ସୁନା ଜୋତା ଲଢ଼େଇ ଲୁକାକୁ-କେନ୍‌

ମସ୍କୋ: ଫୁଟବଲ୍‌ ବିଶ୍ୱକପ୍‌ର ୨୧ତମ ସଂସ୍କରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୩୨ ଦଳକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଲିଗ୍‌, ପ୍ରି-କ୍ୱାର୍ଟର ଏବଂ କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟ ପରେ ଆଉ ମାତ୍ର ଚାରିଟି ଦଳ ଫ୍ରାନ୍ସ, ବେଲଜିୟମ, ଇଂଲଣ୍ଡ ଓ କ୍ରୋଏସିଆ ରହି ଯାଇଛନ୍ତି। ଏହି ଚାରିଟି ଯାକ ଦଳ ୟୁରୋପର ହୋଇଥିବାରୁ ସେମିଫାଇନାଲ୍‌ ଏବଂ ଫାଇନାଲ୍‌ ପର୍ଯ୍ୟାୟକୁ ୟୁରୋପୀୟ ଲଢ଼େଇର ଆଖ୍ୟା ମିଳିଛି। ମଙ୍ଗଳବାର ପ୍ରଥମ ସେମିଫାଇନାଲରେ ଟ୍ରଫି ଜିତିବାର ପ୍ରବଳ ଦାଦିବାର ଫ୍ରାନ୍ସ ସ୍ୱର୍ଣ୍ଣିମ ସମୟ ଦେଇ ଗତି କରୁଥିବା ବେଲଜିୟମକୁ ଭେଟିବ। ସେହିଭଳି ବୁଧବାରର ଦ୍ୱିତୀୟ ସେମିଫାଇନାଲରେ ୨୮ ବର୍ଷର ବ୍ୟବଧାନ ପରେ ସେମିଫାଇନାଲ୍‌ ଯାଇଥିବା ଇଂଲଣ୍ଡ ଶକ୍ତିଶାଳୀ କ୍ରୋଏସିଆର ମୁକାବିଲା କରିବ। ଦଳଗତ ମୁକାବିଲା ସହ ଉଭୟ ସେମିଫାଇନାଲ୍‌ ଏବଂ ଫାଇନାଲ୍‌ ପର୍ଯ୍ୟାୟରେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ଜିତିବାକୁ ଥିବା ସୁନା ଜୋତା ଲାଗି ବ୍ୟକ୍ତିଗତ ଲଢ଼େଇ ମଧ୍ୟ ହେବ। ସଂପ୍ରତି ୬ ଗୋଲ୍‌ ଦେଇ ଇଂଲଣ୍ଡ ଅଧିନାୟକ ହାରି କେନ୍‌ ଏହି ଦୌଡ଼ରେ ସର୍ବାଗ୍ରେ ରହିଛନ୍ତି। ତାଙ୍କ ପଛକୁ ପର୍ତୁଗାଲ ଅଧିନାୟକ କ୍ରିଷ୍ଟିଆନୋ ରୋନାଲଡୋ ଓ ରୁଷିଆର ଡେନିସ୍‌ ଚେରିସେଭଙ୍କ ସହ ବେଲଜିୟମର ୨୫ ବର୍ଷୀୟ ତାରକା ରାମେଲୁ ଲୋକାକୁ ଅଛନ୍ତି। ପର୍ତୁଗାଲ ଓ ରୁଷିଆ ବିଦାୟ ନେଇ ସାରିଥିବାରୁ ରୋନାଲଡୋ ଏବଂ ଚେରିସେଭଙ୍କ ଆଡ଼ୁ କେନଙ୍କୁ କୌଣସି ବିପଦ ନାହିଁ। ହେଲେ ଲୋକାକୁ ତାଙ୍କୁ ଟପିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିଲାଗି ତାଙ୍କ ପାଖରେ ଆଉ ସର୍ବାଧିକ ଦୁଇଟି ସୁଯୋଗ ରହିଛି। ଫ୍ରାନ୍ସ ବିପକ୍ଷରେ ସେମିଫାଇନାଲରେ ବେଲିଜୟମ ହାରିଗଲେ ଯାହା ଗୋଟିଏ ହୋଇଯିବ। ଏହି ମ୍ୟାଚ୍‌ରେ ଲୋକାକୁ ବ୍ୟକ୍ତିିଗତ ଭାବେ ଦୁଇଟି ଗୋଲ୍‌ ଦେଇ ବେଲଜିୟମ ହାରିଲେ ମଧ୍ୟ ସେ କେନଙ୍କ ସମକକ୍ଷ ହୋଇଯିବେ। ତେବେ ବେଲଜିୟମ ଜିତିଲେ ଫାଇନାଲରେ କେନଙ୍କୁ କାଟିବାର ସୁଯୋଗ ତାଙ୍କ ପାଖରେ ରହିବ। ହେଲେ କେନ୍‌ କ୍ରୋଏସିଆ ବିପକ୍ଷ ସେମିଫାଇନାଲରେ ବ୍ୟକ୍ତିଗତ ଭାବେ ଗୋଟିଏ ଗୋଲ୍‌ ଦେଇଦେଲେ ତାଙ୍କୁୁ ଅତିକ୍ରମ କରିବା ଲୋକାକୁଙ୍କ ପାଇଁ କାଠିକର ପାଠ ହେବ। ତେବେ ଏହା ଅସମ୍ଭବ ନୁହେଁ। କେନ୍‌ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଖେଳୁଛନ୍ତିି। ସେପଟେ ରୋମେଲୁ ୨୦୧୪ ପରେ ଦ୍ୱିତୀୟ ଥର ପାଇଁ ବିଶ୍ୱକପରେ ଅଂଶ ଗ୍ରହଣ କରୁଛନ୍ତି। ହେଲେ ଚଳିତ ଥର ଯିଏ ସୁନା ଜୋତା ଜିତିବା ସେ ବିଶ୍ୱ ଫୁଟ୍‌ବଲ୍‌ର ନୂଆ ନାୟକ ଭାବେ ଉଭା ହେବ। ୨୦୧୫ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିବା କେନ୍‌ ଇଂଲଣ୍ଡ ପକ୍ଷରୁ ୨୮ ମ୍ୟାଚ୍‌ ଖେଳି ୧୯ ଗୋଲ୍‌ କରିଛନ୍ତି। ୨୦୧୦ରେ ଖେଳ ଜୀବନ ଆରମ୍ଭ କରିଥିବା ଲୁକାକୁ ୭୩ ମ୍ୟାଚ୍‌ରେ ବେଲଜିୟମର ପ୍ରତିନିଧିତ୍ୱ କରି ୪୦ ଗୋଲ୍‌ ଦେଇଛନ୍ତି। ଚଳିତ ବିଶ୍ୱକପ୍‌ର ୬୪ ମଧ୍ୟରୁ ୬୦ ମ୍ୟାଚ୍‌ ଖେଳ ସରିଥିଲା ବେଳେ ସେଥିରେ ୧୫୭ ଗୋଲ୍‌ ଦେଖିବାକୁ ମିଳିଛି। ପ୍ରତି ମ୍ୟାଚ୍‌ ପିଛା ଏବର୍ଷ ବିଶ୍ୱକପର ହାରାହରି ଗୋଲ୍‌ ହେଉଛି ମାତ୍ର ୨.୬।

ସମ୍ବନ୍ଧିତ ଖବର