ଭୁବନେଶ୍ବର : ଓଡ଼ିଶା ସରକାର, ଟାଟା ଷ୍ଟିଲ୍ ଏବଂ ଟାଟା ଟ୍ରଷ୍ଟସର ମିଳିତ ଆନୁକୂଲ୍ୟରେ ଶନିବାର ଏକ ଫୁଟ୍ବଲ୍ ୱେବିନାର୍ ଆୟୋଜିତ ହୋଇଥିବା ବେଳେ ଫିଫାର ନୂଆ ପ୍ରୟାସ ‘ଗୋଲ୍ଡେନ୍ ବେବି ଲିଗ୍’ ସମ୍ପର୍କରେ ସେଥିରେ ଢେର ଆଲୋଚନା ହୋଇଛି। ଫୁଟ୍ବଲକୁ ନୂଆ ପିଲାଙ୍କୁ ଆଣିବା ଲାଗି ଫିଫା ପକ୍ଷରୁ ୨ ବର୍ଷ ତଳୁ ଆରମ୍ଭ କରାଯାଇଥିବା ଏହି ବିକାଶ ଯୋଜନାକୁ ଦେଶର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଏଆଇଏଫଏଫ୍ ସହିତ ଅଗ୍ରଣୀ ଆଇଏସ୍ଏଲ୍ କ୍ଲବ୍ଗୁଡିକ ବି ଅନୁସରଣ କରିବେ ବୋଲି ଆଗଭର ହୋଇଛନ୍ତି। ରାଜୀବ ସେଠ୍ ଏବଂ ଦୀକ୍ଷା ତିୱାରୀଙ୍କ ସଂଯୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ନିର୍ଦେଶକ ଭିନୀଲ କ୍ରିଷ୍ଣା, ଓଡ଼ିଶା ଏଫ୍ସିର ସଭାପତି ରୋହନ ଶର୍ମା, ଏଆଇଏଫଏଫ୍ର ଲିଗ୍ ସିଇଓ ସୁନାନ୍ଦୋ ଧର, ବେଙ୍ଗାଲୁରୁ ଏଫ୍ସି ସିଇଓ ମନ୍ଦର ତମାନେ, ଜାମସେଦପୁର ଏଫ୍ସି ସିଇଓ ମୁକୁଲ କୁମାର ଚୌଧୁରୀ ଅଂଶଗ୍ରହଣ କରିଥିଲେ। ‘ଭାରତୀୟ ଫୁଟ୍ବଲ୍ର ବିବର୍ତ୍ତନ: କ୍ଲବ୍, ତୃଣମୂଳ ବିକାଶ, ଅହ୍ବାନ ଓ ସୁଯୋଗ’ ଶୀର୍ଷକୁ ଏହି ଆଲୋଚନା ବେଳେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ସମ୍ପୃକ୍ତିକୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ଏକମାତ୍ର କ୍ଲବ୍ ଭାବେ ପେସାଦାର ଫୁଟ୍ବଲ୍ କ୍ଲବ୍ ରଖିବା, ହକିର ସମସ୍ତ ଜାତୀୟ ଦଳକୁ ପ୍ରାୟୋଜିତ କରିବା, ହକି ବିଶ୍ବକପ୍ ପରେ ଆସନ୍ତା ବର୍ଷ ୧୭ ବର୍ଷରୁ କମ୍ ବର୍ଗର ଫିଫା ମହିଳା ବିଶ୍ବକପ୍ ଆୟୋଜନ କରିବାକୁ ଯାଉଥିବା କଥା ଭିନୀଲ କ୍ରିଷ୍ଣା ପ୍ରକାଶ କରିଥିଲେ। ହକି ପାଇଁ ନିର୍ଦ୍ଧିଷ୍ଟ ଭିତ୍ତିଭୂମିର ଆବଶ୍ୟକତା ଥିବାବେଳେ ଫୁଟ୍ବଲ୍ ପାଇଁ ଭଲ ପ୍ରଶିକ୍ଷକ ଉପଲବ୍ଧ କରାଇ ଏହାକୁ ସହଜରେ ବିକଶିତ କରାଯାଇପାରି ଭିନୀଲ କ୍ରିଷ୍ଣା ମତ ପ୍ରକାଶ କରିଥିଲେ। ତୃଣମୂଳସ୍ତରଠାରୁ ଏଲିଟ୍ ପର୍ଯ୍ୟନ୍ତ ଓଡ଼ିଶା ସରକାର ଫୁଟ୍ବଲ୍ ଉପରେ ଏକାଗ୍ରତା ରଖିଛି। ଫୁଟ୍ବଲ୍ କ୍ରୀଡ଼ା ଛାତ୍ରାବାସ ପାଇଁ ଏଆଇଏଫ୍ଏଫ୍କୁ ଟେକନିକାଲ୍ ପାର୍ଟନର କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।
ହକି ପରେ ଫୁଟ୍ବଲ୍ ପ୍ରତି ଓଡ଼ିଶା ସରକାରଙ୍କ ଆଗଭରକୁ ମଧ୍ୟ ଅନ୍ୟ ବକ୍ତାମାନେ ପ୍ରଶଂସା କରିଥିଲେ। ଓଡ଼ିଶାର ବାଳିକାମାନେ ଭଲ କରନ୍ତି ବୋଲି ସୁନାନ୍ଦୋ ଧର ଉଦାହରଣ ରଖିଥିଲେ। ଗୋଲଡେନ୍ ବେବି ଲିଗ୍ ଭରିଆରେ ଭାରତୀୟ ଫୁଟ୍ବଲ୍ରେ ବିବର୍ତ୍ତନ ଆଣିହେବ ବୋଲି ଶ୍ରୀ ଧର ପ୍ରକାଶ କରିଥିଲେ। ଏହି ଲିଗ୍ ସପକ୍ଷରେ ମଧ୍ୟ ଯୁକ୍ତି ବାଢ଼ିଥିଲେ ମୁକୁଲ ଚୌଧୁରୀ। ବିଏଫ୍ସିର ଉତ୍ଥାନ ଭାରତୀୟ ଫୁଟ୍ବଲ୍ ଠିକଣା ପଥରେ ଥିବା ସେ ଯୁକ୍ତି ବାଢ଼ିଥିଲେ। ଏହି ସଫଳ କ୍ଲବ୍ ପାଇଁ ଦେଶରେ ଫୁଟ୍ବଲ୍ ସଂସ୍କୃତି ବଢ଼ିଛି ବୋଲି ମଧ୍ୟ ସୁନାନ୍ଦୋ କହିଥିଲେ। ଓଡ଼ିଶା ଏଫ୍ସି ସଭାପତି ରୋହନ ଶର୍ମା ଭୁବନେଶ୍ବର ପ୍ରଶଂସକଙ୍କ ପ୍ରଶଂସା କରିବା ସହ ଜଗନ୍ନାଥଙ୍କ ବିଶ୍ବାସ ଓ ଭୁବନେଶ୍ବର ଲୋକଙ୍କ ଉତ୍ସାହର ଉଦାହରଣ ରଖିଥିଲେ। ମହିଳା ଫୁଟ୍ବଲ୍ ପାଇଁ ସୁଯୋଗ ରହିଥିବା କଥା ମଧ୍ୟ ଆଲୋଚନା ହୋଇଥିଲା। ଓଡ଼ିଶା ଏଫ୍ସିର ଓଡ଼ିଆ ଖେଳାଳି ଶୁଭମ ଷଡ଼ଙ୍ଗୀଙ୍କୁ ଜଣେ ମାର୍କ୍ବୀ ଖେଳାଳିର ଆଖ୍ୟା ପାଇଲେଣି ବୋଲି ମଧ୍ୟ ମନ୍ଦର ତମାନେ ପ୍ରକାଶ କରିଥିଲେ। ଓଡ଼ିଶା ଏଫ୍ସି ମଧ୍ୟ ଖୁବ୍ ଶୀଘ୍ର ଭାରତୀୟ ମହିଳା ଲିଗ୍ (ଆଇଡବଲ୍ୟୁଏଲ) ଲାଗି ଦଳ ପ୍ରସ୍ତୁତ କରିବ ବୋଲି ସୂଚନା ଦେଇଥିଲେ ଓଡ଼ିଶା ଏଫ୍ସି ସଭାପତି ରୋହନ ଶର୍ମା।