ଟୋକିଓ ଅଲିମ୍ପିକ୍ସ ଆଉ ୬ ଦିନ: ହକି ଫାଇନାଲ୍ ବାତିଲ ହେଲେ ଉଭୟ ଦଳକୁ ସ୍ବର୍ଣ୍ଣ
ଅଲିମ୍ପିକ୍ସ ପୋଡିୟମ୍ରେ ‘ରାଜନୈତିକ ପ୍ରତିବାଦ’ ମନା
ଟୋକିଓ : ଟୋକିଓ ଅଲିମ୍ପିକ୍ସର ହକି ପ୍ରତିଯୋଗିତାକୁ ନେଇ ‘ଯଦି ଓ କିନ୍ତୁ’ର ଲୁଚକାଳି ଖେଳ ଜାରି ରହିଛି। କୋଭିଡ୍ ପରିସ୍ଥିତି ପାଇଁ ଫାଇନାଲ୍ ମ୍ୟାଚ୍ ବାଧାପ୍ରାପ୍ତ ହେଲେ କ’ଣ କରାଯିବ ସେନେଇ ପୂର୍ବରୁ ଗୋଟିଏ କଥା କୁହାଯାଇଥିଲା। ଏବେ ଆଉ ଏକ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ କୁହାଯାଇଥିଲା କୌଣସି ଫାଇନାଲିଷ୍ଟ୍ ଓହରିଗଲେ ଶ୍ରେଷ୍ଠ ସେମିଫାଇନାଲିଷ୍ଟକୁ ଫାଇନାଲ୍କୁ ଉନ୍ନୀତ ହେବାର ସୁଯୋଗ ମିଳିବ। ଅନ୍ୟ ସେମିଫାଇନାଲିଷ୍ଟକୁ ବିନା ମୁକାବିଲାରେ କାଂସ୍ୟ ପଦକ ପ୍ରଦାନ କରାଯିବ। ନୂଆ ନିଷ୍ପତ୍ତି ଅନୁସାରେ ଯଦି ହକି ପ୍ରତିଯୋଗିତାର ଫାଇନାଲ୍ କୋଭିଡ୍ ପାଇଁ ବାତିଲ ହୁଏ ତେବେ ଉଭୟ ଦଳକୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏକାଧିକ କୋଭିଡ୍ ସଂକ୍ରମିତ ଖେଳାଳି ବାହାରିଲେ ଏଭଳି ପରିସ୍ଥିତି ଉପୁଜିବାର ଆଶଙ୍କାକୁ ଏଡ଼ାଇପାରିନାହିଁ ଅନ୍ତର୍ଜାତୀୟ ହକି ସଂଘ (ଏଫଆଇଏଚ୍)। ହକି ପ୍ରତିଯୋଗିତାର ନିୟମାବଳିକୁ ନେଇ ଏବେ ବି କିଛି ଦ୍ବନ୍ଦ୍ବ ରହିଛି ବୋଲି ସ୍ବୀକାର କରିଛନ୍ତି ଏଫଆଇଏଚ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରି ୱିଲ୍। କୋଭିଡ ପରିସ୍ଥିତି କାରଣରୁ ସାଧାରଣ ହକି ମ୍ୟାଚ୍ଠାରୁ ଟୋକିଓ ଅଲିମ୍ପିକ୍ସ ମୁକାବିଲାଗୁଡିକ ଭିନ୍ନ ହେବ ବୋଲି ସେ କହିଛନ୍ତି। କୌଣସି ଦଳର କେତେଜଣ ଖେଳାଳି ସଂକ୍ରମିତ ହେଲେ ସେମାନେ ଓହରିପାରିବେ ବୋଲି ପ୍ରଶ୍ନ ହେବାରୁ ଥିଏରି କହିଥିଲେ ସେଭଳି କୌଣସି ‘ସଂଖ୍ୟା’ ଧାର୍ଯ୍ୟ ହୋଇନାହିଁ। ଉଦାହରଣ ଭାବେ ୬ କି ୭ ଜଣ ସଂକ୍ରମିତ ହେଲେ ବି ଏକ ଦଳ ଖେଳିପାରିବ। ସମ୍ପୂର୍ଣ୍ଣ ଦଳ ସଂକ୍ରମିତ ହୋଇନଥିଲେ ଓହରିବା ପ୍ରଶ୍ନ ଉଠିବ ନାହିଁ ବୋଲି ମଧ୍ୟ ସେ ଦୃଢ଼ ବାଣୀ ଶୁଣାଇଛନ୍ତି।
