ବ୍ୟାଙ୍କକ୍‌: ଏଠାରେ ଚାଲିଥିବା ଏସୀୟ ଦୌଡ଼କୁଦର ଦ୍ବିତୀୟ ଦିନରେ ଭାରତୀୟ କ୍ରୀଡ଼ାବିତ୍‌ ୩ ସ୍ବର୍ଣ୍ଣ ଓ ୨ ରୌପ୍ୟ ସହ ୫ ପଦକ କରାୟତ୍ତ କରିଛନ୍ତି। ପ୍ରଥମ ଦିନରେ ଭାରତ ପାଇଁ ଅଭିଷେକ ପଲ୍‌ ଗୋଟିଏ କାଂସ୍ୟ ଜିତିଥିଲେ। ଏଥିସହ ଭାରତ ଏହି ପ୍ରତିଯୋଗିତାରେ ମୋଟ ୬ ପଦକ ସହ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଜାପାନ ୧୮ (୭ ସ୍ବର୍ଣ୍ଣ, ୮ ରୌପ୍ୟ, ୩ କାଂସ୍ୟ) ପ୍ରଥମ ଏବଂ ଚୀନ୍‌ ୭ (୩ ସ୍ବର୍ଣ୍ଣ, ୩ ରୌପ୍ୟ, ୧ କାଂସ୍ୟ) ପଦକ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

Advertisment

କଳିଙ୍ଗ ଷ୍ଟାଡିୟମସ୍ଥିତ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍‌ ଦୌଡ଼କୁଦ ଉଚ୍ଚଗୁଣବତ୍ତା କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଜ୍ୟୋତି ୟାରାଜି ଗୁରୁବାର ମହିଳା ୧୦୦ ମିଟର ବାଧାଦୌଡ଼ରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ୨୩ ବର୍ଷୀୟ ଏହି ସ୍ପ୍ରିଣ୍ଟର ୧୩.୦୯ ସେକେଣ୍ଡ ସମୟ ନେଇ ଏହି ପଦକ ଜିତିଥିଲେ। ଏସୀୟ ଦୌଡ଼କୁଦରେ ଭାରତର ଏହା ବାଧାଦୌଡ଼‌ରେ ପ୍ରଥମ ସ୍ବର୍ଣ୍ଣ। ପୂର୍ବରୁ ଓଡ଼ିଶାର ଅନୁରାଧା ବିଶ୍ବାଳ (କାଂସ୍ୟ, ୨୦୦୦) ଏବଂ ଜୟପାଳ ହେମଶ୍ରୀ (କାଂସ୍ୟ, ୨୦୧୩) କେବଳ ପଦକ ଜିତିଥିଲେ। ଦୁଇ ଜାପାନୀ ଧାବିକା ତେରାଦା ଆସୁକା (୧୩.୧୩ ସେକେଣ୍ଡ) ଓ ଆଓକି ମାସୁମି (୧୩.୨୬ ସେକେଣ୍ଡ) ଯଥାକ୍ରମେ ‌ରୌପ୍ୟ ଓ କାଂସ୍ୟ ପାଇଥିଲେ। ଅନ୍ୟ ଦୁଇ ସ୍ବର୍ଣ୍ଣ ଅଜୟ କୁମାର ସରୋଜ ଓ ରାଜ୍ୟଗୋଷ୍ଠୀ ରୌପ୍ୟ ବିଜେତା ଅବଦୁଲ୍ଲା ଆବୁବାକର ଜିତିଥିଲେ। ୧୫୦୦ ମିଟର ଦୌଡ଼କୁ ୨୬ ବର୍ଷୀୟ ସରୋଜ (୩:୪୧.୫୧ ସେକେଣ୍ଡ) ପ୍ରଥମ ସ୍ଥାନରେ ରହି ଏହି ପ୍ରତିଯୋଗିତାରେ ବ୍ୟକ୍ତିଗତ ତୃତୀୟ ପଦକ କରାୟତ୍ତ କରିଥିଲେ।

ପୂର୍ବରୁ ୨୦୧୭ ଭୁବନେଶ୍ବର ସଂସ୍କରଣରେ ସ୍ବର୍ଣ୍ଣ ଏବଂ ୨୦୧୯ ଦୋହାରେ ରୌପ୍ୟ ଜିତିଥିଲେ। ଜାପାନର ୟୁସୁକେ ତାକାହାସି (୩:୪୨.୦୪ ସେକେଣ୍ଡ) ରୌପ୍ୟ ଏବଂ ଚୀନ୍‌ର ଲିଉ ଡେଝୁ (୩:୪୨.୩୦ ସେକେଣ୍ଡ) କାଂସ୍ୟ ପାଇଥିଲେ। ଟ୍ରିପଲ ଜମ୍ପ୍‌ରେ ଆବୁବାକର (୧୬.୯୨ ମିଟର) ଚଳିତ ଋତୁର ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ବର୍ଣ୍ଣ ଜିତିଥିଲେ। ଜାପାନର ଇକେହାତା ହିକାରୁ (୧୬.୭୩ ମିଟର) ଓ କୋରିଆର ଜାଙ୍ଗ୍‌ଉ କିମ୍‌ (୧୬.୫୯ ମିଟର) ଯଥାକ୍ରମେ‌ ରୌପ୍ୟ ଓ କାଂସ୍ୟ ଜିତିଥିଲେ। ‌କାଂସ୍ୟ ଦୁଇଟି ତେଜସ୍ବିନ ଶଙ୍କର ଓ ଐଶ୍ବର୍ଯ୍ୟ ମିଶ୍ରା ପାଇଥିଲେ। ଡୋକଥଲନରେ ତେଜସ୍ବିନ (୭୫୨୭ ପଏଣ୍ଟ) ତୃତୀୟ ସ୍ଥାନରେ ରହିଥିଲା ବେଳେ ଜାପାନର ୟୁମା ମାରୁୟାମା (୭୭୪୫) ସ୍ବର୍ଣ୍ଣ ଏବଂ ଥାଇଲାଣ୍ଡର ସୁତିସାକ ସିଙ୍ଗଖୋନ (୭୬୨୬) ରୌପ୍ୟ ଜିତିଥିଲେ। ମହିଳା ୪୦୦ ମିଟର ଦୌଡ଼କୁ ୫୩.୦୭ ସେକେଣ୍ଡରେ ଶେ‌ଷ କରି ଐଶ୍ବର୍ଯ୍ୟ କାଂସ୍ୟ ପାଇଥିଲେ। ଶ୍ରୀଲଙ୍କାର ରାମାନାୟାକା ନଦୀଶା (୫୨.୬୧) ସ୍ବର୍ଣ୍ଣ ଏବଂ ଉଜବେକିସ୍ତାନର ଫାରିଦା ସୋଲେଇଭା (୫୨.୯୫) ରୌପ୍ୟ ଜିତିଥିଲେ।