ଗୋଲ୍ଡ କପ୍‌ରେ ବଡ଼ ବିପର୍ଯ୍ୟୟ

ନେପାଳଠୁ ହାରିଲା ଭାରତ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଗୋଲ୍ଡ କପ୍‌ ଚର୍ତୁରାଷ୍ଟ୍ରୀୟ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ସୋମବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବିଶ୍ବ ମାନ୍ୟତାର ୧୦୮ତମ ସ୍ଥାନରେ ଥିବା ଦୁର୍ବଳ ନେପାଳ ୬୨ତମ ସ୍ଥାନରେ ଥିବା ଭାରତକୁ ୨-୧ ଗୋଲ୍‌ରେ ହରାଇ ଐତିହାସିକ ସଫଳତା ଲାଭ କରିଛି। ଭାରତଠାରୁ ୪୬ ସ୍ଥାନ ତଳେ ଥିବା ନେପାଳ ସୋମବାର ରାତିରେ ଖେଳା ଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ୬ମିନିଟ୍‌ ମଧୢରେ ଦୁଇଟି ଗୋଲ୍‌ ଦେଇ ଆତ୍ମବିଶ୍ବାସ ଭରା ବିଜୟ ପାଇଥିଲା। ଅନ୍ୟପକ୍ଷରେ ଘରୋଇ ପରିବେଶରେ ଫେବରିଟ୍‌ ଆଖ୍ୟା ପାଇଥିବା ଭାରତ ତାଳମେଳର ଅଭାବ ପାଇଁ ଲଜ୍ଜାଜନକ ପରାଜୟ ବରଣ କରିଥିଲା। ନେପାଳ ଦେଇଥିବା ଦୁଇଟି ଗୋଲ୍‌ ମଧୢରୁ ଭାରତ କେବଳ ଗୋଟିଏ ଶୁଝାଇବାକୁ ସକ୍ଷମ ହୋଇଥିଲା। ନେପାଳର ଏହି ଅପ୍ରତ୍ୟାଶିତ ବିଜୟ ପରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଗୋଲ୍ଡ କପ୍‌ର ଫାଇନାଲ୍‌ ପଥ ଏବେ ଉନ୍ମୁକ୍ତ ହୋଇ ଯାଇଛି। ଶୀର୍ଷ ମାନ୍ୟତା ମିଆଁମାର ଦୁଇଟି ମ୍ୟାଚ୍‌ରୁ ଦୁଇଟି ବିଜୟ ହାସଲ କରି ଫାଇନାଲରେ ଗୋଟିଏ ପାଦ ରଖି ସାରିଛି। ଅନ୍ୟପକ୍ଷରେ ନେପାଳ ଓ ଭାରତ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି। ପ୍ରତିଯୋଗିତାର ଅନ୍ୟତମ ଦଳ ଇରାନ ଦୁଇଟି ମ୍ୟାଚ୍‌ ଖେଳି ଦୁଇଟି ପରାଜୟ ବରଣ କରିବା ସହ ପଏଣ୍ଟ୍‌ ତାଲିକାର ଶେଷ ସ୍ଥାନରେ ରହିଛି। ସେଥିପାଇଁ ଫାଇନାଲର ଶେଷ ସ୍ଥାନଟି ପାଇଁ ତ୍ରି-ମୁଖୀ ଲଢେ଼ଇ ହେବାର ସମ୍ଭାବନା ରହିଛି। ବୁଧବାର ପ୍ରତିଯୋଗିତାର ଦୁଇଟି ନିର୍ଣ୍ଣାୟକ ମ୍ୟାଚ୍‌ରେ ନେପାଳ-ଇରାନ ଏବ˚ ଭାରତ-ମିଆଁମାର ଲଢେ଼ଇ ହେବ।
ସୋମବାରର ଦ୍ବିତୀୟ ମ୍ୟାଚ୍‌ର ପ୍ରଥମାର୍ଧରେ ମାନ୍ୟତା ବିପରୀତ ନେପାଳ ପୂରା ଆଧିପତ୍ୟ ବିସ୍ତାର କରିଥିଲା। ଭାରତ ଅବଶ୍ୟ ପ୍ରଥମ ୪ ମିନିଟ୍‌ ଭିତରେ ଦୁଇ ଥର ନେପାଳ ଗୋଲ୍‌ ପୋଷ୍ଟ୍‌ ଉପରକୁ ଆକ୍ରମଣ କରିଥିଲା। ଗୋଲ୍‌ ଖାତା କିନ୍ତୁ ନେପାଳ ଖୋଲିଥିଲା। ଏଥିରେ ନେପାଳ ଖେଳାଳିଙ୍କ ହାତ କମ୍‌ ଥିଲା ବେଳେ ଭାରତ ରକ୍ଷଣଭାଗ ଏବ˚ ଗୋଲ୍‌ ରକ୍ଷକଙ୍କ ଭୂମିକା ଅଧିକ ଥିଲା। ଚତୁର୍ଥ ମିନିଟ୍‌ରେ ନେପାଳ କରିଥବା ପ୍ରତି ଆକ୍ରମଣକୁ ପ୍ରତିହତ କରି ନ ପାରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଫଳରେ ମାତ୍ର ଦୁଇ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ ଦେଇ ନେପାଳ ମ୍ୟାଚ୍‌କୁ ନିୟନ୍ତ୍ରଣକୁ ନେଇ ଯାଇଥିଲା। ୯ ନମ୍ବର ଜର୍ସି ପିନ୍ଧିଥିବା ସବିତ୍ରା ଭଣ୍ତାରି ହିଁ ଭାରତକୁ ଏକାଥରକେ ଦୁଇଟି ଝଟ୍‌କା ଦେଇଥିଲେ। ଡି’ ଅଞ୍ଚଳରୁ ସେ ମାରିଥିବା ଏକ ହଲ୍‌କା ସଟ୍‌କୁ ଭାରତୀୟ ଗୋଲ୍‌ରକ୍ଷକ ତଥା ଅଧିନାୟିକା ଅଦିତି ଚୌହ୍ବାନ ରୋକି ନପାରିବା ପରେ ନେପାଳ ଆଗୁଆ ହୋଇ ଯାଇଥିଲା। ଦ୍ବିତୀୟ ଗୋଲ୍‌ ବେଳେ ମଧୢ ଅଦିତି ସେହି ଭୁଲକୁ ଦୋହରାଇଥିଲେ। ଷଷ୍ଠ ମିନିଟ୍‌ରେ ସବିତ୍ରା ସାଥୀ ଖେଳାଳିଙ୍କଠାରୁ ପାଇଥିବା ପାସ୍‌କୁ ଗୋଲ୍‌ ପୋଷ୍ଟ୍‌କୁ ମାରିବାକୁ ଯାଉଥିଲା ବେଳେ ଅଦିତି ଆଗକୁ ଚାଲି ଆସିଥିଲେ। ରକ୍ଷଣଭାଗ ଖେଳାଳିମାନେ ମଧୢ ଅନ୍ୟପଟରେ ରହି ଯାଇଥିଲେ। ଫଳରେ ମୁକୁଳା ପଡ଼ିଥିବା ଗୋଲ୍‌ ପୋଷ୍ଟ୍‌ ଭିତରକୁ ଅତି ସହଜରେ ବଲ୍‌ ପୂରାଇ ସବିତ୍ରା ମ୍ୟାଚ୍‌ ଓ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଗୋଲ୍‌ କରିବାକୁ ସକ୍ଷମ ହୋଇଥିଲେ। ନେପାଳ ପ୍ରଥମ ୬ ମିନିଟ୍‌ ଖେଳ ଭିତରେ ହିଁ ୨-୦ରେ ଆଗୁଆ ହୋଇ ଯାଇଥିଲା ପରବର୍ତୀ ୩୯ ମିନିଟ୍‌ ଖେଳରେ ଭାରତୀୟ ଅଗ୍ରଭାଗ ଖେଳଳିମାନେ ଆପ୍ରାଣ ଉଦ୍ୟମ କରିଥିଲେ। ତେବେ ଥରେ ଆଗୁଆ ହେବା ପରେ ରକ୍ଷଣଭାଗ ଉପରେ ଅଧିକ ଧ୍ୟାନ ନିବେଶ କରିଥିବା ନେପାଳ ସେମାନଙ୍କ ସବୁ ପ୍ରୟାସକୁ ବେକାର କରି ଦେଇଥିଲା।
ଦ୍ବିତୀୟାର୍ଧରେ ବଲ୍‌ ଅଧିକା˚ଶ ସମୟ ଭାରତୀୟ ଖେଳାଳିଙ୍କ ପାଖରେ ରହିଥିଲା। ହେଲେ ଦଳ ୮୨ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଗୋଲ୍‌ରେ ରୂପାନ୍ତର କରିବାରେ ଅସମର୍ଥ ହୋଇଥିଲା। କେତେକ ଭଲ ସୁଯୋଗକୁ ବି ଭାରତ ହାତଛଡ଼ା କରିଥିଲା। ନେପାଳ ରକ୍ଷଣଭାଗ ସହ ସେହି ଦଳର ଗୋଲ୍‌ ରକ୍ଷକ ଆଞ୍ଜିଲା ସୁବା ଗୋଲ୍‌ ପୋଷ୍ଟ୍‌ ଆଗରେ ପାଚେରି ଭଳି ଛିଡ଼ା ହୋଇ ଭାରତକୁ ସଫଳ ହେବାକୁ ଦେଇ ନଥିଲେ। ଶେଷରେ ୮୩ତମ ମିନିଟ୍‌ରେ ନେପାଳ ରକ୍ଷଣଭାଗକୁ ଭେଦ କରିବାକୁ ଭାରତୀୟ ଖେଳାଳି ସକ୍ଷମ ହୋଇଥିଲେ। ୭ ନମ୍ବର ଜର୍ସିରେ ଖେଳିଥିବା ରତ୍ନବାଳା ଦେବୀ ଏହି ପ୍ରତୀକ୍ଷିତ ଗୋଲ୍‌ ଦେଇଥିଲେ। ଶେଷ ୮ ମିନିଟ୍‌ ଖେଳରେ ଭାରତ ଆକ୍ରମଣକୁ ଆହୁରି ଶାଣିତ କରିଥିଲା ହେଲେ ଗୋଲ୍‌ ଦେବାକୁ ସକ୍ଷମ ହୋଇ ନଥିଲା। ନେପାଳ ଧୈର୍ଯ୍ୟର ସହ ଖେଳି ଶେଷରେ ସ୍ମରଣୀୟ ବିଜୟ ହାସଲ କରିଥିଲା। ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ ଦର୍ଶକ ଭାରତୀୟ ଦଳକୁ ଭରପୁର ସମର୍ଥନ ଦେଇଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ଏହାର କୌଣସି ପ୍ରଭାବ ମ୍ୟାଚ୍‌ର ଫଳାଫଳ ଉପରେ ପଡ଼ି ନଥିଲା। ଅନ୍ୟ ପକ୍ଷରେ ଭାରତ ଭଳି ଶକ୍ତିଶାଳୀ ଦଳକୁ ହରାଇବା ପରେ ଖୁସିରେ ଆତ୍ମହରା ନେପାଳ ଖେଳାଳି ଷ୍ଟାଡିୟମ୍‌ ଭିତରେ ନୃତ୍ୟ କରି ଖୁସି ମନାଇଥିଲେ। ମ୍ୟାଚ୍ ଆରମ୍ଭରେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚୟ ହୋଇଥିଲେ।

ସମ୍ବନ୍ଧିତ ଖବର