ଭୁବନେଶ୍ବର: ବିଗତ କିଛି ଦିନ ହେବ ଭୁବନେଶ୍ବରରେ ଅଦିନିଆ ବର୍ଷାର ପ୍ରଭାବ ନଜରକୁ ଆସିଥିଲା। ସୋମବାର କିନ୍ତୁ କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଗୋଲ୍ ବର୍ଷାରେ ଭାରତ ଦୁଇ ଥର ଡୁବିଛି। ଚଳିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ସଂଧ୍ୟା ମୁକାବିଲାରେ ଭାରତୀୟ ମହିଳା ଦଳକୁ ଗତ ଥରର ବିଜେତା ନେଦରଲାଣ୍ଡ୍‌ସ ୪-୨ରେ ହରାଇଥିଲା। ରାତିରେ ଅଲିମ୍ପିକ୍ସ କାଂସ୍ୟ ବିଜେତା ଭାରତୀୟ ପୁରୁଷ ଦଳକୁ ଇଂଲଣ୍ଡ ୩-୨ରେ ହରାଇଛି। ଏଥି ସହ ସୋମବାର ଖେଳାଯାଇଥିବା ୩ ମ୍ୟାଚ୍‌ରେ ମୋଟ ୨୧ ଗୋଲ୍ ଦେଖିବାକୁ ମିଳିଛି। କାରଣ ଅପରାହ୍ଣରେ ଖେଳାଯାଇଥିବା ପୁରୁଷ ବିଭାଗର ପ୍ରଥମ ମ୍ୟାଚ୍‌ରେ ଜର୍ମାନୀ ୮-୨ ଗୋଲ୍‌ରେ ଆୟର୍ଲାଣ୍ଡ୍‌କୁ ପରାସ୍ତ କରିଥିଲା।

Advertisment

ଭାରତୀୟ ପୁରୁଷ ଦଳ ସୋମବାର ପ୍ୟାଚ୍‌ ପ୍ୟାଚ୍‌ରେ ଭଲ ଖେଳିଥିଲେ ମଧ୍ୟ ପ୍ରଭାବ ବିସ୍ତାର କରିପାରି ନଥିଲା। ଫଳରେ ହର୍ମନପ୍ରୀତ୍ ସିଂହଙ୍କ ଭାରତ ସପ୍ତମ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଛି। ଭାରତୀୟ ଦଳ ମ୍ୟାଚ୍‌ ସାରା ପଛରେ ରହି ୨-୩ରେ ହାରିଯାଇଥିଲା। ମ୍ୟାଚ୍‌ର ସମସ୍ତ ୫ଟି ଯାକ ଫିଲ୍ଡ ଗୋଲ୍ ଥିଲା। ଘ‌ରୋଇ ଦଳ ପାଇଁ ୧୮ ମିନିଟ୍‌ରେ ଅଭିଷେକ ଓ ୩୯ତମ ମିନିଟ୍‌ରେ ସୁଖଜିତ୍ ସିଂହ ଗୋଲ୍ ଦେଇଥିଲେ। ଇଂଲଣ୍ଡ ପାଇଁ ୧୫ ମିନିଟ୍‌ରେ ଜ୍ୟାକବ୍ ପେଟନ୍‌ ଗୋଟିଏ ଗୋଲ୍ ଦେଇଥିବା ବେଳେ ପରବର୍ତ୍ତୀ ଦୁଇଟି ଦେଇଥିଲେ ଅଧିନାୟକ ସାମ୍ ୱାର୍ଡ (୧୯ ଓ ୨୯ ମିନିଟ୍‌)। ପ୍ରଥମାର୍ଦ୍ଧ ସୁଦ୍ଧା ଇଂଲଣ୍ଡ ୩-୧ରେ ଆଗୁଆ ଥିବା ବେଳେ ଦ୍ବିତୀୟାର୍ଦ୍ଧରେ ଗୋଟିଏ ବି ଗୋଲ୍ ଦେଇପାରି ନଥିଲା। ମହିଳା ଦଳ ଭଳି ଭାରତୀୟ ପୁରୁଷ ଦଳ ମଧ୍ୟ ସୋମବାର ୮ ପେନାଲ୍ଟି କର୍ଣ୍ଣର ଅର୍ଜନ କରି ଗୋଟିଏ ବି ଗୋଲ୍ ପାଇ ନଥିଲା। ଇଂଲଣ୍ଡ ୪ଟି ପେନାଲ୍ଟି କର୍ଣ୍ଣରକୁ ବେକାର କରିଥିଲେ ମଧ୍ୟ ବାଜି ମାରିନେଇଥିଲା।

ଭାରତର ପିସି ଅର୍ଜନ, ନେଦରଲାଣ୍ଡ୍‌ସର ଗୋଲ୍
ଚଳିତ ଏଫ୍‌ଆଇଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ମହିଳା ଦଳ ସୋମବାର ଆଉ ଏକ ପରାଜୟ ବରଣ କରିଛି। ନେଦରଲାଣ୍ଡ୍‌ସ ବିପକ୍ଷ ମୁକାବିଲାକୁ ସଲିମା ଟେଟେଙ୍କ ଦଳ ୨-୪ ଗୋଲ୍‌ରେ ହାରିଯାଇଛି। ଫଳରେ କଳିଙ୍ଗ ଷ୍ଟାଡିୟମ୍‌ ଚରଣରେ ଘରୋଇ ଦଳ ସପ୍ତମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଛି। ଏହି ମ୍ୟାଚ୍‌ରେ ଏକ ପାଲଟା ଦିଶା ନଜରକୁ ଆସିଥିଲା। ଭାରତୀୟ ଦଳ ପେନାଲ୍ଟି କର୍ଣ୍ଣର ଅର୍ଜନ କରିବାରେ ଲାଗିଥିଲା। ନେଦରଲାଣ୍ଡ୍‌ସ କିନ୍ତୁ ଗୋଲ୍ ଦେଇ ଚାଲିଥିଲା। ଭାରତ ସମ୍ପୂର୍ଣ୍ଣ ମ୍ୟାଚ୍‌‌ରେ ୧୬ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ମାତ୍ର ଦୁଇଟିକୁ ଗୋଲ୍‌ରେ ପରିଣତ କରିପାରିଥିଲା। ଅନ୍ୟପକ୍ଷରେ ଭଲ ଗତିରେ ଖେଳୁଥିବା ନେଦରଲାଣ୍ଡ୍‌ସ ମାତ୍ର ୩ଟି ପେନାଲ୍ଟି କର୍ଣ୍ଣର ଅର୍ଜନ କରି ଏଥିରୁ ଗୋଟିଏ ଗୋଲ୍‌ରେ ପରିଣତ କରିଥିଲା। ଅନ୍ୟ ୩ଟି ଚମତ୍କାର ଫିଲ୍ଡ ଗୋଲ୍‌ ନେଦରଲାଣ୍ଡ୍‌ସକୁ ସମ୍ପୂର୍ଣ୍ଣ ୩ ପଏଣ୍ଟ୍‌ ପ୍ରଦାନ କରିଥିଲା। ଫଳରେ ଭାରତୀୟ ଦଳ ଭେଟେରାନ୍ ଗୋଲ୍‌ରକ୍ଷିକା ସବିତାଙ୍କ ୩୦୦ତମ ମ୍ୟାଚ୍‌ ଫିକା ପଡ଼ିଯାଇଥିଲା।
ସୋମବାର ମ୍ୟାଚ୍‌ ଆରମ୍ଭର ସପ୍ତମ ମିନିଟ୍‌ରେ ନେଦରଲାଣ୍ଡ୍‌ସ ଭାରତୀୟ ରକ୍ଷଣଭାଗର ଦୁର୍ବଳତାରୁ ଫାଇଦା ଉଠାଇ ଏମା ରିଜନେନ୍‌ଙ୍କ ଫିଲ୍ଡ ଗୋଲ୍ ବଳରେ ଆଗୁଆ ହୋଇଯାଇଥିଲା। ଏହା ପରେ ଭାରତ ୩ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲେ ମଧ୍ୟ ପ୍ରତିଥର ବିଫଳ ହୋଇଥିଲା। ଦ୍ବିତୀୟ କ୍ବାର୍ଟର ପ୍ରାରମ୍ଭରେ ଏକ ପିସି କାର୍ଯ୍ୟକାରୀ ବେଳେ ବ୍ୟାକ୍‌ପାସ୍‌ରୁ ଉଦିତା ଗୋଲ୍ ଦେଇ ମ୍ୟାଚ୍‌କୁ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ୧-୧ରେ ଶେଷ କରିଥିଲେ। ତୃତୀୟ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ୩୪ ମିନିଟରେ ଫେଲିସ୍ ଆଲବର୍ସ ପିସିରୁ ଏବଂ ୪୦ ମିନିଟ୍‌ରେ ଫେ ଭାନଡର୍‌ ଏଲ୍‌ଷ୍ଟ ଫିଲ୍ଡରୁ ଗୋଲ୍ ଦେଇ ଭାରତକୁ ବହୁ ପଛରେ ପକାଇ ଦେଇଥିଲେ। ଉଦିତା ୪୨ ମିନିଟ୍‌ରେ ଅବଶ୍ୟ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ଦେଇ ଆଶା ସଂଚାର କରିଥ‌ିଲେ। ୫ ମିନିଟ ପରେ କିନ୍ତୁ ଫେଲିସ୍ ଆଲବର୍ସ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ସହ ନେଦରଲାଣ୍ଡ୍‌ସ ବିଜୟକୁ ନିଶ୍ଚିତ କରିଥିଲେ।