ତେବେ ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ଏସ୍ଏସ୍ଆର୍ (ସ୍ପୋର୍ଟସ ସ୍ପେସିଫିକ୍ ରେଗୁଲେସନ୍ସ) ଅନୁସାରେ କୌଣସି ଦଳ ଏକ ନିର୍ଦ୍ଦିଷ୍ଟ ପୁଲ୍ ମ୍ୟାଚ୍ ଖେଳିନପାରିଲେ ପ୍ରତିପକ୍ଷକୁ ୫-୦ର ବିଜୟ ପ୍ରଦାନ କରାଯିବ। ଉଭୟ ଦଳ ଆସିନପାରିଲେ ଏହାକୁ ଗୋଲଶୂନ୍ୟ ଅମୀମାଂସିତ ବିବେଚନା କରାଯିବ। ଫାଇନାଲର ଦୁଇଟିଯାକ ଦଳ ଓହରିଗଲେ ଉଭୟ ସ୍ବର୍ଣ୍ଣ ପାଇବେ। ସମାନ କଥା ମଧ୍ୟ କାଂସ୍ୟ ପଦକ ମ୍ୟାଚ୍ ପାଇଁ ହେବ। ଏଭଳି କ୍ଷେତ୍ରରେ କେହି ରୌପ୍ୟ ପଦକ ପାଇପାରିବେ ନାହିଁ। ଅପ୍ରତ୍ୟାଶିତ ପରିସ୍ଥିତି କାରଣରୁ ଏବେ ବି ଅନେକ ପ୍ରଶ୍ନର ଉତ୍ତର ଆସିନାହିଁ। ଅସଲ୍ ଆକ୍ସନ ଆରମ୍ଭ ହେଲେ ସବୁ ବିଚାର କରାଯିବ। କୌଣସି ଦଳ ହାରିବା ପରେ ପଦକ ଜିତିବାକୁ ଚାହିଁବ ନାହିଁ ବୋଲି ଥିଏରି ଶୁକ୍ରବାର ଅନୁଷ୍ଠିତ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ସାଧାରଣତଃ ଅଲିମ୍ପିକ୍ସ ହକି ଦଳରେ ୧୬ ଜଣ ସଦସ୍ୟ ରହିଥା’ନ୍ତି। ଏଥର କିନ୍ତୁ ଅତିରିକ୍ତ ଦୁଇ ଖେଳାଳି ଏବଂ ଜଣେ ସଂରକ୍ଷିତ ଗୋଲରକ୍ଷକ ନେବାକୁ ଅନୁମତି ମିଳିଛି। ପ୍ରଥମ ପସନ୍ଦ ଗୋଲ୍ରକ୍ଷକ ଆହତ ହେଲେ ହିଁ ସଂରକ୍ଷିତ ଗୋଲ୍ରକ୍ଷକଙ୍କୁ ବିଚାରକୁ ନିଆଯିବ। ସୂଚନାଯୋଗ୍ୟ, ଜୁଲାଇ ୨୩ରୁ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେଉଥିବା ବେଳେ ହକି ପ୍ରତିଯୋଗିତା ୨୪ରୁ ଖେଳାଯିବ।
ଅଲିମ୍ପିକ୍ସ ପୋଡିୟମ୍ରେ ‘ରାଜନୈତିକ ପ୍ରତିବାଦ’ ମନା
