ନୂଆଦିଲ୍ଲୀ ଧାବିକା ହିମା ଦାସ ଭାରତ ପାଇଁ ଏବେ ସୁନା ଝିଅ ପାଲଟି ଯାଇଛନ୍ତି। ଏହି ୧୯ ବର୍ଷ ବୟସ୍କା ଆସାମ ଧାବିକା ୨୦ ଦିନ ମଧ୍ୟରେ ୫ ସ୍ବର୍ଣ୍ଣ ପଦକ ହାସଲ କରିସାରିଲେଣି। ଏହି ମାସରେ (ଜୁଲାଇ ୨) ପ୍ରଥମ ସ୍ବର୍ଣ୍ଣ (୨୩.୬୫ ସେକେଣ୍ଡ୍ ସମୟ) ପୋଲାଣ୍ଡ୍ରେ (ପୋଜ୍ନାନ୍ ଆଥ୍ଲେଟିକ୍ସ ଗ୍ରାଁ ପ୍ରି) ଜିତିଥିବା ହିମା ସେହି ପୋଲାଣ୍ଡ୍ରେ କୁତ୍ନୋ ଆଥ୍ଲେଟିକ୍ ମିଟ୍ (ଜୁଲାଇ ୭)ରେ ଦ୍ବିତୀୟ ସ୍ବର୍ଣ୍ଣ (୨୩.୯୭ ସେକେଣ୍ଡ୍ ସମୟ) ଜିତିଥିଲେ। ଏହାପରେ ଜୁଲାଇ ୧୩ରେ ଚେକ୍ ଗଣରାଜ୍ୟ (କ୍ଲାଡ୍ନୋ ମେମୋରିଆଲ ଆଥ୍ଲେଟିକ୍ ମିଟ୍)ରେ ତୃତୀୟ ସ୍ବର୍ଣ୍ଣ (୨୩.୪୩ ସେକେଣ୍ଡ୍ ସମୟ) ଜିତିବା ପରେ ଟାବୋର୍ ଆଥ୍ଲେଟିକ୍ ମିଟ୍ରେ ଚତୁର୍ଥ ସ୍ବର୍ଣ୍ଣ ପଦକ କରାୟତ କରିଛନ୍ତି। ସେ ୨୩.୨୫ ସେକେଣ୍ଡ ସମୟ ନେଇ ଦୌଡ଼ ଜିତିଥିଲେ। ଅବଶ୍ୟ ଏହି ସବୁ ସ୍ବର୍ଣ୍ଣ ହିମା ୨୦୦ ମିଟରରେ ହିଁ ଜିତିଥିଲେ। ସେହି ସ୍ବର୍ଣ୍ଣିମ ସଫଳତାକୁ ହିମା ପୁଣି ଚେକ୍ ଗଣରାଜ୍ୟରେ ଶନିବାର ଆଗକୁ ଲମ୍ବାଇଛନ୍ତି। ଏଠାରେ ୪୦୦ ମିଟର ପ୍ରତିଯୋଗିତାରେ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନ (୫୨.୦୯ ସେକେଣ୍ଡ୍ ସମୟ) ଜରିଆରେ ହିମା ସ୍ବର୍ଣ୍ଣ ପଦକ କରାୟତ କରିଛନ୍ତି। ଜୁଲଇ ୨ ତାରିଖରୁ ଏହା ତାଙ୍କର ବ୍ୟକ୍ତିଗତ ପଞ୍ଚମ ସ୍ବର୍ଣ୍ଣ। ତଥାପି ହିମା ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନଠୁ ପଛରେ ରହିଯାଇଛନ୍ତି। ହିମା ଜାକର୍ତା ଏସୀୟ କ୍ରୀଡ଼ାରେ ୪୦୦ ମିଟର ଦୂରତାକୁ ୫୦.୭୯ ସେକେଣ୍ଡ୍ ସମୟରେ ଶେଷ କରିଥିଲେ। ଚଳିତ ବର୍ଷ ଏପ୍ରିଲରେ ଏସୀୟ ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍ ପରେ ପ୍ରଥମ ଥର ପାଇଁ ଏହା ହିମାଙ୍କ ୪୦୦ ମିଟର ଦୌଡ଼ ଥିଲା। ପଞ୍ଚମ ସ୍ବର୍ଣ୍ଣ ଜିତିବା ସତ୍ତ୍ବେ ହିମା ଏପର୍ଯ୍ୟନ୍ତ ବିଶ୍ବ ଚାମ୍ପିଅନ୍ସିପ୍ ଯୋଗ୍ୟତା ହାସଲ କରିପାରିନାହାନ୍ତି। ବିଶ୍ବ ଚାମ୍ପିଅନ୍ସିପ୍ ପାଇଁ ଯୋଗ୍ୟତା ମାନଦଣ୍ଡ ସମୟ ୨୦୦ ମିଟରରେ ୨୩.୦୨ ଏବଂ ୪୦୦ ମିଟରରେ ୫୧.୮୦ ସେକେଣ୍ଡ ରହିଛି। ଅନ୍ୟପକ୍ଷରେ ପୁରୁଷ ୪୦୦ ମିଟରରେ ଏମ୍ପି ଜବିର (୪୯.୬୬ ସେକେଣ୍ଡ) ସ୍ବର୍ଣ୍ଣ ଜିତିଥିଲା ବେଳେ ମହମ୍ମଦ ଆନସ୍ ୨୦୦ ମିଟରରେ (୨୦.୯୫ ସେକେଣ୍ଡ୍) ତୃତୀୟ ସ୍ଥାନରେ ରହି କାଂସ୍ୟ ପାଇଥିଲେ।
Advertisment

Sambad is now on WhatsApp
Join and get latest news updates delivered to you via WhatsApp