ଭାରତୀୟ ଟିଟିରେ ସ୍ବର୍ଣ୍ଣିମ ଦିବସ, ମହିଳା ପ୍ରଥମ ଥର ବିଜେତା

ସ୍ବର୍ଣ୍ଣ ବଜାୟ ରଖିଲା ପୁରୁଷ ଦଳ

କଟକ: ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ରେ ଭାରତୀୟ ମହିଳା ପ୍ରଥମ ଥର ପାଇଁ ଦଳଗତ ବିଜେତା ହୋଇଛନ୍ତି। ପ୍ରତିଯୋଗିତା ଆରମ୍ଭରୁ ଦବ୍‌ଦବା ରଖିଥିବା ଭାରତ ଫାଇନାଲ୍‌କୁ ମଧ୍ୟ ଏକତରଫା ଭାବେ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଛି। ସର୍ବାଧିକ ୮ ଥର ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ଜିତି ଆସୁଥିବା ସିଙ୍ଗାପୁରକୁ ସେମିଫାଇନାଲ୍‌ରେ ହରାଇବା ପରେ ଫାଇନାଲ୍‌ରେ ୫ ଥର ବିଜେତା ଇ˚ଲଣ୍ଡକୁ ୩-୦ରେ ହରାଇଥିଲା। ଯାହାଫଳରେ ୪୮ ବର୍ଷର ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଯାତ୍ରା ପରେ ଭାରତ ଏହି ଗୌରବ ଅର୍ଜନ କରିଛି। ଭାରତ ପାଇଁ ମନିକା ବାତ୍ରା, ଅର୍ଚ୍ଚନା କାମଥ ଓ ମଧୁରିକା ପାଟକର ଏହି ବିଜୟର ମୁଖ୍ୟ ସୂତ୍ରଧର ଥିଲେ।

ଫାଇନାଲ୍‌ର ପ୍ରଥମ ରାଉଣ୍ଡରେ ଅର୍ଚ୍ଚନା କାମଥ ପ୍ରଥମ ସେଟ୍‌ରେ ୮-୧୧ରେ ହୋ ଟିନ୍‌ ଟିନ୍‌ଙ୍କଠୁ ହାରିଯାଇଥିଲେ। ଏହାପରେ ସେ ଲୟକୁ ଫେରିବା ସହ ୧୩-୧୧, ୧୧-୯, ୧୧-୯ରେ ଜିତିଯାଇଥିଲେ। ମନିକା ନିଜ ପ୍ରଦର୍ଶନରେ ଉନ୍ନତି କରି ଡେନିସ୍‌ ପାୟଟଙ୍କୁ ୧୧-୬, ୧୧-୪, ୧୧-୩ରେ ଏବଂ ମଧୁରିକା ପାଟକର ୧୧-୯, ୧୧-୭, ୧୧-୬ରେ ଏମିଲି ବୋଲ୍‌ଟନ୍‌ଙ୍କ ବିପକ୍ଷରେ ସହଜସାଧୢ ବିଜୟ ହାସଲ କରି ଭାରତକୁ ବିଜେତା କରାଇଥିଲେ। ସେମିଫାଇନାଲ୍‌ରେ ଭାରତ ୩-୦ରେ ଗତ ସ˚ସ୍କରଣର ବିଜେତା ସିଙ୍ଗାପୁରକୁ ହରାଇଥିଲା। ମନିକା ବାତ୍ରା ୩-୨ରେ ଜିନ୍‌ ରୁ ଵଙ୍ଗଙ୍କୁ, ଅର୍ଚ୍ଚନା ୩-୧ରେ ରୁଇ ଜୁଆନ୍‌ ଗୋଇଙ୍କୁ ଏବଂ ମଧୁରିକା ପାଟକର ୧୧-୬, ୧୧-୭, ୧୧-୭ରେ ଇଉନିସ୍‌ ଜୋ ଲିମ୍‌ଙ୍କୁ ପରାସ୍ତ କରିଥିଲେ। ଅନ୍ୟଏକ ସେମି ଫାଇନାଲ୍‌ରେ ଇ˚ଲଣ୍ଡ ୩-୦ରେ ନାଇଜେରିଆକୁ ହରାଇ ଫାଇନାଲ୍‌ ପ୍ରବେଶ କରିଥିଲା। ଏହାବାଦ୍‌ ତୃତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚ୍‌ରେ ସିଙ୍ଗାପୁର ୩-୦ରେ ନାଇଜେରିଆକୁ ହରାଇଥିଲା।

ଭାରତୀୟ ପୁରୁଷ ଦଳ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସର ଦଳଗତ ବିଜେତା କାଏମ ରଖିଛି। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଶୁକ୍ରବାର ରୋମାଞ୍ଚକର ଫାଇନାଲ୍‌ରେ ଭାରତ ୩-୨ରେ ଇ˚ଲଣ୍ଡକୁ ହରାଇଥିଲା। ଶରତ କମଲ, ଜି ସାଥିଆନ୍‌ ଓ ହରମୀତ ଦେଶାଇ ଭାରତ ପାଇଁ ଫାଇନାଲ୍‌ରେ ଖେଳିଥିଲେ। ଆରମ୍ଭରୁ ଭାରତ ୦-୨ରେ ପଛରେ ପଡିଯାଇଥିଲା। କିନ୍ତୁ ନିଜ ଜନ୍ମଦିନରେ ହରମୀତଙ୍କ ବିଜୟ ପରେ ଭାରତ ପାଇଁ ଆଶାର କିରଣ ଆସିଥିଲା। ପଛକୁ ପଛ ଜି ସାଥିଆନ୍‌ ଓ ଶରତ ପରବର୍ତ୍ତୀ ଦୁଇ ରାଉଣ୍ଡରେ ବିଜୟୀ ହୋଇ ଭାରତକୁ ସ୍ବର୍ଣ୍ଣ ପଦକ ଜିତାଇଥିଲେ। ଏହାକୁ ମିଶାଇ ଭାରତ ତୃତୀୟ ଥର ପାଇଁ ରାଜ୍ୟଗୋଷ୍ଠୀରେ ପୁରୁଷ ଦଳଗତ ବିଜେତା ହୋଇଥିଲା ବେଳେ ପ୍ରଥମ ଥର ଉଭୟ ମହିଳା ଓ ପୁରୁଷ ମିଳିତ ଭାବେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସୁରଟ୍‌ରେ ଗତ ସଂସ୍କରଣରେ ପୁରୁଷ ମଧ୍ୟ ସ୍ବର୍ଣ୍ଣ ଜିତିଥିଲେ।

ଫାଇନାଲ୍‌ର ପ୍ରଥମ ରାଉଣ୍ଡରେ ଶରତ ଆଶାନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଯେଉଁଥି ପାଇଁ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଭାରତ କୌଣସି ରାଉଣ୍ଡରେ ପରାଜିତ ହୋଇଥିଲା। ପ୍ରତିପକ୍ଷ ଥୋମାସ ଜାରଭିସ୍‌ଙ୍କଠୁ ୭-୧୧, ୯-୧୧, ୪-୧୧ରେ ହାରିଯାଇଥିଲେ। ତେବେ ଦ୍ବିତୀୟ ରାଉଣ୍ଡରେ ଜି ସାଥିଆନ୍‌ ଓ ସାମୁଏଲ୍‌ ଵାକରଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ପ୍ରଥମ ଦୁଇ ସେଟ୍‌ରେ ୧୧-୫, ୧୧-୯ରେ ସାଥିଆନ୍‌ ଆଗରେ ଥିଲେ ବି ତୃତୀୟ ଓ ଚତୁର୍ଥ ସେଟ୍‌ରେ ସାମୁଏଲ୍‌ ୪-୧୧, ୮-୧୧ରେ ସ୍ଥିତି ବରାବର କରିଥିଲେ। ନିର୍ଣ୍ଣାୟକ ସେଟ୍‌କୁ ସାମୁଏଲ ୮-୧୧ରେ ଜିତିଥିଲେ। ଲଗାତର ଦୁଇଟି ରାଉଣ୍ଡରେ ଭାରତୀୟ ଖେଳାଳିମାନେ ନୈରାଶ୍ୟଜନ ପ୍ରଦର୍ଶନ କରିଥିବାରୁ ହରମୀତ ଦେଶାଇଙ୍କ ଉପରେ ଦଳ ନିର୍ଭର କରିଥିଲା। କିନ୍ତୁ ପ୍ରଥମ ସେଟ୍‌କୁ ଡେଭିଡ୍‌ ମ୍ୟାକ୍‌ବିଥ୍‌ଙ୍କ ବିପକ୍ଷରେ ହରମୀତ ୪-୧୧ରେ ପରାଜିତ ହୋଇ ଝଟ୍‌କା ଦେଇଥିଲେ। ତେବେ ଦ୍ବିତୀୟ ସେଟ୍‌ରେ ସେ ପ୍ରତ୍ୟାବର୍ତ୍ତନ କରି ୧୧-୫ରେ ଏହାକୁ ଜିତିଥିଲେ। ତୃତୀୟ ସେଟ୍‌ରେ ସେ ୮-୧୧ରେ ପରାଜିତ ହୋଇଥିଲେ। ଚତୁର୍ଥ ସେଟ୍‌ରେ ମ୍ୟାଚ୍‌କୁ ଫେରିବା ସହ ୧୧-୮ରେ ବିଜୟୀ ହୋଇଥିଲେ। ଶେଷ ସେଟ୍‌କୁ ୧୧-୮ରେ ଜିତି ଭାରତର ସ୍ବର୍ଣ୍ଣ ଆଶା ଉଜ୍ବଳ ରଖିଥିଲେ। ଚତୁର୍ଥ ରାଉଣ୍ଡରେ ଜି ସାଥିଆନ୍‌ ମଧ୍ୟ ଉତଥାନ ପତନ ଦେଇ ଗତି କରିଥିଲେ। ଶରତଙ୍କୁ ହରାଇଥିବା ଥୋମାସଙ୍କ ବିପକ୍ଷରେ ଏହି ରାଉଣ୍ଡକୁ ଜିତିବା ସହ ସ୍ଥିତି ୨-୨କୁ ଆଣିଥିଲେ। ଚୂଡାନ୍ତ ରାଉଣ୍ଡରେ ଶରତ ନିଜ ତ୍ରୁଟିକୁ ସୁଧାରି ୧୫-୧୩, ୧୨-୧୦, ୧୧-୬ରେ ଏକତରଫା ଭାବେ ଜିତିବା ସହ ଭାରତ ହାତରେ ସ୍ବର୍ଣ୍ଣ ପଦକ ଧରାଇଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବଚାରପତି ଜଷ୍ଟିସ କେଏସ୍‌ ଜାଭେରି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରା, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଓଡ଼ିଶା ଟେବୁଲ ଟେନିସ ସ˚ଘ ଅଧ୍ୟକ୍ଷ ଡିପି ବାଗ୍‌ଚୀ, ଉପ-ସଭାପତି ସ˚ଜୟ ସି˚ହ ଉପସ୍ଥିତ ଥିଲେ।

ଜିତିବୁ ବୋଲି ଜାଣିଥିଲୁ, ତଥାପି ଚାପ ଥିଲା: ମଧୁରିକା
ଦୀର୍ଘ ଦିନର ପରିଶ୍ରମ ପରେ ଆମେ ଫାଇନାଲ୍‌ରେ ଜିତିଛୁ। ପ୍ରତିଯୋଗିତାରେ ଭାରତ ପାଇଁ ଭଲ ଆରମ୍ଭ ହୋଇଛି। ସ୍ବର୍ଣ୍ଣ ପାଇବା ପରେ ଆଗକୁ ବ୍ୟକ୍ତିଗତ ଇଭେଣ୍ଟ ବହୁତ ଅଛି। ସବୁଥିରେ ଆମର ଦବ୍‌ଦବା ରହିବ ବୋଲି ଆଶା କରିଛନ୍ତି ଭାରତୀୟ ଦଳର ବରିଷ୍ଠ ଖେଳାଳି ମଧୁରିକା ପାଟେକର। ସେମିଫାଇନାଲ୍‌ରେ ପୂର୍ବ ରାଜ୍ୟଗୋଷ୍ଠୀ ବିଜେତା ଓ ଫାଇନାଲ୍‌ରେ ପୂର୍ବ ବିଶ୍ବ ବିଜେତା ସହିତ ଆମେ ଲଢ଼େଇ କରି ଜିତିଛୁ। ଆମେ ଜିତିବୁ ବୋଲି ଜାଣିଥିଲୁ। ତଥାପି ମ୍ୟାଚ୍‌ ପୂର୍ବରୁ ଚାପ ରହିଥିଲା। କିନ୍ତୁ ସ୍ଥାନୀୟ ଦର୍ଶକଙ୍କ ସମର୍ଥନ ଯୋଗୁଁ ଆମକୁ ଜିତିବା ସହଜ ହୋଇଗଲା। ଭାରତୀୟ ମହିଳାମାନେ ସ୍ବର୍ଣ୍ଣ ଜିତିବା ପରେ କଟକରେ ହେଉଥିବା ଏହି ଆନ୍ତର୍ଜାତିକ ଇଭେଣ୍ଟ ପାଇଁ ରାଜ୍ୟ ସରକାର, ସର୍ବଭାରତୀୟ ମହାସ˚ଘ ଓ ରାଜ୍ୟ ଟେବୁଲ ଟେନିସ ସ˚ଘର ଉଦ୍ୟମକୁ ପ୍ରଶ˚ସା କରିଛନ୍ତି। ଏଭଳି ଆୟୋଜନ ଦ୍ବାରା ଖେଳର ଲୋକପ୍ରିୟତା ବୃଦ୍ଧି ହେବ। ଆଗକୁ ଅମେ ଅଧିକ ପଦକ ଜିତି ସମସ୍ତଙ୍କ ମନୋର˚ଜନ କରିବା ସହ ଭାରତ ପାଇଁ ଗୌରବ ଆଣିବୁ ବୋଲି ମଧୁରିକା କହିଛନ୍ତି।

ବ୍ୟକ୍ତିଗତ ଇଭେଣ୍ଟରୁ ଓହରିଲେ ଅସୁସ୍ଥ ମନିକା
ଦଳଗତ ପ୍ରତିଯୋଗିତା ଶେଷ ହେବା ପରେ ଶୁକ୍ରବାର ସ˚ଧ୍ୟାରୁ ବ୍ୟକ୍ତିଗତ ଇଭେଣ୍ଟ ଆରମ୍ଭ ହୋଇଛି। ପ୍ରଥମରୁ ମିଶ୍ରିତ ଯୁଗଳ ଇଭେଣ୍ଟ ଆରମ୍ଭ ହୋଇଥିଲା ବେଳେ ଶନିବାରଠୁ ଏକକ ଇଭେଣ୍ଟଗୁଡ଼ିକ ଖେଳାଯିବ। ତେବେ ମହିଳା ଏକକରୁ ଶେଷ ପର୍ଯ୍ୟାୟରେ ଭାରତର ପ୍ରମୁଖ ଖେଳାଳି ମନିକା ବାତ୍ରା ଓହରିଯାଇଛି। ଗତ କିଛି ଦିନଧରି ସେ ଜ୍ବରରେ ପୀଡ଼ିତ ଥିବା ବେଳେ ମ୍ୟାଚ୍‌ ଖେଳିବା ସମୟରେ କ୍ଲାନ୍ତ ଅନୁଭବ କରୁଛନ୍ତି। ଅଧିକ ମ୍ୟାଚ୍‌ ଖେଳିବାକୁ ଶରୀର ଅନୁମତି ଦେଉନଥିବାରୁ ସେ ବିଶ୍ରାମ ନେବାକୁ ଚାହିଁଛନ୍ତି। ଗଳାରେ ମଧ୍ୟ ସ˚କ୍ରମଣ ସନ୍ଦେହ କରୁଛନ୍ତି। ଯେଉଁଥିପାଇଁ ଶୁକ୍ରବାର ସେ କାହା ସହିତ ଅଧିକ କଥାବାର୍ତ୍ତା କରିପାରୁନଥିଲେ। ତେଣୁ ସେ ମହିଳା ଏକକରୁ ଓହରିଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର