କାଳିଆପାଣି (ରବି ନାରାୟଣ କର): ଓଡ଼ିଶା ଷ୍ଟେଟ୍ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୪-୨୫ ଓ ୨୦୨୫-୨୬ରେ ଲଗାତାର ୨ ବର୍ଷ ଧରି ୩ ବିଭାଗ (ସଟ୍ପୁଟ୍, ଡିସ୍କସ ଓ ଜାଭେଲିନ୍ ଥ୍ରୋ’)ରେ ସ୍ବର୍ଣ୍ଣ ପଦକ ବିଜୟିନୀ ପାରା ଆଥଲେଟ୍ ଗୋଲାପୀ ସିର୍କାଙ୍କୁ ଯାଜପୁର ଜିଲ୍ଲାର ବଣମଲ୍ଲୀ ହୋଇରହିଛନ୍ତି। ଜାତୀୟ ସ୍ତରର ପ୍ରତିଯୋଗିତାରେ ସ୍ବର୍ଣ୍ଣିମ ସଫଳତା ସତ୍ତ୍ବେ ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ବିଭାଗ ତାଙ୍କୁ ଏଯାବତ୍ ସହାୟତା ପ୍ରଦାନ ଦୂରେ ଥାଉ ତାଙ୍କ କୃତିତ୍ବକୁ ସମ୍ମାନ ଜଣାଇନଥିବା ସାଧାରଣରେ ଅଭିଯୋଗ ହୁଏ। ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତର ବଣପାହାଡ଼ ଘେରା ଅଖ୍ୟାତ ପଲ୍ଲୀ କାକୁଡ଼ିଆ ଗାଁର ଦିନ ମଜୁରିଆ ଗରିବ ଆଦିବାସୀ ଦମ୍ପତି ଜୀରା ଓ ବୀରସିଂହ ସିର୍କାଙ୍କ ଦ୍ବିତୀୟ ଝିଅ ଗୋଲାପୀଙ୍କ ଜନ୍ମରୁ ଏଯର୍ଯ୍ୟନ୍ତ ତାଙ୍କ ଅସରନ୍ତି ସଂଘର୍ଷମୟ କାହାଣୀକୁ ନେଇ ଇଏ ‘ସମ୍ବାଦ’ର ବିଶେଷ ଉପସ୍ଥାପନା।
ଝାଟିମାଟି ଘରର ଅସ୍ବାସ୍ଥ୍ୟକର ପରିବେଶରେ ଗୋଲାପୀଙ୍କ ଜନ୍ମ। ୬ ଭଉଣୀ ଓ ଜଣେ ଭାଇଙ୍କୁ ନେଇ ତାଙ୍କ ୯ ଜଣିଆ ବଡ଼ ପରିବାରର ପ୍ରତିପୋଷଣ ପାଇଁ ଜୀରା ଓ ବୀରସିଂହଙ୍କୁ ପ୍ରତିଦିନ ପେଟ ଚିନ୍ତା କରିବାକୁ ହୋଇଥାଏ। ୬ ବର୍ଷ ବୟସରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପକଣ୍ଠ ଜନ୍ତାରିବୋଲ ସେବାଶ୍ରମରେ ଗୋଲାପୀଙ୍କ ନାମ ଲେଖାଯାଇଥିଲା। ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ସମୟରେ ଦିନେ ହଷ୍ଟେଲ ଖଟରେ ମଶାରି ବାନ୍ଧୁଥିବା ସମୟରେ ଚଟାଣରେ ଗୋଡ଼ ଖସି ଗୋଲାପୀ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ସେହିରାତି ପ୍ରବଳ ବିନ୍ଧା ଛିଟିକା ହୋଇ ଜ୍ବର ଆସିଥିଲା। ଖବରପାଇ ପରଦିନ ଅସୁସ୍ଥ ଝିଅକୁ ସାଥୀରେ ଧରି ମାଆ ଗାଁକୁ ପଳାଇଆସିଥିଲେ। ନିରକ୍ଷର ମା’ବାପା ୨ମାସ ଧରି ଗାଁରେ ଝିଅର ପାରମ୍ପରିକ ଜଡ଼ିବୁଟି ଚିକିତ୍ସା କରାଇଥିଲେ। ହେଲେ ରୋଗ ବଢ଼ିଲା ପଛେ କମିଲାନି। ପରେ ତାଙ୍କୁ ଟାଟାଷ୍ଟିଲ ସୁକିନ୍ଦା ହସପିଟାଲ୍ ଓ ସେଠାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।
