ବିଦାୟ ଫୁଟ୍‌ବଲ୍ ଭଗବାନ

କ୍ଲବ୍‌ରୁ କିମିଆ, ବିବାଦର ବାଦଶାହ

ଭୁବନେଶ୍ବର: ଧରାପୃଷ୍ଠାରୁ ବାହୁଡ଼ିଗଲେ ଫୁଟ୍‌ବଲ୍ ଭଗବାନ। ହଠାତ୍ ଖବର ଆସିଲା ମାରାଡୋନା ଆଉ ନାହାନ୍ତି। କୋଟି କୋଟି ପ୍ରଶଂସକ ସ୍ତବ୍ଧ। କାହା ପାଟିରୁ ଯେମିତି କଥା ବାହାରୁ ନଥିଲା। ଏହି ହୃଦୟ ବିଦାରକ ଖବରକୁ କେହି ଆଦୌ ବିଶ୍ବାସ କରି ପାରୁନଥିଲେ। କାରଣ ବୁଧବାର ରାତି ‌ଯେମିତି ଫୁଟବଲ୍ ବିଶ୍ବ ପାଇଁ ଥିଲା ଏକ କାଳ ରାତି। ମାତ୍ର ଦୁଇସପ୍ତାହ ତଳେ ମସ୍ତିସ୍କ ଅସ୍ତ୍ରୋପଚାର କରି ସକୁଶଳେ ଘରକୁ ଫେରିଥିବା ଫୁଟବଲ୍ ବିଶ୍ବର ସର୍ବକାଳୀନ ଶ୍ରେଷ୍ଠ, ମହାନଙ୍କ ଭିତରେ ମହାନତମ ଖେଳାଳି ଡିଏଗୋ ଅର୍ମାଣ୍ଡୋ ମାରାଡୋନା ହୃଦ୍‌ଘାତରେ ଟଳି ପଡ଼ିଲେ। ନିଜ ବାସଗୃହରେ ହିଁ ଫୁଟବଲ୍ ଦୁନିଆକୁ ମୁରବୀଶୂନ୍ୟ କରି ଚାଲିଗଲେ। ମାତ୍ର ୬୦ ବର୍ଷ ବୟସରେ ଇହଲୀଳା ସମ୍ବରଣ କଲେ। ଫୁଟ୍‌ବଲ୍‌ ଆକାଶରୁ ଏହି ଡ୍ରିବଲିଂ ଯାଦୁଗର ଅସ୍ତ ହୋଇଯିବା ଅପୂରଣୀୟ ଶୂନ୍ୟସ୍ଥାନ ମଧ୍ୟ ସୃଷ୍ଟିକଲା।

ଅସାଧାରଣ, ଅବିଶ୍ବସନୀୟ, ଅକଳ୍ପନୀୟ ଫୁଟବଲ୍ କୌଶଳରେ ପ୍ରଶଂସକଙ୍କୁ ଆଜି ବି ଚକିତ କରି ଦେଉଥିବା ମାରାଡୋନା ଚାଲିଯିବା ସହ ଫୁଟବଲ୍ ଆକାଶର ଧୃବତାରା ମଳିନ ପଡ଼ିଲା। ଏକ ଜାଜ୍ଜୁଲ୍ୟମାନ ଯୁଗର ଅବସାନ ହେଲା। ମାରାଡୋନା କେବଳ ଜଣେ ବ୍ୟକ୍ତି, ‌ଖେଳାଳି, ପ୍ରଶିକ୍ଷକ କିମ୍ବା ବିଶ୍ବକପ୍ ବିଜୟୀ ନଥିଲେ, ସେ ଥିଲେ କୋଟି କୋଟି କ୍ରୀଡ଼ା ତାରକାଙ୍କ ପ୍ରେରଣାର ଉତ୍ସ। ଫୁଟବଲ୍ ଖେଳର ଚର୍ଚିତ, ଅବାଧ୍ୟ ସନ୍ତାନ। ଫୁଟବଲ୍ ପଡ଼ିଆରେ ଯେଭଳି ଭାବେ ଅପ୍ରତିଦ୍ବଦ୍ବୀ ଥିଲେ ପଡ଼ିଆ ବାହାରେ ମଧ୍ୟ ସେମିତି ବିବାଦୀୟ ରହିଥିଲେ ସେ। ସେଥିପାଇଁ ତାଙ୍କୁ ବିବାଦର ବାଦଶାହ ବି କୁହାଯାଉଥିଲା।

