ଦେବବ୍ରତ ଗଡ଼ତିଆ

Advertisment

ରାଉରକେଲା: ସୁନ୍ଦରଗଡ଼ ମାଟିର ପାଖାପାଖି ୭୫ରୁ ଅଧିକ ଖେଳାଳି ଭାରତୀୟ ହକି ଦଳର ପ୍ରତିନିଧିତ୍ବ କରିଛନ୍ତି। ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ଦଳରେ ଉଭୟ ପୁରୁଷ ଓ ମହିଳା ଦଳରେ ଏ ମାଟିର ତାରକାଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି। ଏମିତିକି ଅଧିନାୟକ ଦାୟିତ୍ବ ତୁଲାଇବାଠାରୁ ଆରମ୍ଭ କରି ଅଲିମ୍ପିକ, ବିଶ୍ବକପ୍‌ରେ ଭାଗନେବା ତଥା ଭାରତ ପକ୍ଷରୁ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଖେଳାଳି ଦିଲୀପ ତିର୍କୀ ଏହି ମାଟିର। ତେବେ ପ୍ରାୟ ସବୁ ହକି ତାରକାଙ୍କ ସମାନ କାହାଣୀ। ଜଣେ ବି ପକ୍କା ଘରେ ବଢ଼ିନାହାନ୍ତି। ସମସ୍ତେ ସେହି ପୁରୁଣା କାଳିଆ ମାଟିଘରେ ଦିନ କାଟିଛନ୍ତି। ଏମାନଙ୍କ ଆଗରେ ହାର୍‌ ମାନିଛି ଦାରିଦ୍ର୍ୟ। ପ୍ରାୟ ସମସ୍ତେ କ୍ଷୁଦ୍ର ଚାଷୀ ପରିବାରରେ ଜନ୍ମଗ୍ରହଣ କରି କଠୋର ଅଧ୍ୟବସାୟ ବଳରେ ଭାରତୀୟ ଦଳର ପ୍ରତିନିଧିତ୍ବ କରିବାରେ ସକ୍ଷମ ହୋଇଛି।

୧୯୮୨ ସିହାରେ ପ୍ରଥମ ଓଡ଼ିଆଭାବେ କନିଷ୍ଠ ବିଶ୍ବକପ୍‌ ଖେଳିଥିବା ପିଟର ତିର୍କୀଙ୍କଠାରୁ ଆରମ୍ଭକରି ଚଳିତ ବିଶ୍ବକପ୍‌ ଦଳରେ ସାମିଲ ଅମିତ ରୋହିଦାସ, ନୀଲମ ସଞ୍ଜୀପ ଖେସ୍‌ଙ୍କ ପର୍ଯ୍ୟନ୍ତ; ଏମାନେ ପିଲାଟି ଦିନରୁ ଦାରିଦ୍ର ସହ ବଢ଼ିଛନ୍ତି। ଭାରତୀୟ ହକି ଜଗତକୁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ମୋଟ୍‌ ୧୦ ଜଣ ଅଲିମ୍ପିଆନ ଦେଇଛି। ସେମାନେ ହେଉଛନ୍ତି ଦିଲ୍ଲୀପ ତିର୍କୀ, ଲାଜରୁସ ବାର୍ଲା, ଇଗ୍ନେସ ତିର୍କୀ, ୱିଲିୟମ ଖାଲଖୋ, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା ଏବଂ ମହିଳାରେ ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ ଓ ସୁନୀତା ଲାକ୍ରା। ଏମାନଙ୍କ ବ୍ୟତୀତ ବରିଷ୍ଠ ପୁରୁଷ ଦଳରେ ଏ ମାଟିର, ପ୍ରବୋଧ ତିର୍କୀ, ରୋଶନ ମିଞ୍ଜ, ବୀରେନ୍ଦ୍ର ଲାକ୍ରା, ନୀଳମ ସଞ୍ଜୀପ ଖେସ୍‌, ଦୀପସାନ ତିର୍କୀ, ଶୀଳାନନ୍ଦ ଲାକ୍ରା, ଷ୍ଟାନ୍‌ଲୀ ଭିକ୍ଟର ମିଞ୍ଜ ପ୍ରମୁଖ ଏବଂ ମହିଳା ଦଳରେ ଜ୍ୟୋତି ସୁନୀତା କୁଲ୍ଲୁ, ଗ୍ଲୋରିଆ ଡୁଙ୍ଗଡୁଙ୍ଗ, ଦୀପଗ୍ରେସ ଏକ୍କା, ଶୁଭଦ୍ରା ପ୍ରଧାନ, ମାରିଆନା କୁଜୁର, ବିନୀତା ଟପ୍ପୋ, ମୁକ୍ତାପ୍ରଭା ବାର୍ଲା, ନୀଳିମା କୁଜୁର, ନମିତା ଟ‌ପ୍ପୋ, ସୁନୀତା ଲାକ୍ରା, ଲିଲିମା ମିଞ୍ଜ, ଆନ୍ନାରିଟା କେର୍କେଟା, ରୋଜାଲିନ ଡୁଙ୍ଗଡୁଙ୍ଗ, ଅନୂପା ବାର୍ଲା, ବିନିତା ଖେସ, ଆଗ୍ନେସିୟା ଲୁଗୁନ, ସରିତା ଲାକ୍ରା, ଅଞ୍ଜନା ବାର୍ଲା ପ୍ରମୁଖ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶିତ କରିଛନ୍ତି। ପ୍ରାୟ ସମସ୍ତଙ୍କର ଆର୍ଥିକ ସ୍ଥିତି ଅତି ନିମ୍ନମାନର ଥିବାରୁ ସେମାନଙ୍କର ପିତା-ମାତା ଚାଷ କରିବାସହ ଦିନ ମଜୁରିଆଭାବେ କାର୍ଯ୍ୟ କରୁଥିଲେ। ଏମିତିକି ଭାରତୀୟ ପୁରୁଷ ଦଳର ଉପଅଧିନାୟକ ଅମିତ ରୋହିଦାସଙ୍କ ବାପା ଦାଦନ ଖଟିବାକୁ ବି ଯାଇଥିଲେ।

ଉଦାହରଣ ସ୍ବରୂପ, ଗତ ଟୋକିଓ ଅଲିମ୍ପିକ୍ସ୍‌ରେ ଇତିହାସ ରଚିଥିବା ସୁନ୍ଦରଗଡ଼ ମାଟିର ୪ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ନିଆଯାଇ ପାରିବ। ଛଅ ଭାଇ ଭଉଣୀଙ୍କ ମଧ୍ୟରେ ସବା ସାନ ବୀରେନ୍ଦ୍ର ଲାକ୍ରାଙ୍କ ବାପା ଇଗ୍ନେସ ଲାକ୍ରା ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସପିଟାଲରେ ଷ୍ଟୋର୍‌ କିପର୍‌ଭାବେ କାର୍ଯ୍ୟରତ ଥିବାବେଳେ ମା ମେରୀ ଲାକ୍ରା ଗୃହିଣୀ। ପରିବାରର ଏକମାତ୍ର ରୋଜଗାରର ମାଧ୍ୟମ ଥିବା ବୀରେନ୍ଦ୍ରଙ୍କ ବାପା ୨୦୦୯ ମସିହାରେ ମୃତ୍ୟୁବରଣ କରିବାପରେ ପାରିବାରିକ ସ୍ଥିତି ଦୋହଳି ଯାଇଥିଲା। ହକି କିମ୍ବଦନ୍ତୀ ଦିଲୀପ ତିର୍କୀଙ୍କ ଗାଁ ସଉନାମୁରାରେ ଜନ୍ମିତ ଅମିତ ରୋହିଦାସଙ୍କ ବାଲ୍ୟ ଜୀବନ ମଧ୍ୟ ବେଶ୍‌ କଷ୍ଟକର ଥିଲା। ବାପା ଗୋପାଳ ରୋହିଦାସ ଚାଷ କରୁଥିବାବେଳେ ମା ଗୋଳାପି ଗୃହିଣୀ। କିନ୍ତୁ ଚାଷରୁ ଆୟ ପର୍ଯ୍ୟପ୍ତ ନଥିବାରୁ ବାପା ଗୋଆକୁ ଦାଦନ ଖଟିବାକୁ ଯାଉଥିଲେ। ସେହିଭଳି ଅଲିମ୍ପିଆନ ଦୀପଗ୍ରେସ୍‌ ଏକ୍କାଙ୍କୁ ମଧ୍ୟ ଯାବତୀୟ ଝଡ଼ଝଞ୍ଜାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବାପା ଚାର୍ଲସ୍‌ ଏକ୍କା, ମା ଜୟାମଣୀ ଓ ତିନି ଭାଇ ଭଉଣୀଙ୍କୁ ନେଇ ପରିବାର। ବାପା ଧାନ ବିଲରେ ଦିନରାତି ରହୁଥିବାବେଳେ ମା ଛେଳି ଚରାଳିଭାବେ କାମ କରୁଥିଲେ। ଜୀବନସାରା ଅର୍ଥାଭାବ ଲାଗିରହିଥିଲା। କିନ୍ତୁ ବାପା ଜଣେ ଅଞ୍ଚଳର ଜଣାଶୁଣା ହକି ଖେଳାଳି ଥିବାରୁ ବାରମ୍ବାର ପ୍ରୋତ୍ସାହିତ କରୁଥିଲେ। ଅପରପକ୍ଷରେ ଗୋଟିଏ ହକି ଷ୍ଟିକ୍‌ କିଣିବାକୁ ହେଲେ ତାଙ୍କୁ ଧାରକରଜ କରିବାକୁ ପଡ଼ୁଥିଲା।

