ପ୍ୟାରିସ୍: ଅଲିମ୍ପିକ୍ସ ବ୍ୟାଡ୍ମିଣ୍ଟନ୍ରେ ଭାରତ ଓ ଲକ୍ଷ୍ୟ ସେନ୍ଙ୍କ ପ୍ରଥମ ସ୍ବର୍ଣ୍ଣ ଆଶା ମଉଳି ଯାଇଛି। ରବିବାର ପୁରୁଷ ଏକକ ସେମିଫାଇନାଲ୍ରେ ଲକ୍ଷ୍ୟ ଅଲିମ୍ପିକ୍ସ ବିଜେତା ଭିକ୍ଟର ଅକ୍ସେଲସେନ୍ଙ୍କଠୁ ହାରିଯିବାରୁ ଏହି ସ୍ବପ୍ନ ଭାଙ୍ଗିଯାଇଛି। ୨୦୨୧ ବିଶ୍ବ କାଂସ୍ୟ ବିଜେତା ୨୨ ବର୍ଷୀୟ ଲକ୍ଷ୍ୟ ୫୪ ମିନିଟ୍ର କଡ଼ା ସଂଘର୍ଷ ପରେ ଏକ ନମ୍ବର ଆକ୍ସେଲସେନ୍ଙ୍କଠୁ ୨୦-୨୨, ୧୪-୨୧ରେ ପରାସ୍ତ ହୋଇଛନ୍ତି। ପ୍ରଥମ ଗେମ୍ର ବ୍ରେକ୍ ବେଳକୁ ଲକ୍ଷ୍ୟ ୧୧-୯ରେ ଆଗୁଆ ରହିଥିଲେ। ଏହା ପରେ ଆକ୍ସେଲସେନ୍ ପ୍ରତ୍ୟାବର୍ତ୍ତନ କରି ପ୍ରଥମ ଗେମ୍କୁ ଜିତି ନେଇଥିଲେ। ଦ୍ବିତୀୟ ଗେମ୍ରେ ମଧ୍ୟ ଲକ୍ଷ୍ୟ ଆରମ୍ଭରୁ ୭-୦ରେ ଆଗରେ ରହିଥିଲେ। ତେବେ ଏହି ଧାରା ବଜାୟ ରଖି ପାରି ନଥିଲେ ସେ। ଆକ୍ସେଲସନ୍ ପୁଣି ପ୍ରତ୍ୟାବର୍ତ୍ତନ କରି ୧୦-୧୦ କରିଥିଲେ। ତଥାପି ବ୍ରେକ୍ ବେଳକୁ ଲକ୍ଷ୍ୟ ୧୧-୧୦ରେ ଆଗରେ ରହିଥିଲେ।
ଦ୍ବିତୀୟ ଗେମ୍ର ଦ୍ବିତୀୟାର୍ଦ୍ଧରେ ଆକ୍ସେଲସନ୍ ଚମତ୍କାର ଖେଳି ଲକ୍ଷ୍ୟରେ ପଛରେ ପକାଇବା ସହ ଏହାକୁ ଜିତି ଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲେ। ପରାଜୟ ପରେ ଏବେ ଲକ୍ଷ୍ୟଙ୍କ ନିକଟରେ ପ୍ରଥମ ପୁରୁଷ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଖେଳାଳି ଭାବେ ଅଲିମ୍ପିକ୍ସ ପଦକ ଜିତିବାର ସୁଯୋଗ ରହିଛି। ସୋମବାର କାଂସ୍ୟ ମୁକାବିଲାରେ ସେ ମାଲେସିଆର ଲି ଜି ଜିଆଙ୍କୁ ଭେଟିବେ। ଅଲିମ୍ପିକ୍ସ ବ୍ୟାଡ୍ମିଣ୍ଟନରେ ଭାରତ ସ୍ବର୍ଣ୍ଣ ଜିତି ନଥିଲେ ମଧ୍ୟ ଗୋଟିଏ କାଂସ୍ୟ ଓ ୨ ରୌପ୍ୟ ପାଇଛି। ମହିଳା ଏକକରେ ପିଭି ସିନ୍ଧୁ ରୌପ୍ୟ (ରିଓ) ଓ କାଂସ୍ୟ (ଟୋକିଓ) ଜିତିଥିଲା ବେଳେ ସାଇନା ନେହୱାଲ କାଂସ୍ୟ (ଲଣ୍ଡନ) ପାଇଛନ୍ତି।