୧୯୮୨‌ରୁ ୧୯୯୪ ପର୍ଯ୍ୟନ୍ତ ଲଗାତାର ଚାରିଟି ବିଶ୍ବକପ୍ ଖେଳିଥିବା ମାରାଡୋନାଙ୍କ ନେତୃତ୍ବରେ ଆର୍ଜେଣ୍ଟିନା ୧୯୮୬ରେ ବିଶ୍ବ ବିଜେତା ହୋଇଥିଲା। ୧୦ ନମ୍ବର କ୍ଲାସିକ୍ ଜର୍ସି ପିନ୍ଧି ମାରାଡୋନା ଯେତେବେଳେ ପଡ଼ିଆକୁ ଓହ୍ଲାଉଥିଲେ ତାଙ୍କ ଯାଦୁରେ ପ୍ରତିପକ୍ଷ କେବଳ ଚକିତ ହେଉ ନଥିଲେ, ତାଙ୍କ ଖେଳ ଶୈଳୀର ପ୍ରେମରେ ବି ପଡ଼ି ଯାଉଥିଲେ। ପଡ଼ିଆ ଭିତରେ ଆଟାକିଂ ସ୍ଥାନଠାରୁ ଆରମ୍ଭ କରି ଡିଫେଣ୍ଡିଂ ପର୍ଯ୍ୟନ୍ତ ସବୁ ସ୍ଥାନରେ ଖେଳି ନିଜ ଅନନ୍ୟ ପ୍ରତିଭା ବଳରେ ସେ କୋଟି କୋଟି ଫୁଟବଲ୍‌ପ୍ରେମୀ ଓ ଲକ୍ଷ ଲକ୍ଷ ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। ତାଙ୍କ ପରଲୋକରେ ଫିଫା, ଏଆଇଏଫଏଫ୍, ଏସୀୟ ଫୁଟବଲ୍ ମହାସଂଘ, ୟୁରୋପୀୟ ଫୁଟବଲ୍ ମହାସଂଘ ତଥା ବିଶ୍ବର ଅଗ୍ରଣୀ ଫୁଟବଲ୍ କ୍ଲବ୍ ଶୋ‌କପ୍ରକାଶ କରିଥିଲା ବେଳେ ବହୁ କିଂବଦନ୍ତି କ୍ରୀଡ଼ା ତାରକା ଗଭୀର ଶୋକବ୍ୟକ୍ତ କରିଛନ୍ତି। ଆର୍ଜେଣ୍ଟିନା ସରକାର ତିନି ଦିନର ର‌ାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ମାରାଡୋନାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ତାଙ୍କ ଫୁଟବଲ୍ କୌଶଳର ସମକକ୍ଷ ଥିବା ବ୍ରାଜିଲୀୟ କିଂବଦନ୍ତି ପେଲେ ମଧ୍ୟ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଦିନେ ଆମେ ସ୍ବର୍ଗରେ ବଲ୍ ଗଡ଼ାଇବୁ ବୋଲି ଭାବବିହ୍ବଳ ହୋଇ ପେଲେ ଟ୍ବିଟ୍ କରିଥିଲେ।

ହ୍ୟାଣ୍ଡ୍ ଅଫ୍ ଗଡ୍
ମାରାଡୋନା ତାଙ୍କ ଫୁଟ୍‌ବଲ୍ କଳା କୌଶଳ ସହ ୧୯୮୬ ମସିହା ବିଶ୍ବକପ୍‌ର ‘ହ୍ୟାଣ୍ଡ୍ ଅଫ୍ ଗଡ୍’ ଗୋଲ୍ ପାଇଁ ବେଶ୍ ଚର୍ଚିତ ହୋଇଥିଲେ। ଇଂଲଣ୍ଡ ବିପକ୍ଷ ଏହି ଗୋଲ୍ ଆର୍ଜେଣ୍ଟିନାକୁ ବିଶ୍ବକପ୍ ଭେଟି ଦେଇଥିଲା ସତ ମାରାଡୋନା କିନ୍ତୁ ବ୍ୟକ୍ତିଗତ ଭାବେ ବିବାଦୀୟ ହୋଇ ପଡ଼ିଥିଲେ। ଆଉ ଏହି ବିବାଦ ସାରା ଜୀବନ ତାଙ୍କ ପିଛା ଛାଡ଼ି ନଥିଲା। ଏହି ଅବିଶ୍ବସନୀୟ ଗୋଲ୍‌ଟି ଜୁନ୍ ୨୨ ତାରିଖରେ ମେକ୍ସିକୋ ସିଟିର ଆଜଟେକା ଷ୍ଟାଡିୟମ୍‌ରେ ମାରାଡୋନା ଦେଇଥିଲେ। ପ୍ରଥମାର୍ଧ ଗୋଲ୍ ଶୂନ୍ୟ ଭାବେ ଶେଷ ହେବା ପରେ ଦ୍ବିତୀୟାର୍ଧର ଷଷ୍ଠ ମିନିଟ୍‌ରେ ମାରାଡୋନା ଏକ ସୌଭାଗ୍ୟଶାଳୀ ଗୋଲ୍ କରି ନିଜ ଦଳକୁ ଡ୍ରାଇଭର ସିଟ୍‌ରେ ପହଞ୍ଚାଇ ଦେଇଥିଲେ। ବଲ୍ ତାଙ୍କ ହାତ୍‌ରେ ବାଜି ଗୋଲ୍ ପୋଷ୍ଟ ଭିତରକୁ ଯାଇଥିଲା। ଏଣୁ ଫୁଟବଲ୍ ନିୟମ ଅନୁସାରେ ହ୍ୟାଣ୍ଡବଲ୍ ଘଟଣା ପାଇଁ ସେ ହଳଦିଆ କାର୍ଡ ପାଇବା କଥା ଏବଂ ଗୋଲ୍‌ ମଧ୍ୟ ନାକଚ ହେବା କଥା। ହେଲେ ମାରାଡୋନାଙ୍କ ହାତରେ ବଲ୍ ବାଜିବାକୁ ରେଫରି ଦେଖି ପାରିନଥିଲେ। ସେତେବେଳେ ଭିଡିଓ ଆସିଷ୍ଟାଣ୍ଟ ରେଫରି ବୈଷୟିକ କୌଶଳ ମଧ୍ୟ ନଥିଲା। ଫଳରେ ଗୋଲ୍ ବଳବତ୍ତର ରହିଥିଲା ଏବଂ ଆର୍ଜେଣ୍ଟିନା ୧-୦ରେ ଆଗୁଆ ହୋଇ ‌ଶେଷରେ ୨-୧ ଗୋଲ୍‌ରେ ବିଜୟୀ ହୋଇଥିଲା। ମାତ୍ର ୫.୫ ଉଚ୍ଚତା ବିଶିଷ୍ଟ ମାରାଡୋନା ତାଙ୍କଠାରୁ ୨୦ ସେଣ୍ଟିମିଟର ଉଚ୍ଚ ଇଂଲଣ୍ଡ ଗୋଲ୍ ରକ୍ଷକ ପିଟର ସିଲଟନଙ୍କୁ ଚକମା ଦେଇ ଏହି ଗୋଲ୍ କରିବା ସମସଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। ମାରୋଡୋନାଙ୍କ ଦ୍ବିତୀୟ ଗୋଲ୍‌ଟି କିନ୍ତୁ ବିଂଶ ଶତାବ୍ଦୀର ଶ୍ରେଷ୍ଠ ଗୋଲ୍ ଆଖ୍ୟା ପାଇଥିଲା। ମ୍ୟାଚ୍ ପରେ ମାରାଡୋନା କହିଥିଲେ ଯେ ଏହି ଗୋଲ୍‌ ସେ କିଛିଟା ମୁଣ୍ଡ ଏବଂ ଆଉ କିଛିଟା ଭଗବାନଙ୍କ ହାତ ସହାୟତାରେ କରିଥିଲେ। ହ୍ୟାଣ୍ଡ୍ ଅଫ୍ ଗଡ୍ ଗୋଲ୍ ଦେବାର ୧୯ ବର୍ଷ ପରେ ଅର୍ଥାତ୍ ୨୦୦୫ ମସିହାରେ ବଲ୍‌କୁ ହେଡର କରିବା ପୂବରୁ ଏହା ପ୍ରଥମେ ତାଙ୍କ ହାତରେ ବାଜିଥିଲା ବୋଲି ମାରାଡୋନା ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର