ମ‌ନେପଡ଼ନ୍ତି ଗୋଲକ ସାମଲ

ଭୁବନେଶ୍ବର : ଓଡ଼ିଶା କ୍ରୀଡ଼ାର ଅନ୍ୟତମ ଅଲରାଉଣ୍ଡ୍ ପ୍ରତିଭା ତଥା ଆଦ୍ୟ ବ୍ୟକ୍ତିତ୍ବଙ୍କ ମଧ୍ୟରେ ଗୋଲକ ସାମଲ ଅନ୍ୟତମ। ଯାହାଙ୍କ ବିଷୟରେ ବର୍ତମାନର ପିଢ଼ି ଖୁବ୍ କମ୍‌ ଜାଣିଥିବେ। ଏହି ମହାନ କ୍ରୀଡ଼ାବିତ୍‌ଙ୍କୁ ରାଜ୍ୟ କ୍ରୀଡ଼ା ଦୁନିଆ ଶନିବାର (ମଇ ୨୨) ତାଙ୍କ ତ୍ରୟୋଦଶ ମହାପ୍ରୟାଣ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇବାର ଅବ୍ୟବହିତ ପୂର୍ବରୁ ‘ସମ୍ବାଦ’ ସ୍ମୃତିଚାରଣ କରିବାକୁ ଉଚିତ୍ ମଣିଛି।

ଜାତୀୟ ସ୍ତରରେ ଗୋଲକ ସାମଲଙ୍କ ଅଲରାଉଣ୍ଡ୍‌ କ୍ରୀଡ଼ା ପ୍ରତିଭା ବେଶ ପ୍ରଷ୍ଫୁଟିତ ହୋଇଥିଲା। ପଚାଶ ଓ ସାଠିଏ ଦଶକରେ ଓଡ଼ିଶାକୁ ଦୌଡ଼କୁଦ ଓ ଫୁଟ୍‌ବଲ୍‌ରେ ଜାତୀୟ ସ୍ତରରେ ପ୍ରତିଷ୍ଠା ଆଣି ଦେଇଥିଲେ। ୧୦୦ ମିଟର୍‌, ଲଙ୍ଗଜମ୍ପ୍‌ ଏବଂ ପୋଲ୍‌ଭଲ୍‌ଟ କରିବା ସହିତ ଫୁଟ୍‌ବଲରେ ଆସାଧାରଣ ଦକ୍ଷତା ଦେଖାଇଥିଲେ। ପ୍ରାୟ ଦୁଇ ଦଶନ୍ଧି ଧରି ବହୁବାର ୧୦୦ ମିଟରରେ ରାଜ୍ୟ କୀର୍ତ୍ତିମାନ ସହିତ ଶ୍ରେଷ୍ଠ ଧାବକ ରହିଥିଲେ ଗୋଲକବାବୁ। ଜାତୀୟ ସ୍ତରରେ କିନ୍ତୁ ସେ ଜିତିଥିଲେ ପୋଲ୍‌ଭଲଟ୍ ସ୍ବର୍ଣ୍ଣ ପଦକ (୧୯୮୮)। ୧୯୪୬ରୁ ୧୯୬୨ ମସିହା ପର୍ଯ୍ୟନ୍ତ ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। ପାତିଆଲାରୁ ଏନଆଇଏସ୍‌ରେ ଉତ୍ତୀର୍ଣ୍ଣ ହେବା ପରେ ରାଜ୍ୟ କ୍ରୀଡ଼ା ବିଭାଗରେ ଫୁଟ୍‌ବଲ୍ ପ୍ରଶିକ୍ଷକ ଭାବେ ବହୁ ଖେଳାଳିଙ୍କ ଜୀବନ ଗଢ଼ିଥିଲେ। ଗୋଲକବାବୁ ଦୀର୍ଘ ୧୦ ବର୍ଷ ଧରି ସନ୍ତୋଷ ଟ୍ରଫି (୧୯୪୬-୧୯୫୫)ରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। ଦେଶର ଜଣେ ତାରକା ଷ୍ଟ୍ରାଇକର୍‌ ଭାବେ ସୁଖ୍ୟାତି ଆଣିଥିଲେ। ଦୌଡ଼ ଦୁନିଆର ଫୂର୍ତ୍ତି ସହିତ ଫୁଟ୍‌ବଲ୍‌ ପଡିଆରେ ନିଜ ଦକ୍ଷତା ଓ ଚମତ୍କାର ଫୁଟ୍‌ୱାର୍କ ପାଇଁ ସର୍ବଦା ଚର୍ଚିତ ଥିଲେ।

କଟକର କ୍ରୀଡ଼ା ପାଣି ପବନରେ ବଢ଼ିଥିବା ଏହି ବିରଳ ପ୍ରତିଭା ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ଭାରତୀୟ ଫୁଟ୍‌ବଲ୍‌ ଦଳ ସହ ବିଦେଶ ଗସ୍ତ କରିଥିଲେ। ୧୯୫୫ ମସିହାରେ କାବୁଲଠାରେ ଭାରତୀୟ ଦଳ ସହ ଖେଳିଥିଲେ ଏହି ଅଲରାଉଣ୍ଡର୍‌। ଗୋଲକବାବୁଙ୍କ ଅସାଧାରଣ ପ୍ରତିଭାକୁ ସମ୍ମାନ ଜଣାଇ ଓଡ଼ିଶା ସରକାର ମଧ୍ୟ ୨୦୦୦ ମସିହାରେ ତାଙ୍କୁ ବିଜୁ ପଟ୍ଟନାୟକ ଆଜୀବନ କ୍ରୀଡ଼ା ସେବା ପୁରସ୍କାର ପ୍ରଦାନ କରିଥିଲେ। ୨୦୦୮ ମସିହା ମେ’ ୨୨ ତାରିଖରେ ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଏହି ମହାନ ବ୍ୟକ୍ତିଙ୍କ ୭ ସନ୍ତାନ ମଧ୍ୟରୁ ଦ୍ବିତୀୟ ସୁପୁତ୍ର ଏରିକ୍ ସାମଲ ମଧ୍ୟ ଢେର କିଛି ଦିନ ଫୁଟ୍‌ବଲ୍‌ ଖେଳିଥିଲେ। ସମ୍ପ୍ରତି ରାଜ୍ୟ ମତ୍ସ୍ୟ ନିର୍ଦେଶାଳୟରୁ ଅବସର ନେଇଥିବା ‌ଏରିକ୍‌ ମଧ୍ୟ ରାଜ୍ୟ ମାଷ୍ଟର୍ସ ପ୍ରତିଯୋଗିତାରେ ୧୦୦ ଓ ୪୦୦ ମିଟରରେ ରୌପ୍ୟ ପଦକ ଜିତି ପିତାଙ୍କ ସଫଳତା ଧାରାକୁ ବଞ୍ଚାଇ ରଖିଛନ୍ତି।

ସମ୍ବନ୍ଧିତ ଖବର