ଟୋକିଓ ଅଲିମ୍ପିକ୍ସ ସମୟରେ କୌଣସି କ୍ରୀଡ଼ାବିତ୍ ପଦକ ପୋଡିୟମ୍ରୁ ‘ରାଜନୈତିକ ପ୍ରଦର୍ଶନ/ପ୍ରତିବାଦ’ କରିପାରିବେ ନାହିଁ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି) ସଭାପତି ଥମାସ୍ ବାକ୍ ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ଚଳିତ ମାସରେ ଆଇଓସି ଏହାର ନିୟମ-୫୦ରେ କୋହଳ କରିଥିଲା। ଯେଉଁଥିରେ ପ୍ରତିବାଦ କରୁଥିବା ଖେଳାଳିଙ୍କୁ ପୂର୍ବରୁ ବାସନ୍ଦ କରିଦିଆଯାଉଥିଲା। ଏବେ ଖେଳାଳିମାନେ ସେମାନଙ୍କ ସାଙ୍କେତିକ ଇଙ୍ଗିତ କିମ୍ବା ଅଙ୍ଗଭଙ୍ଗୀ କରିପାରିବେ କିନ୍ତୁ କୌଣସି ବାଧା ସୃଷ୍ଟି କରିପାରିବେ ନାହିଁ କି ସାଥୀ ପ୍ରତିଦ୍ବନ୍ଦ୍ବୀଙ୍କୁ ଅସମ୍ମାନ କରିବା ଭଳି କିଛି ଆଚରଣ ଦେଖାଇବେ ନାହିଁ। ପଦକ ପୋଡିୟମ୍ରେ କୌଣସି ପ୍ରକାର ପ୍ରତିବାଦ, ରାଜନୈତିକ ପ୍ରଦର୍ଶନ କି ବ୍ୟକ୍ତିଗତ ଘରୋଇ ବ୍ୟାପାର ମତ ଦେଇପାରିବେ ନାହିଁ। ସମଗ୍ର ବିଶ୍ବକୁ ଗୋଟିଏ ସ୍ଥଳରେ ଏକତ୍ର କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିଯୋଗିତା କରିବା ଅଲିମ୍ପିକ୍ସର ଅସଲ ଉଦ୍ଦେଶ୍ୟ ବୋଲି ବାକ୍ କହିଛନ୍ତି।ସୂଚନାଯୋଗ୍ୟ, ଅତୀତରେ ୧୯୬୮ ମେକ୍ସିକୋ ଅଲିମ୍ପିକ୍ସରେ ଆମେରିକାର କୃଷ୍ଣକାୟ ସ୍ପ୍ରିଣ୍ଟର୍ ଟମି ସ୍ମିଥ୍ ଓ ଜନ୍ କାର୍ଲୋସ ପ୍ରତିବାଦ କରି ନିଲମ୍ବିତ ହୋଇଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ଇଥିଓପିଆ ମାରାଥନ ଧାବକ ଫେୟିସା ଲିଲେସା ମଧ୍ୟ ଓରୋ ମୋ ଆଦିବାସୀଙ୍କୁ ସମର୍ଥନ କରିବାକୁ ଯାଇ ଫିନିସ୍ ଲାଇନ୍ରେ ପ୍ରତିବାଦ କରିଥିଲେ। ବ୍ରିଟେନ୍ର ମହିଳା ଫୁଟ୍ବଲ୍ ପ୍ରଶିକ୍ଷକ ହେଗେ ରିସ୍ ଗୁରୁବାର ଘୋଷଣା କରିଥିଲେ ବର୍ଣ୍ଣବୈଷମ୍ୟ ଓ ସମସ୍ତ ପ୍ରକାର ବିଭେଦ ବିରୋଧରେ ସେ ଟୋକିଓ ଅଲିମ୍ପିକ୍ସ ବେଳେ ଆଣ୍ଠୁମାଡି ନିରବ ପ୍ରତିବାଦ କରିବେ। ଏହା ବ୍ଲାକ୍ ଲାଇଭ୍ସ ମ୍ୟାଟର୍ ଅଭିଯାନକୁ ଆଗକୁ ନେବାର ଆଶଙ୍କା ମଧ୍ୟ ରହିଛି।