ରୋଇଂ ଓ ଟେନିସ୍‌ରୁ ଆସିଲା ସ୍ବର୍ଣ୍ଣ

ଭୁବନେଶ୍ବର: ମଧ୍ୟପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବା କ୍ରୀଡ଼ାରେ ଗୁରୁବାର ଓଡ଼ିଶାକୁ ୨ ସ୍ବର୍ଣ୍ଣ ସହ ୪ ପଦକ ମିଳିଛି। ଏହାଫଳରେ ଓଡ଼ିଶାର ମୋଟ ପଦକ ସଂଖ୍ୟା ୨୮ରେ ପହଞ୍ଚିଛି। ଟେନିସ୍‌ରେ ଆରାଧ୍ୟା ବର୍ମା ଓ ସୋହିନି ମହାନ୍ତି ଯୁଗଳ ଫାଇନାଲ୍‌ରେ ମଧ୍ୟପ୍ରଦେଶକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ଅପର ଲେକ୍‌ରେ ଚାଲିଥିବା ରୋଇଂର ବାଳକ କକ୍ସଲେସ୍‌ ପେୟାରରେ ରବି ବେଦୱାଲ ଓ ସୁମିତ କୁମାର ସ୍ବାଇଁଙ୍କ ଯୋଡ଼ି ସ୍ବର୍ଣ୍ଣ ପଦକ ପାଇଛନ୍ତି। ବାଳିକା ଡବଲ ସ୍କଲ୍‌ରେ ଅରୁଣପ୍ରୀତ୍‌ କୌର ଓ ଗୁରୁଶରଣପ୍ରୀତ୍‌ କୌରଙ୍କ ଯୋଡ଼ିକୁ ରୌପ୍ୟ ଏବଂ ବାଳିକା କକ୍ସଲେସ୍‌ ଫୋର୍‌ରେ ଶୁଭଶ୍ରୀ ବିଶ୍ବାଳ, ବର୍ଷାରାଣୀ ସେଠୀ, ସୌମ୍ୟାଶ୍ରୀ ପଣ୍ଡା, ପ୍ରୀତିପ୍ରଜ୍ଞା ସାହୁଙ୍କ ଯୋଡ଼ିକୁ କାଂସ୍ୟ ପଦକ ମିଳିଛି। ତେବେ ଦଳଗତ ଭାବେ ଓଡ଼ିଶା ପୁରୁଷ ଦଳ ଦ୍ବିତୀୟ ଉପବିଜେତା ହୋଇଛି। ଅନ୍ୟପକ୍ଷରେ ହକିରେ ଓଡ଼ିଶା ବାଳକ ଦଳ ସେମିଫାଇନାଲ୍‌ରେ ଝାଡ଼ଖଣ୍ଡକୁ ୧-୦ ଗୋଲ୍‌ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି। ଫାଇନାଲ୍‌ରେ ଏହି ଦଳ ମଧ୍ୟପ୍ରଦେଶକୁ ଭେଟିବ। ତେବେ ମହିଳା ଦଳ ୧-୩ରେ ଝାଡ଼ଡ଼ଖଣ୍ଡଠୁ ହାରି ଫାଇନାଲ୍‌ରୁ ବଞ୍ଚିତ ହୋଇଛି। ଏବେ ମହିଳା ଦଳ କାଂସ୍ୟ ଲଢ଼େଇରେ ହରିୟାଣାକୁ ଭେଟିବ।

ସମ୍ବନ୍ଧିତ ଖବର