ଜାତୀୟ ଓ ଅନ୍ତଃରାଜ୍ୟ ଭାରୋତ୍ତୋଳନ: କୁଲ୍‌ଦୀପଙ୍କୁ ସ୍ବର୍ଣ୍ଣ, ମିହିରଙ୍କୁ ୨ ପଦକ

ଭୁବନେଶ୍ବର: ସ୍ଥାନୀୟ କିଟ୍‌ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଆଇଡବ୍ଲ୍ୟୁଏଲ୍‌ଏଫ୍‌ ଜାତୀୟ ଓ ଅନ୍ତଃରାଜ୍ୟ (ଯୁବ, କନିଷ୍ଠ, ବରିଷ୍ଠ) ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୁରୁବାର ଓଡ଼ିଶା ପାଇଁ ସଫଳତାର ଦିନ ହୋଇଛି। ଏହି ଦିନ ଓଡ଼ିଶାକୁ ୩ ପଦକ ମିଳିଛି। କୁଲଦୀପ ସାହୁ ଗୋଟିଏ ସ୍ବର୍ଣ୍ଣ ଜିତିଥିଲା ବେଳେ ମିହିର କାନ୍ତ ସେଠୀ ଯୁଗଳ ପଦକ (ସ୍ବର୍ଣ୍ଣ ଓ ରୌପ୍ୟ) ଜିତିଛନ୍ତି। ଫଳରେ ଗୁରୁବାର ସୁଦ୍ଧା ଏହି ପ୍ରତିଯୋଗିତାରେ ଓଡ଼ିଆଙ୍କ ପଦକ ସଂଖ୍ୟା ୭ (୨ ସ୍ବର୍ଣ୍ଣ, ୨‌ ରୌପ୍ୟ ଓ ୩ କାଂସ୍ୟ)କୁ ବୃଦ୍ଧି ପାଇଛି। ପୂର୍ବରୁ ମୁନା (ରୌପ୍ୟ), ଝିଲ୍ଲୀ ଦଳବେହେରା (କାଂସ୍ୟ), ସ୍ନେହା ସୋରେନ (କାଂସ୍ୟ), ସୁଶାନ୍ତ ସାହୁ (କାଂସ୍ୟ) ପଦକ ଜିତିଥିଲେ।

ଆଜି ୭୩ କେଜି ଯୁବ ପୁରୁଷ ବର୍ଗରେ ଓଡିଶାର କୁଲଦୀପ ସାହୁ ସ୍ନାଚରେ ୧୧୯ ଏବଂ କ୍ଲିନ ଓ ଜର୍କରେ ୧୪୬ ସହ ମୋଟ ୨୬୫ କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ବର୍ଗରେ ଆନ୍ଧ୍ରପ୍ରଦେଶର ବି. ଭେଙ୍କଟ କ୍ରିଷ୍ଣା ୨୬୩ କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଦିଲ୍ଲୀର ଶିବ ଚୌଧୁରୀ ୨୫୨ କେଜି ଉତ୍ତୋଳନ କରି କାଂସ୍ୟ ପଦକ ହାସଲ କରିଥିଲେ। ସେହିପରି ୭୩ କେଜି ଅନ୍ତଃରାଜ୍ୟ ପୁରୁଷ ବର୍ଗରେ ଓଡ଼ିଶାର ମିହିର କାନ୍ତ ସେଠୀ ସ୍ନାଚରେ ୧୨୭ ଏବଂ କ୍ଲିନ ଓ ଜର୍କରେ ୧୬୩ ସହ ମୋଟ ୨୯୦ କେଜି ଭାର ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି I ଏହି ବର୍ଗରେ ଚଣ୍ଡିଗଡ଼ର ଗଙ୍ଗା ସିଂହ (୨୮୮ କେଜି) ରୌପ୍ୟ ଏବଂ କେରଳର ବି. ଦେବପ୍ରୀଧନ (୨୮୭ କେଜି) କାଂସ୍ୟ ପଦକ ଜିତିଥିଲେ। ୭୩ କେଜି ପୁରୁଷ ବର୍ଗରେ ଓଡ଼ିଶାର ମିହିରକାନ୍ତ ମୋଟ ୨୯୦ କେଜି ଭାର ଉତ୍ତୋଳନ କରି ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଜିତି ନିଜ ଯୁଗଳ ପଦକ କରାୟତ୍ତର ସୌଭାଗ୍ୟ ପାଇଥିଲେ। ଏହି ବର୍ଗରେ ଆରଏସ୍‌ପିବିର ଏନ. ଆଜିଥ (୨୯୭ କେଜି) ସ୍ବର୍ଣ୍ଣ ଏବଂ ଚଣ୍ଡିଗଡ଼ର ଗଙ୍ଗା ସିଂହ (୨୮୮ କେଜି) କାଂସ୍ୟ ପଦକ ପାଇଥିଲେ। ୭୩ କେଜି କନିଷ୍ଠ ପୁରୁଷରେ କର୍ଣ୍ଣାଟକର ପ୍ରଜ୍ବଳ (୨୭୭ କେଜି) ସ୍ବର୍ଣ୍ଣ, ରାଜସ୍ଥାନର ନୈତିକ ଜାଂଗିଦ (୨୭୧ କେଜି) ରୌପ୍ୟ ଏବଂ ଆନ୍ଧ୍ରପ୍ରଦେଶର ଜେ. କୋଟେଶ୍ୱର ରାଓ (୨୭୧ କେଜି) କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର