ମହାନାୟକ ନୀରଜ, ମିଲ୍‌ଖା ସିଂହଙ୍କୁ ସ୍ବର୍ଣ୍ଣ ଉତ୍ସର୍ଗ

ଯୁବ ପିଢ଼ିଙ୍କୁ ପ୍ରେରଣା ଦେବ

ଟୋକିଓ, ୭।୮: ଟୋକିଓ ଅଲିମ୍ପିକ୍ସର ତାରକା ଖଚିତ ପୁରୁଷ ଜାଭଲିନ୍ ଫାଇନାଲରେ ବିଶ୍ବର ବଛା ବଛା ୧୨ ଜଣ ଆଥଲେଟ୍ ସାମିଲ ଥିଲେ। ସମସ୍ତେ ଜର୍ମାନିର ଜୋନାଥନ ଭେଟର (୯୬.୭୬ ମିଟରର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିବା) ସ୍ବର୍ଣ୍ଣ ଜିତିବେ ବୋଲି ଆଶା କରୁଥିଲେ। ହେଲେ ନୀରଜ ନୂଆ ଇତିହାସ ରଚିବାର ସଙ୍କଳ୍ପ ନେଇ ପଡ଼ିଆକୁ ଓହ୍ଲାଇଥି‌ଲେ। ଅସାଧରଣ ବୈଷୟିକ କଳା କୌଶଳ, ରନ୍ ଅପ୍ ଏବଂ ରିଲିଜ୍ ସବୁକିଛି ଠିକ୍ ରଖି ନିଜ ପ୍ରଥମ ପ୍ରୟାସରେ ହିଁ ୮୭.୦୩ ମିଟର ଦୂରତାକୁ ଛୁଇଁ ନେଇଥିଲେ ସେ। ସେହିଭଳି ଦ୍ବିତୀୟ ପ୍ରୟାସରେ ତାଠାରୁ ଯଥେଷ୍ଟ ଭଲ କରି ୮୭.୫୮ ମିଟରକୁ ଜାଭେଲିନ୍ ଫିଙ୍ଗିଥି‌ଲେ। ଅନ୍ୟପକ୍ଷରେ ତାଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭେଟେଲ ନିଜ ପ୍ରଥମ ପ୍ରୟାସରେ ୮୨.୫୨ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗିବା ସହ ପରବର୍ତ୍ତୀ ଦୁଇ ପ୍ରୟାସରେ ୮୦ ମିଟର ବି ଟପି ନଥିଲେ। ବରଂ ନିଜ ଦ୍ବିତୀୟ ଏବଂ ତୃତୀୟ ପ୍ରୟାସକୁ ନିଜ ତରଫରୁ ବେକାର କରିଦେଇଥିଲେ। ସେଥିପାଇଁ ପ୍ରଥମ ପର୍ଯ୍ୟା‌ୟରୁ ବିଦାୟ ନେଇଥିଲେ। ସେହିଠାରୁ ହିଁ ନୀରଜ ବିଶ୍ବ ଜାଭଲିନ୍‌ରେ ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିବେ ବୋଲି ଆଶା ସଂଚାର ହୋଇଥିଲା। ତୃତୀୟ ପ୍ରୟାସରେ ନୀରଜ ଯେତେବେଳେ ୭୬.୭୯ ମିଟରକୁ ଖସି ଆସିଲେ ସେତେବେଳେ ସବୁ ଭାରତୀୟଙ୍କ ହୃତ୍‌ସ୍ପନ୍ଦନ ବଢ଼ି ଯାଇଥିଲା। ତେବେ ଆହୁରି ତିନି ପ୍ରୟାସ ଥିବାରୁ ଆଶ୍ବସ୍ତ ଥିଲେ ଭାରତବାସୀ। ସେପଟେ ଭେଟେଲଙ୍କ ସହ ୧୨ ଜଣିଆ ଫାଇନାଲର ଶେଷ ୪ ସ୍ଥାନରେ ରହିଥିବା ବେଲାଋଷର ପାଭେଲ ମିଆଲେସ୍କା, ରୋମାନିଆର ଆଲେଜାଣ୍ଡ୍ରୁ ନୋଭାକ ଓ ସ୍ବିଡେନର କିମ ଅମ୍ବ୍ ବାଦ୍‌ ପଡ଼ି ଯାଇଥିଲେ। ଏଣୁ ନିୟମ ଅନୁସାରେ ମୋଟ ୬ ରାଉଣ୍ଡ ବା ପ୍ରୟାସର ପରବର୍ତ୍ତୀ ତିନି ରାଉଣ୍ଡ ୮ ଜଣ ଖେଳାଳିଙ୍କୁ ନେଇ ହୋଇଥିଲା। ଶେଷ ତିନିଟି ପ୍ରୟାସ ମଧ୍ୟରୁ ଚତୁର୍ଥ ଓ ପଞ୍ଚମ ପ୍ରୟାସରେ ସେତେଟା ଭଲ ନକରିବା ପରେ ନୀରଜ ଏହାକୁ ନିଜ ଆଡ଼ୁ ନାକଚ କରି ଦେଇଥିଲେ। ଷଷ୍ଠ ତଥା ଶେଷ ପ୍ରୟାସରେ ସେ ୮୪.୨୪ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗିଥିଲେ। ତେବେ ନିଜ ଦ୍ବିତୀୟ ପ୍ରୟାସ ସଫଳତା ବଳରେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ କବ୍‌ଜା କରି ନେଇଥିଲେ। ଚେକ୍‌ ରିପବ୍ଲିକର ଜାକବ ଭାଦଲେକ୍ (୮୬.୬୭ ମିଟର) ଓ ଭିତେସ୍ଲାଭ୍ ଭେସେଲି (୮୫.୪୪ ମିଟର) ନିଜ ନିଜର ଋତୁ ଶ୍ରେଷ୍ଠ ପ୍ରଦର୍ଶନ ସହ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ରୌପ୍ୟ ଓ କାଂସ୍ୟ ପଦକ ହାସଲ କରି ନେଇଥିଲେ। ଜର୍ମାନିର ଅନ୍ୟତମ ତାରକା ଜୁଲିଆନ୍ ୱେବର (୮୫.୩୦) ଚଳିତ ଋତୁର ଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ ଦେବା ସତ୍ତ୍ବେ ଚତୁର୍ଥ ସ୍ଥାନରେ ରହି ମାତ୍ର ୦.୨୪ ମିଟର ଦୂରତା ଲାଗି ପଦକରୁ ବଞ୍ଚିତ ହୋଇଥିଲେ।

‘ମୁଁ ଭାବିନଥିଲି ସୁନା ମିଳିବ, ଏହା ଅବିଶ୍ବସନୀୟ ଅନୁଭୂତି। ସ୍ବର୍ଣ୍ଣ ଜିତିବା ପରେ ଏହା ଥିଲା ଦେଶର ନୂଆ ତାରକା ନିରଜ ଚୋପ୍ରାଙ୍କ ପ୍ରଥମ ପ୍ରତିକ୍ରିୟା। ଟ୍ରାକ୍‌ ଆଣ୍ଡ ଫିଲ୍‌ଡରେ ପ୍ରଥମ ଓ ଦେଶ ପାଇଁ ଦ୍ବିତୀୟ ବ୍ୟକ୍ତିଗତ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଜିତିଥିବା ନିରଜ ଏହି ପଦକକୁ କିଂବଦନ୍ତି ଧାବକ ମିଲ୍‌ଖା ସିଂହଙ୍କୁ ଉତ୍ସର୍ଗ କରିଥିଲେ। କହିଥିଲେ ‘ମୁଁ ଏହି ପଦକ ପୂଜ୍ୟ ମିଲ୍‌ଖା ସିଂହଙ୍କୁ ଉତ୍ସର୍ଗ କରୁଛି। ଆଶା ସେ ସ୍ବର୍ଗରେ ଥାଇ ଏହି ମୁହୂର୍ତ୍ତକୁ ଦେଖିଥିବେ ଯାହାକୁ ଜୀବନ ସାରା ଅପେକ୍ଷା କରି ରହିଥିଲେ। ଜର୍ମାନ୍ ମହାନାୟକ ଜୋହାନସ୍‌ ଭେଟର୍‌ଙ୍କୁ ସ୍ବର୍ଣ୍ଣ ମିଳିବ ବୋଲି ସମସ୍ତେ ଭାବିଥିଲା ବେଳେ ଆପଣ ଏହାର ହକ୍‌ଦାର ହେବେ ବୋଲି ଚିନ୍ତା କରିଥିଲେ କି ବୋଲି ପ୍ରଶ୍ନର ଉତ୍ତରରେ ନିରଜ କହିଲେ, ଯୋଗ୍ୟତା ପର୍ଯ୍ୟାୟରେ ଭଲ ପ୍ରଦର୍ଶନ ପରେ ଫାଇନାଲ୍‌ରେ ମୁଁ ଆହୁରି ଭଲ କରିପାରିବି ବୋଲି ଆଶା ରଖିଥିଲି। କିନ୍ତୁ ଏହା ସ୍ବର୍ଣ୍ଣ ହେବ ତାହା ଜାଣି ନଥିଲି। ଆଥ୍‌ଲେଟିକ୍ସରେ ପ୍ରଥମ ସ୍ବର୍ଣ୍ଣ ପାଇ ଥିବାରୁ ମୁଁ ଓ ମୋ ଦେଶ ଗର୍ବିତ ବୋଲି ନିଜ ପ୍ରତିକ୍ରିୟାରେ ନିରଜ କହିଥିଲେ।

ବିସିସିଆଇ ଖୋଲିଦେଲା ଭଣ୍ଡାର

ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ ଖେଳାଳିଙ୍କ ପାଇଁ ବିସିସିଆଇ ତାର ଭଣ୍ଡାର ଘର ଖୋଲି ଦେଇଛି। ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ ୧ କୋଟି ସହ ଅନ୍ୟ ପଦକ ବିଜେତାଙ୍କ ପାଇଁ ମଧ୍ୟ ଶନିବାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି ସଂପାଦକ ଜୟ ଶାହ। ଆସନ୍ତୁ ବିସିସିଆଇ ଭାରତର ପଦକ ବିଜେତାଙ୍କ ମଧ୍ୟରୁ କାହାକୁ କେତେ ଟଙ୍କା ଦେବ ତା ଉପରେ ନଜର ପକାଇବା। ନୀରଜ ‌ଚୋପ୍ରା (ସ୍ବର୍ଣ୍ଣ): ୧‌ କୋଟି। ମୀରାବାଇ ଚାନୁ (ରୌପ୍ୟ): ୫୦ ଲକ୍ଷ। ରବି କୁମାର ଦାହିଆ (ରୌପ୍ୟ): ୫୦ ଲକ୍ଷ। ପିଭି ସିନ୍ଧୁ (କାଂସ୍ୟ): ୨୫ ଲକ୍ଷ। ଲଭଲିନା ବର୍ଗୋହାଁ (କାଂସ୍ୟ): ୨୫ ଲକ୍ଷ । ବଜରଙ୍ଗ ପୁନିଆ (କାଂସ୍ୟ): ୨୫ ଲକ୍ଷ । ହକି ଦଳ (କାଂସ୍ୟ): ୧.୨୫ କୋଟି।

ସମ୍ବନ୍ଧିତ ଖବର