‘ଏକ୍ସ’ରେ ରିପୋର୍ଟରୁ ମେରୁଦଣ୍ଡରେ ଗଭୀର କ୍ଷତ ଜଣାପଡ଼ିଥିଲା। ଅସ୍ତ୍ରୋପଚାର ପରେ ଗୋଲାପୀ ସୁସ୍ଥ ହୋଇଥିଲେ ହେଁ ସବୁଦିନ ପାଇଁ ସେ ଦିବ୍ୟାଙ୍ଗ ପାଲଟି ଯାଇଥିଲେ। ଗାଁ ସରକାରୀ ସ୍କୁଲରେ ଉଚ୍ଚ ପ୍ରାଥମିକ ଶିକ୍ଷା ପରେ ଘର ଠାରୁ ୩ କିଲୋମିଟର ଦୂର ଗରାମିଆଁ ଆଞ୍ଚଳିକ ହାଇସ୍କୁଲରେ ପାଠ ପଢ଼ିଥିଲେ। ଗୋଟିଏ ହାତ ସାଙ୍ଗ ମିଲି ତିରିଆଙ୍କ କାନ୍ଧରେ ରଖି ଅନ୍ୟ ହାତରେ ବାଡ଼ି ଧରି ସେ ସ୍କୁଲ ଯାଉଥିଲେ। ମାଟ୍ରିକ୍ ପରେ ଗୋଲାପୀ ଖୋର୍ଦ୍ଧା ଜଟଣୀର ଆଇଟିଆଇରେ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିଥିଲେ।
କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ବର ପୋଖରିପୁଟସ୍ଥିତ ନେସନାଲ କ୍ୟାରିଅର ସର୍ଭିସ ସେଣ୍ଟର ଫର୍ ଡିଫରେଣ୍ଟ୍ ଏବୁଲ୍ଡ(ଏନ୍ସିଏସ୍ସିଡିଏ)ରେ ସ୍ବତନ୍ତ୍ର ପ୍ରଶିକ୍ଷଣ ପରେ ଗୋଲାପୀଙ୍କ ଭାଗ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଛି। ସେଠାରେ କଞ୍ଜ୍ୟୁମର ଇଲୋକ୍ଟ୍ରୋନିକ୍ସ ବିଭାଗରେ ପ୍ରଶିକ୍ଷଣ ନେବା ସହ ବିଭାଗୀୟ ପ୍ରଶିକ୍ଷକ ବନ୍ଦନା ମିଶ୍ରଙ୍କ ପରାମର୍ଶରେ ସେ ସନ୍ତରଣ ପ୍ରଶିକ୍ଷଣ ଅତିରିକ୍ତ କ୍ରୀଡ଼ାଭ୍ୟାସ କରୁଥିଲେ। ୨ ବର୍ଷ ଧରି କଳିଙ୍ଗ ଷ୍ଟାଡିଅମ୍ରେ ଅନୁଷ୍ଠିତ ରାଜ୍ୟ ପାରା ଆଥଲେଟ୍ ପ୍ରତିଯୋଗିତାର ମହିଳା ଏଫ୍-୫୮ ବର୍ଗ ଡିସ୍କସ ଥ୍ରୋ ଏବଂ ବାଳିକା ଏଫ୍-୫୪/୫୫ ସଟ୍ପୁଟ୍ ଓ ଜାଭେଲିନ୍ ଥ୍ରୋରେ ସେ ସ୍ବର୍ଣ୍ଣପଦକ ଜିତି ଆସିଛନ୍ତି।
ଗୋଲାପୀ ଏବେ କଟକ ଶୈଳବାଳା ମହିଳା କଲେଜ୍ର ପ୍ରଥମ ବାର୍ଷିକ କଳା ଛାତ୍ରୀ। ମାସିକ ୧ ହଜାର ଟଙ୍କା ଦିବ୍ୟାଙ୍ଗ ଭତ୍ତାକୁ ସମ୍ବଳକରି ସେ ଜୀବନ ସଂଗ୍ରାମ ଜାରି ରଖିଛନ୍ତି। ନିୟମିତ କଳିଙ୍ଗ ଷ୍ଟାଡିଅମ୍ରେ କ୍ରୀଡ଼ାଭ୍ୟାସ ସୁଯୋଗ ପାଇଲେ ସେ ପାରା ଅଲିମ୍ପିକ୍ସରେ ଚମକି ପାରନ୍ତେ ବୋଲି ଗୋଲାପୀ କହିଲା ବେଳେ ତାଙ୍କ ଆଖିରୁ ଲୁହ ଜକେଇ ଆସିଥିଲା। ଏହି ଆଦିବାସୀ ପାରା ଆଥଲେଟ୍ ଜଣେ ପ୍ରତିଭାବାନ ଖେଳାଳି ବୋଲି କହନ୍ତି ତାଙ୍କ ପ୍ରଶିକ୍ଷକ ବନ୍ଦନା ମିଶ୍ର। କଠିନ୍ ପରିସ୍ଥିତିରେ ଯୁଝୁଥିବା ଜଣେ ଜାତୀୟ ସ୍ତରୀୟ କ୍ରୀଡ଼ା ପ୍ରତିଭା ଜିଲ୍ଲା ପ୍ରଶାସନର ଆଢ଼ୁଆଳରେ ରହିବା ଦୁର୍ଭାଗ୍ୟଜନକ ବୋଲି ଜିଲ୍ଲା ପାରା ସ୍ପୋର୍ଟ୍ସ ଆସୋସିଏସନ୍ ସଭାପତି ମଣ୍ଟୁ ଦାସ କ୍ଷୋଭର ସହ କହନ୍ତି।
Jajpur