା ଦ୍ବିତୀୟ ଟେ‌ଷ୍ଟ୍‌ରେ ଘରୋଇ ଶ୍ରୀଲଙ୍କା ସ୍ପିନରଙ୍କ ବଳରେ ପଞ୍ଚମ ତଥା ଅନ୍ତିମ ଦିବସରେ ଚମତ୍କାର ବିଜୟ ହାସଲ କରିଛି। ଦୁଇ ସ୍ପିନର ଲସିଥ୍‌ ଏମ୍ବୁଲଡେନିୟା (୧୦.୧-୬-୩୫-୫) ଏବଂ ରମେଶ ମେଣ୍ଡିସ୍‌ (୨୫-୬-୬୬-୫) ନିଜ ନିଜ ମଧ୍ୟରେ ୧୦ ୱିକେଟ୍‌ ବାଣ୍ଟିନେବାରୁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ର ଦ୍ବିତୀୟ ପାଳି ୧୩୨ରେ ସଫା ହୋଇଯାଇଥିଲା। ଫଳରେ ଶ୍ରୀଲଙ୍କା ଏହି ଟେଷ୍ଟ୍‌କୁ ୧୬୪ ରନ୍‌ରେ ଜିତିନେଲା। ଏଥି ସହିତ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ମଧ୍ୟ ୨-୦ରେ ମୁଳପୋଛ କରିନେଲା।

Advertisment

ଏପରିକି ୧୩ ମ୍ୟାଚ୍‌ ଖେଳିଥିବା ୱେଷ୍ଟଇଣ୍ଡିଜ୍‌ ଶ୍ରୀଲଙ୍କାରେ ଗୋଟିଏ ବି ଟେ‌ଷ୍ଟ୍‌ ଜିତିବାରେ ବିଫଳ ହୋଇଛି। ଏହି ଦଳ ଶ୍ରୀଲଙ୍କାରେ ୯ ପରାଜୟ ବରଣ କରିଥିଲା ବେଳେ ୪ ଟେ‌ଷ୍ଟ୍‌କୁ ଅମୀମାଂସିତ ରଖିଥିଲା। ଅନ୍ୟପକ୍ଷରେ ନବମ ଥର ପାଇଁ ଗୋଟିଏ ଟେଷ୍ଟ୍‌ରେ ଦୁଇ ଜଣ ସ୍ପିନର ୫ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲା ବେଳେ ଶ୍ରୀଲଙ୍କା ପାଇଁ ଦ୍ବିତୀୟ ଥର ଏଭଳି ସଫଳତା ମିଳିଛି। ଏହା ପୂର୍ବରୁ ୨୦୦୨ ଗଲ୍‌ ଟେଷ୍ଟ୍‌ରେ ମଧ୍ୟ ଦୁଇ ଜଣ ସିହଳୀ ସ୍ପିନର ଜିମ୍ବାୱେ ବିପକ୍ଷରେ ଏଭଳି ସଫଳତା ହାତେଇଥିଲେ।

ଗୁରୁବାର ଚତୁର୍ଥ ଦିବସରେ ୩୨୮/୮ କରିଥିବା ଘରୋଇ ଦଳ ଶୁକ୍ରବାର ଆଉ ୧୭ ରନ୍‌ ଯୋଡ଼ି ପାଳି ଘୋଷଣା କରିଥିଲା। ଲସିଥ୍‌ ଏମ୍ବୁଲଡେନିୟା ୩୯ ରନ୍‌ରେ ଜାସନ୍‌ ହୋଲ୍‌ଡରଙ୍କ ଶିକାର ହେବା ପରେ ଶ୍ରୀଲଙ୍କା ୩୪୫/୯ରେ ପାଳି ଘୋଷଣା କରିଦେଇଥିଲା। ଧନଞ୍ଜୟ ଡି’ ସିଲ୍‌ଭା ୧୫୫ ରନ୍‌ରେ ଅପରାଜିତ ରହିଥିଲେ। ଫଳରେ ଭ୍ରମଣକାରୀ ଦଳ ସମ୍ମୁଖରେ ୨୯୭ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହାର ଜବାବରେ ୱେଷ୍ଟଇଣ୍ଡିଜ୍‌ ୧୩୨ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଦ୍ବିତୀୟ ପାଳିରେ ଅପରାଜିତ ଶତକ ହାସଲ କରିଥିବା ଧନଞ୍ଜୟ ଡି’ ସିଲ୍‌ଭା ମ୍ୟାଚ୍‌ର ଏବଂ ରମେଶ ମେଣ୍ଡିସ୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଶ୍ରୀଲଙ୍କା ପ୍ରଥମ ପାଳି ୨୦୪ (ପଥୁମ ନିଶାଙ୍କ-୭୪, ଭିରାସାମି ପରମଉଲ-୫/୩୫, ଜୋମେଲ ୱାରିକାନ୍‌-୪/୫୦)। ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି ୨୫୩ (କ୍ରେଗ୍‌ ବ୍ରାଥ୍‌ୱେଟ୍‌-୭୨, ରମେଶ ମେଣ୍ଡିସ୍‌-୬/୭୦)। ଶ୍ରୀଲଙ୍କା ଦ୍ବିତୀୟ ପାଳି ୩୪୫/୯ରେ ଘୋଷିତ (ଧନଞ୍ଜୟ ଡି’ ସିଲ୍‌ଭା-୧୫୫*, ପଥୁମ ନିଶାଙ୍କ-୬୬, ଏମ୍ବୁଲଡେନିୟା-୩୯, ପରମଉଲ-୩/୧୦୦, ରସ୍ତନ ଚେଜ୍‌-୨/୮୨)। ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ପାଳି ୫୬.୧ ଓଭରର ୧୩୨ (ଏନ୍‌କ୍ରୁମା ବୋନେର-୪୪, ଜର୍ମିନ୍‌ ବ୍ଲାକ୍‌ଉଡ୍‌-୩୬, ଲସିଥ୍ ଏମ୍ବୁଲଡେନିୟା-୫/୩୫, ରମେଶ ମେଣ୍ଡିସ୍‌-୫/୬୬)।