ତଥାପି ହାର୍‌ ମାନିନଥିଲେ। ରାଜଗାଙ୍ଗପୁର ଯଉରାମାଲରେ ଠବୋ ଟପ୍ପୋ ଓ ଚକ୍ରବତୀ ଟପ୍ପୋଙ୍କ ଔରସରୁ ଜନ୍ମିତ ନମିତା ଟପ୍ପୋଙ୍କ ସଂଘଷର କାହାଣୀ ପ୍ରେରଣାଦାୟୀ। ନମିତାଙ୍କ ୯ ଭାଇ ଭଉଣୀ, ଯଥା-ବସନ୍ତ ଟପ୍ପୋ, ଲଳିତା ଟପ୍ପୋ, ସୁନୀତା ଟପ୍ପୋ, ମନୋଜ ଟପ୍ପୋ, ଦିଲୀପ ଟପ୍ପୋ, ପରମିତା ଟପ୍ପୋ, ପ୍ରତିଭା ଟପ୍ପୋ ଓ ବୀନିତା ଟପ୍ପୋ। ମୋଟ୍‌ ୧୧ ଜଣ ସଦସ୍ୟଙ୍କ ପେଟକୁ ଆହାର ଦେଉଥିଲା ଚାଷ। ଚାଷରୁ ଯାହା ଆୟ ହେଉଥିଲା ସେଥିରେ ପୂରା ପରିବାର ଚଳୁଥିଲେ। ନମିତାଙ୍କ ପୁରା ପରିବାର ହକି ପ୍ରତି ସମର୍ପିତ ଥିଲେ। ପ୍ରାୟ ସବୁ ଭାଇ ଭଉଣୀ ଗାଁରେ ହକି ଖେଳୁଥିଲେ। ବଡ଼ଭାଇ ବସନ୍ତ ମଧ୍ୟ ଜଣେ ପ୍ରତିଷ୍ଠିତ ହକି ଖେଳାଳିଥିଲେ। ସେ ଜାତୀୟ କନିଷ୍ଠ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିଥିଲେ। ଏହାବାଦ୍‌ ଆଉ ଜଣେ ବଡ଼ଭାଇ ଦିଲୀପ ମଧ୍ୟ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଭାଇମାନଙ୍କୁ ହକି ଖେଳୁଥିବା ଦେଖି ହକି ପ୍ରତି ନମିତାଙ୍କ ରୁଚି ବଢ଼ିଥିଲା। ଏକାଧିକ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସେ ହକି ଖେଳ ଜାରି ରଖିଥିଲେ। ସେହିଭଳି ଭାରତୀୟ ଦଳ ପାଇଁ ଖେଳିବାକୁ ହଜାର ହଜାର ଆଦିବାସୀଙ୍କୁ ସ୍ବପ୍ନ ଦେଖାଇଥିବା, ଉତ୍ସାହିତ କରିଥିବା ଜିଲ୍ଲାର ପ୍ରଥମ ଅନ୍ତର୍ଜାତୀୟ ହକି ଖେଳାଳି ପିଟର ତିର୍କି ଏବଂ ପ୍ରଥମ ଅଲିମ୍ପିଆନ ଦିଲୀପ ତିର୍କୀଙ୍କ ମଧ୍ୟ କାହାଣୀ ପ୍ରାୟ ସମାନ। ଦାରିଦ୍ର୍ୟର ଚରମ ସୀମାକୁ ଅଙ୍ଗେ ନିଭାଇଥିବା ଏହି ମହାନ ଖେଳାଳିମାନେ କେବଳ ଅସଂଖ୍ୟ ଯୁବକଯୁବତୀଙ୍କୁ ହକି ଷ୍ଟିକ୍‌ ଧରିବାକୁ ଅନୁପ୍ରାଣୀତ କରିନାହାନ୍ତି, ବରଂ ମାଟି ଘରୁ ସୁନା ମୁଣ୍ଡା ହେବାର ପଥ ଦେଖାଇଛନ୍ତି।