ଭୁବନେଶ୍ବର: ପ୍ରଥମ ଥର ଲାଗି ଆୟୋଜିତ ହେବାକୁ ଯାଉଥିବା ମହିଳା ହକି ଇଣ୍ଡିଆ ଲିଗ୍‌ର ଖେଳାଳି ନିଲାମରେ ଓଡ଼ିଆ ଝିଅ ସୁନେଲିତା ଟପ୍ପୋ ୨୪ ଲକ୍ଷ ଟଙ୍କାରେ ବିକ୍ରି ‌ହୋଇ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା କୁକୁଡ଼ା ଗ୍ରାମର ସୁରେଶ ଟପ୍ପୋ ଓ ନେଲିସୁନିତା ଟପ୍ପୋଙ୍କ ଝିଅ ସୁନେଲିତା ଅଗ୍ରଭାଗରେ ଖେଳୁଥିଲା ବେଳେ ଚଳିତବର୍ଷ ଫେବ୍ରୁଆରିରେ ମାତ୍ର ୧୬ ବର୍ଷ ବୟସରେ ବରିଷ୍ଠସ୍ତରୀୟ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଭୁବନେଶ୍ବରରେ ଖେଳାଯାଇଥିବା ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ଚୀନ୍‌ ବିପକ୍ଷରେ ଖେଳି ନିଜ ଅଲିଭା ଚମକ ଛାଡ଼ିଥିଲେ। ସେ ମଧ୍ୟ ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ର ବେଲଜିୟମ୍‌ ଏବଂ ଇଂଲଣ୍ଡ ପର୍ଯ୍ୟାୟ ଲାଗି ଭାରତୀୟ ଦଳରେ ନିଜ ସ୍ଥାନ ସୁରକ୍ଷିତ ରଖିଥିଲେ। ସୁନେଲିତା ଗତବର୍ଷ ଜାପାନରେ ଅନୁଷ୍ଠିତ କନିଷ୍ଠ ଏସିଆ କପ୍‌ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ପଡ଼ିଆ ଭିତରେ ନିଜ ବିଚକ୍ଷଣ ଗତି ଏବଂ ଉନ୍ନତ କଳାକୌଶଳ ପାଇଁ ପରଚିତ ସୁନେଲିତାଙ୍କୁ ନେବା ଲାଗି ଏକାଧିକ ଦଳ ମଙ୍ଗଳବାର ଟଣାଟଣି ହୋଇଥିଲେ।

Advertisment

ଉଦିତା ସବୁଠୁ ଦାମୀ, ଜାନସେନ ସବୁଠୁ ଦାମୀ ବିଦେଶୀ ଖେଳାଳି

ଶେଷରେ ଦିଲ୍ଲୀ ଏସ୍‌ଜି ପାଇପର୍ପ ଏହି ନିଲାମ ଯୁଦ୍ଧ‌‌ରେ ଜିତି ତାଙ୍କୁ ନିଜ ଦଳରେ ସାମିଲ କରିଥିଲା। ସୁନେଲିତା ରେକର୍ଡ ଟଙ୍କା‌ରେ ବିକ୍ରି ହେବା ପରେ ଓଡ଼ିଶା ହକି ଜଗତ ସହ ତାଙ୍କ ଗୁରୁକୁଳ ସୁନ୍ଦରଗଡ଼ ସାଇ ସେଣ୍ଟରରେ ଖୁସିର ଲହରି ଖେଳି ଯାଇଛି। ଅନ୍ୟ ଓଡ଼ିଶା ଖେଳାଳିଙ୍କ ମଧ୍ୟରେ ଅଲିମ୍ପିଆନ୍ ଦୀପଗ୍ରେସ୍‌ ଏକ୍କାଙ୍କୁ ଓଡ଼ିଶା ୱାରିୟର୍ସ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଛି। ଅନ୍ୟପକ୍ଷରେ ଗୋଲ୍‌ରକ୍ଷକ ମାଧୁରୀ କିଣ୍ଡୋ ୩.୪ ଲକ୍ଷ, ଜ୍ୟୋତି ଛତ୍ରୀ ୫ ଲକ୍ଷ ଟଙ୍କା‌ରେ ସେହି ଓଡ଼ିଶା ୱାରିୟର୍ସ ଦଳରେ ଯୋଗ ଦେଇଛନ୍ତି। ଅଞ୍ଜଳି ବାରୱା, ମାକ୍ସମା ଟପ୍ପୋ, ସୁପ୍ରିୟା କୁଜୁର, ପ୍ରତିଭା କିଣ୍ଡୋ, ପ୍ରିୟଙ୍କା ଟପ୍ପୋ, ପ୍ରିୟଙ୍କା କୁଜୁର, ପ୍ରତିଭା ଏକ୍କା, ଅସୀମା ରାଉତ, ରମ୍ଭା କୁଜୁର ପ୍ରମୁଖ ନିଜନିଜ ମୂଳ ଦର ୨ଲକ୍ଷ ଟଙ୍କାରେ ବିଭିନ୍ନ ଦଳକୁ ବିକ୍ରି ହୋଇଥିଲେ। ଲିଗ୍‌ର ସବୁଠୁ ଦାମୀ ଖେଳାଳି ହେବାର ଗୌରବ କିନ୍ତୁ ଭାରତୀୟ ଦଳର ପ୍ରତିଭାସଂପନ୍ନ ରକ୍ଷଣଭାଗ ଖେଳାଳି ଉଦିତା ଦୁହାନ ଲାଭ କରିଛନ୍ତି। ତାଙ୍କୁ ଶ୍ରାଚୀ ରାର୍ ବେଙ୍ଗଲ ଟାଇଗର୍ସ ଦଳ ସର୍ବାଧିକ ୩୨ ଲକ୍ଷ ଟଙ୍କାରେ କିଣିଛି। 

ବିଦେଶୀ ଖେଳାଳିଙ୍କ ମଧ୍ୟରେ ନେଦରଲାଣ୍ଡ୍ସର ଡ୍ରାଗ୍ ଫ୍ଲିକର ବିଶେଷଜ୍ଞ ଇବି ଜାନସେନ ସର୍ବାଧିକ ୨୯ ଲକ୍ଷ ଟଙ୍କା‌ରେ ଓଡ଼ିଶା ୱାରିୟର୍ସ ଦଳକୁ ବିକ୍ରି ହୋଇଛନ୍ତି। ଅନ୍ୟପ୍ରମୁଖ ଖେଳାଳିଙ୍କ ମଧ୍ୟରେ ଭାରତୀୟ ଖେଳାଳି ଲାଲରେମସିଆମି ୨୫ ଲକ୍ଷ (ଶ୍ରାଚୀ ରାର୍ ବେଙ୍ଗଲ ଟାଇଗର୍ସ), ସଂଗୀତା କୁମାରୀ ୨୨ ଲକ୍ଷ (ଦିଲ୍ଲୀ ଏସ୍‌ଜି ପାଇପର୍ସ), ବେଲଜିୟମ୍‌ର ଚାର୍ଲୋଟ୍ ଇଙ୍ଗଲବେଟ୍ ୧୬ ଲକ୍ଷ (ସୁରମା ହକି କ୍ଲବ୍), ଜର୍ମାନୀର ଚାର୍ଲୋଟ୍ ଷ୍ଟାପେନହର୍ଷ୍ଟ ୧୬ ଲକ୍ଷ (ସୁରମା ହକି କ୍ଲବ୍), ଅଷ୍ଟ୍ରେଲିଆର ଜସଲିନ୍ ବାତ୍ରମ ୧୫ ଲକ୍ଷ (ଓଡ଼ିଶା ୱାରିୟର୍ସ), ଭାରତର ବନ୍ଦନା କଟାରିଆ ୧୦.୫ ଲକ୍ଷ (ଶ୍ରାଚୀ ରାର୍ ବେଙ୍ଗଲ ଟାଇଗର୍ସ), ଭାରତୀୟ ଅଧିନାୟିକା ସଲିମା ଟେଟେ ୨୦ ଲକ୍ଷ, ଇସିକା ଚୌଧୁରୀ ୧୬ ଲକ୍ଷ, ନେହା ଗୋୟଲ ୧୦ ଲକ୍ଷ (ସମସ୍ତେ ଓଡ଼ିଶା ୱାରିୟର୍ସ)ରେ ବିକ୍ରି ହୋଇଛନ୍ତି। ସେହିଭଳି ପୂର୍ବତନ ଭାରତୀୟ ଅଧିନାୟିକା ସବିତା ୨୦ ଲକ୍ଷ, ଶର୍ମିଳା ଦେବୀ ୧୦ ଲକ୍ଷ, ନିକି ପ୍ରଧାନ ୧୨ ଲକ୍ଷ (ସମସ୍ତେ ସୁରମା ହକି କ୍ଲବ୍)ରେ ବିକ୍ରି ହେବା ପରେ ଭାରତୀୟ ମହିଳା ହକିରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ସୂଚନାଯୋଗ୍ୟ ଯେ ଚାରିଟି ଦଳକୁ ‌ନେଇ ଖେଳାଯିବାକୁ ଥିବା ମହିଳା ହକି ଇଣ୍ଡିଆ ଲିଗ୍‌ର ଏହି ପ୍ରତୀକ୍ଷିତ ନିଲାମ ଲାଗି ୩୫୦ ଖେଳାଳି ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୯୬ଜଣ କିଣାବିକା ହୋଇଛନ୍ତି।