ଦ୍ରାବିଡ଼ଙ୍କୁ ନୋଟିସ୍‌ ନେଇ ଭଜି କ୍ଷୁବ୍ଧ, ଭାରତୀୟ କ୍ରିକେଟ୍‌କୁ ଭଗବାନ ହିଁ ଭରସା: ଗାଙ୍ଗୁଲି

ନୂଆଦିଲ୍ଲୀ : ଦ୍ବୈତ ସ୍ବାର୍ଥ ବା କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ଅଭିଯୋଗ ଆସିବା ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ବିସିସିଆଇ ନୈତିକ ଅଧିକାରୀ ଜଷ୍ଟିସ୍ ଡିକେ ଜୈନ ନୋଟିସ୍ ଜାରି କରିଛନ୍ତି। ଏହି ନୋଟିସ୍‌କୁ ନେଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ଅଫ୍‌ସ୍ପିନର ହରଭଜନ ସିଂହ ବିସିସିଆଇକୁ ତୀବ୍ର ସମାଲୋଚନା କରିଛନ୍ତି। ଭାରତୀୟ କ୍ରିକେଟ୍‌‌ରେ ଏବେ ନୂଆ ‌‌ଫେସନ ଚାଲିଛି, ‘ଦ୍ବୈତ ସ୍ବାର୍ଥ’ ଏବେ ଖବରର ମାର୍ଗ ହୋଇଛି। ଭାରତୀୟ କ୍ରିକେଟ୍‌କୁ ଭଗବାନ ହିଁ ଭରସା ବୋଲି ଗାଙ୍ଗୁଲି ଟ୍ବିଟ୍‌ କରି ନିଜର ଅସନ୍ତୋଷ ଜାହିର କରିଛନ୍ତି। ଗାଙ୍ଗୁଲିଙ୍କ ଏହି ଟ୍ବିଟ୍‌କୁ ସମର୍ଥନ ଦେଇଛନ୍ତି ହରଭଜନ। ଡ୍ରାବିଡ଼ଙ୍କ ଭଳି ଜ‌ଣେ କିମ୍ବଦନ୍ତୀଙ୍କୁ ଏଭଳି ନୋଟିସ ପଠାଇବା ତାଙ୍କୁ ଅପମାନ ଦେବା ଭଳି। କ୍ରିକେଟ୍‌କୁ ତାଙ୍କ ସେବା ଦରକାର‌, ସତରେ ଭାରତୀୟ କ୍ରିକେଟ୍‌କୁ ଈଶ୍ବର ବଞ୍ଚାଇବେ ବୋଲି ହରଭଜନ ଟ୍ବିଟ୍‌ କରିଛନ୍ତି। ସୂଚନାଯୋଗ୍ୟ ଯେ ସଂପ୍ରତି ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମି (ଏନ୍‌ସିଏ)ର କ୍ରିକେଟ୍ ସଂଚାଳନ ମୁଖ୍ୟ ଥିବା ଦ୍ରାବିଡ଼ ଦୁଇ ସପ୍ତାହ ମଧ୍ୟରେ ଦ୍ବୈତ ସ୍ବାର୍ଥ ଉପରେ ନିଜର ଉତ୍ତର ରଖିବ‌ାକୁ ବିସିସିଆଇ ପକ୍ଷରୁ ‌ଏହି ନୋଟିସରେ କୁହାଯାଇଛି। ପୂର୍ବରୁ ଦ୍ବୈତ ସ୍ବାର୍ଥକୁ ନେଇ ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ନୋଟିସ ଜାରି ‌ହୋଇଥି‌ଲା।

ସମ୍ବନ୍ଧିତ ଖବର