ମେଲ୍ବର୍ଣ୍ଣ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍ ଓପନ୍ ସୋମବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆମେରିକା କିଶୋରୀ କୋକୋ ଗଫ୍ ଏବଂ ୨୦୨୦ ବିଜୟିନୀ ସୋଫିଆ କେନିନ୍ ବିଦାୟ ନେଇଛନ୍ତି। ପ୍ରଥମ ରାଉଣ୍ଡରେ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ୧୭ ବର୍ଷୀୟା ଗଫ୍ ୪-୬, ୨-୬ ସେଟ୍ରେ ଚୀନ୍ର ୱାଙ୍ଗ କ୍ବିଆଙ୍ଗଙ୍କଠୁ ହାରି ଯାଇଥିଲେ। ମାତ୍ର ୧୫ ବର୍ଷ ବୟସରେ ଗ୍ରାଣ୍ଡ ସ୍ଲାମ୍ ପଦାର୍ପଣରେ ଗଫ୍ ୨୦୧୯ ୱିମ୍ବଲଡନ୍ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏହା ପରବର୍ଷ ମେଲ୍ବର୍ଣ୍ଣ ପାର୍କରେ ଚତୁର୍ଥ ରାଉଣ୍ଡ ଏବଂ ଗତ ବର୍ଷ ଫ୍ରେଞ୍ଚ୍ ଓପନ୍ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଥିଲେ। ହେଲେ ଏଥର ପ୍ରଥମ ରାଉଣ୍ଡରେ ତାଙ୍କ ଅଭିଯାନ ଶେଷ ହୋଇଛି। ସେହିପରି ଏକାଦଶ ମାନ୍ୟତାପ୍ରାପ୍ତ ଆମେରିକାର କେନିନ୍ ୬-୭, ୫-୭ ସେଟ୍ରେ ୟୁଏସ୍ ଓପନ୍ ଉପବିଜୟିନୀ ନିଜ ଦେଶର ମାଡିସନ କିଜ୍ଙ୍କଠୁ ହାରି ଯାଇଥିଲେ। ଅନ୍ୟ ମହିଳା ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍ଲେ ବାର୍ଟି, ପୂର୍ବତନ ଏକ ନମ୍ବର ନାଓମି ଓସାକା, ଚତୁର୍ଥ ମାନ୍ୟତାପ୍ରାପ୍ତ ବାର୍ବୋରା କ୍ରେଁସିକୋଭା ଓ ପଞ୍ଚମ ମାନ୍ୟତାପ୍ରାପ୍ତ ମାରିଆ ସାକାରି ବିଜୟୀ ହୋଇଛନ୍ତି। ଘରୋଇ ତାରକା ବାର୍ଟି ସିଧାସଳଖ ୬-୦, ୬-୧ ସେଟ୍ରେ ୟୁକ୍ରେନ୍ର ଲେସିଆ ସୁରେଙ୍କୋଙ୍କୁ, ଜାପାନ୍ର ଓସାକା ୬-୩, ୬-୩ ସେଟ୍ରେ କଲମ୍ବିଆର କାମିଲା ଓସୋରିଓଙ୍କୁ, ଚେକ୍ଗଣରାଜ୍ୟର କ୍ରେଁସିକୋଭା ୬-୨, ୬-୦ ସେଟ୍ରେ ଜର୍ମାନିର ଆନ୍ଦ୍ରିଆ ପେଟକୋଭିକ୍ଙ୍କୁ ଏବଂ ଗ୍ରିସ୍ର ସାକାରି ୬-୪, ୭-୬ ସେଟ୍ରେ ଜର୍ମାନିର ତାଜାନା ମାରିଆଙ୍କୁ ପରାସ୍ତ କରିଥିଲେ।
ପୁରୁଷ ଏକକରେ ଷଷ୍ଠ ମାନ୍ୟତାପ୍ରାପ୍ତ ତଥା ୨୦ ଗ୍ରାଣ୍ଡ ସ୍ଲାମ୍ ବିଜେତା ରାଫେଲ ନାଦାଲଙ୍କ ସହ ତୃତୀୟ ମାନ୍ୟତାପ୍ରାପ୍ତ ଆଲେକ୍ଜାଣ୍ଡର ଭେରେଭ, ସପ୍ତମ ମାନ୍ୟତାପ୍ରାପ୍ତ ମାତିଓ ବେରେତିନି, ଦଶମ ମାନ୍ୟତାପ୍ରାପ୍ତ ହବର୍ଟ ହର୍କାଜ ଏବଂ ଚତୁର୍ଦଶ ମାନ୍ୟତାପ୍ରାପ୍ତ ଡେନିସ ସାପୋଭାଲୋଭ ପ୍ରଥମ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି। ସ୍ପେନ୍ର ନାଦାଲ ୬-୧, ୬-୪, ୬-୨ ସେଟ୍ରେ ଆମେରିକାର ମାର୍କୋସ ଗିରୋନଙ୍କୁ ପରାସ୍ତ କରି କୀର୍ତ୍ତିମାନଭରା ୨୧ତମ ଗ୍ରାଣ୍ଡ ସ୍ଲାମ୍ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ଜର୍ମାନିର ଭେରେଭ ୭-୬, ୬-୧, ୭-୬ ସେଟ୍ରେ ନିଜ ଦେଶର ଡାନିଏଲ ଅଲ୍ଟମେୟରଙ୍କଠୁ, ଇଟାଲିର ବେରେତିନି ୪-୬, ୬-୨, ୭-୬, ୬-୩ ସେଟ୍ରେ ଆମେରିକାର ବ୍ରାଣ୍ଡନ ନାକାସିମାଙ୍କୁ, ପୋଲାଣ୍ଡର ହର୍କାଜ ୬-୨, ୭-୬, ୬-୭, ୬-୩ ସେଟ୍ରେ ବେଲାରୁଷର ଏଗର ଗେରାସିମୋଭଙ୍କୁ ଏବଂ କାନାଡାର ସାପୋଭାଲୋଭ ୭-୬, ୬-୪, ୩-୬, ୭-୩ ସେଟ୍ରେ ସର୍ବିୟାର ଲାସୋ ଡେରେଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଥିଲେ।