ମୋତେ ପ୍ରଶ୍ନ କରୁଥିବା ଲୋକଙ୍କୁ ଜବାବ: ସିନ୍ଧୁ

ବାସେଲ: ୨୦୧୭ ଏବଂ ୨୦୧୮ର ବିଶ୍ବ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଭାରତୀୟ ଲଳନା ପିଭି ସିନ୍ଧୁ ଜାପାନର ନାଜୋମୀ ଓକୁହାରାଙ୍କଠାରୁ ହାରି ଯାଇଥିଲେ। ଏହା ପରେ ଅନେକ ତାଙ୍କ ଫିନିସିଂ ଦକ୍ଷତା ନେଇ ପ୍ରଶ୍ନ ଉଠାଇଥିଲେ। ରବିବାର ସେହି ଓକୁହାରାଙ୍କୁ ସିଧାସଳଖ ସେଟ୍‌ରେ ହରାଇ ପ୍ରଥମ ଥର ପାଇଁ ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ସିନ୍ଧୁ ଏହାର ଜବାବ ରଖିଛନ୍ତି। ସେ କହିଛନ୍ତି ମୋତେ ବାରମ୍ବାର ପ୍ରଶ୍ନ କରୁଥିବା ଲୋକଙ୍କୁ ଏହା ମୋର ଜବାବ। ଏହି ବିଜୟ ସହ ମୁଁ କେବଳ ମୋ ରୢାକେଟ୍‌ରେ ଏହାର ଜବାବ ଦେବାକୁ ଚାହୁଁଥିଲି। ପ୍ରଥମ ବିଶ୍ବ ପ୍ରତିଯୋଗିତାର ଫାଇନାଲ୍ ହାରିବା ପରେ ମୁଁ ବହୁତ ଦୁଃଖୀ ଥିଲି। ଗତବର୍ଷ ନିଜ ଉପରେ ନିଜେ ବହୁତ ରାଗିଥିଲି। ଆଜି ମୁଁ ନିଜ ଉପରେ ଭରସା ରଖିଥିଲି ଏବଂ ଆଦୌ ବ୍ୟସ୍ତ ନହୋଇ କେବଳ ଖେଳ ଉପରେ ଧ୍ୟାନ ଦେଇଥିଲି। ୨୪ ବର୍ଷୀୟା ସିନ୍ଧୁ ବିଶ୍ବ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଭାରତୀୟ କ୍ରୀଡ଼ା‌ ଜଗତର ବହୁ କିମ୍ବଦନ୍ତୀ ତାରକା ପର୍ଯ୍ୟନ୍ତ, ସମସ୍ତେ ସିନ୍ଧୁଙ୍କୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର