ଭୁବନେଶ୍ବର: ଅହମଦାବାଦର ନରଣାପୁରଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ମଙ୍ଗଳବାର ଦୁଇ ଓଡ଼ିଆ ଝିଅଙ୍କ ଚମକ ଦେଖିବାକୁ ମିଳିଛି। ମୀନା ସାନ୍ତା (ଏ) ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ସ୍ନେହା ସୋରେନ୍ ରୌପ୍ୟ ପଦକ ପାଇଛନ୍ତି। କନିଷ୍ଠ ମହିଳା ୫୮ କିଲୋଗ୍ରାମ ଓଜନ୍ ବର୍ଗରେ ମୀନା ସ୍ବର୍ଣ୍ଣ ପଦକ ପାଇଛନ୍ତି। ଉମରକୋଟ କୁରୁମୁଣ୍ଡାର ଏହି ଆଦିବାସୀ ଝିଅ ସ୍ନାଚରେ ୮୪ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୧୦୧ କିଲୋଗ୍ରାମ ସହ ମୋଟ ୧୮୫ କିଲୋ ଉତ୍ତୋଳନ କରିଥିଲେ। ବ୍ୟକ୍ତିଗତ ଭାବେ ଏହା ମୀନା ସାନ୍ତା (ଏ)ଙ୍କ ଚତୁର୍ଥ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ଓ ପଞ୍ଚମ ପଦକ। ପୂର୍ବରୁ ୫୫ କିଲୋଗ୍ରାମରେ ଭାଗ ନେଉଥିବା ମୀନା ୨୦୨୩ରେ ସ୍ବର୍ଣ୍ଣ ଏବଂ ୨୦୨୪ରେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତିଥିଲେ।
ଅନ୍ୟପକ୍ଷରେ ମୟୂରଭଞ୍ଜ ଝିଅ ସ୍ନେହା ବରିଷ୍ଠ ମହିଳା ୫୩ କିଲୋଗ୍ରାମ ଓଜନ୍ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ସ୍ନାଚ୍ରେ ୮୧ କିଲୋଗ୍ରାମ, କ୍ଲିନ୍ ଆଣ୍ଡ୍ ଜର୍କରେ ୧୦୪ କିଲୋଗ୍ରାମ ସହ ମୋଟ ୧୮୫ କିଲୋଗ୍ରାମ ଓଜନ ଉତ୍ତୋଳନ କରି ସ୍ନେହା ଦ୍ବିତୀୟରେ ରହିଥିଲେ। ବ୍ୟକ୍ତିଗତ ଭାବେ ସ୍ନେହାଙ୍କ ପାଇଁ ଏହା ତୃତୀୟ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପଦକ। ସେ ୨୦୧୭ରେ ମହିଳା ୪୮ କିଲୋଗ୍ରାମରେ ସ୍ବର୍ଣ୍ଣ ଏବଂ ୨୦୧୯ରେ ୫୫ କିଲୋଗ୍ରାମ ଜୁନିୟର୍ରେ ରୌପ୍ୟ ପଦକ ପାଇଥିଲେ। କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ଟେନଭିକ୍ ଭାରୋତ୍ତୋଳନ ଏଚ୍ପିସିରେ ପ୍ରଶିକ୍ଷଣ ନେଉଥିବା ଉଭୟ ଲିଫ୍ଟର ଜାତୀୟ ଶିବିରରେ ଭଲ ପ୍ରଦର୍ଶନ କରି ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ସୂଚନାଯୋଗ୍ୟ, ଚଳିତ ପ୍ରତିଯୋଗିତାରେ ସୋମବାର ଓଡ଼ିଶା ପାଇଁ ପ୍ରଥମ ସଫଳତା ଆଣିଥିଲେ ପ୍ରତିଭାବାନ ଯୁବା ଲିଫ୍ଟର ପ୍ରୀତିସ୍ମିତା ଭୋଇ। ପୂର୍ବତନ ଯୁବ ବିଶ୍ବ ବିଜୟିନୀ ପ୍ରୀତିସ୍ମିତା ୪୪ କେଜି ମହିଳା ଯୁବ ବର୍ଗରେ ରେକର୍ଡ ସହ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ଏଥିସହ ଏହି ୩ଟି ଯାକ ବର୍ଗରେ ସେ ମଧ୍ୟ ରାଜ୍ୟଗୋଷ୍ଠୀ ରେକର୍ଡର ଅଧିକାରିଣୀ ହୋଇଛନ୍ତି। ସ୍ନେହାଙ୍କୁ ଓଡ଼ିଶା ରାଜ୍ୟ ଭାରୋତ୍ତୋଳନ ସଂଘର ସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ ଏବଂ ଅନ୍ତରୀଣ ସମ୍ପାଦକ ତଥା ପ୍ରଶିକ୍ଷକ ଗୋପାଳକୃଷ୍ଣ ଦାସଙ୍କ ସହ ଅନ୍ୟ କର୍ମକର୍ତା ଅଭିନନ୍ଦନ ଜଣାଇଛନ୍ତି।