ଜନ୍ମଦିନରେ ଗଲ୍ଫ ଟ୍ରଫି ଜିତିଲେ ହକି କିମ୍ବଦନ୍ତୀ ଦିଲୀପ

ଭୁବନେଶ୍ବର: ହକି କିମ୍ବଦନ୍ତୀ ଦିଲ୍ଲୀପ ତିର୍କିଙ୍କ ପାଇଁ ନିଜ ସହର ଭୁବନେଶ୍ବରରେ ହକି ବିଶ୍ବକପ୍ ହେବାଠାରୁ ଅଧିକ କିଛି ଆନନ୍ଦ ‌ହୋଇନପାରେ। ‘ସମ୍ଭବତଃ ମୋଠାରୁ କେହି ଅଧିକ ଖୁସୀ ନୁହେଁ’ ବୋଲି ମଧ୍ୟ ଦିଲୀପ ପୂର୍ବରୁ କହି ସାରିଛନ୍ତି। ରବିବାର କିନ୍ତୁ ଦିଲୀପଙ୍କ ପାଇଁ ଏହି ଖୁସୀ ଦ୍ବିଗୁଣିତ ଏବଂ ଅଧିକ ସ୍ମରଣୀୟ ହୋଇଛି। ନିଜର ୪୧ତମ ଜନ୍ମଦିନରେ ଦିଲ୍ଲୀପ କଳିଙ୍ଗ କପ୍‌ ରାଜ୍ୟସ୍ତରୀୟ ଗଲ୍‌ଫରେ ପ୍ରଥମ ଥର ବିଜେତା ହୋଇଛନ୍ତି। ହକିରୁ ଅବସର ନେବା ପରେ ନିଜକୁ ଫିଟ୍ ରଖିବା ପାଇଁ ଗଲ୍‌ଫ ଖେଳୁଥିବା ଭାରତୀୟ ହକି ଦଳର ଏହି ପୂର୍ବତନ ଅଧିନାୟକ ଦୁଇ ସପ୍ତାହ ତଳେ ମେକ୍‌ ଇନ୍ ଓଡ଼ିଶା ଅବସରରେ ଆୟୋଜିତ ଗଲଫ୍ ପ୍ରତିଯୋଗିତାରେ ଉପ ବିଜେତା‌ ହୋଇଥିଲେ। ଏବେ କିନ୍ତୁ ବିଜେତା ହେବାର ଗୌରବ ପାଇଛନ୍ତି। ‘ଜନ୍ମଦିନରେ ଗଲ୍‌ଫ ଟ୍ରଫି ଜିତିବା ନିଶ୍ଚିତ ମୋତେ ଖୁସୀ ଦେଇଛି।

ଏହି ଖେଳକୁ ଏବେ ବି ମୁଁ ବୁଝିବାକୁ ଚେଷ୍ଟା କରୁଛି ଏବଂ ଉପଭୋଗ କରୁଛି’ ବୋଲି ଦିଲୀପ ରବିବାର ବିଜିସିରେ ବିଜୟ ପରେ ‘ସମ୍ବାଦ’କୁ କହିଥିଲେ। ପୂର୍ବରୁ ଗଲ୍‌ଫ ପ୍ରତି ମୋର ଭୁଲ ଧାରଣା ଥିଲା ବୋଲି ମଧ୍ୟ ଦିଲୀପ ସ୍ବୀକାର କରିଥିଲେ। ‘ହକି ଖେଳୁଥିବା ବେଳେ ମୁଁ ଭାବୁଥିଲି, ଏହି‌ ଖେଳ (ଗଲଫ)କୁ କାହିଁକି ଖେଳାଯାଉଛି। ନିଜେ ଖେଳିବା ପରେ ଏବେ ସେଦିନ ଭୁଲ ଥିଲି ବୋଲି ଜାଣିପାରିଛି। ଫିଟନେସ୍ ସହିତ ଏକାଗ୍ରତା ରକ୍ଷା କରିବାରେ ଏହା ପ୍ରମୁଖ ଭୂମିକା ‌ନେଉଛି। ଅନ୍ୟ ଖେଳ ଭଳି ଚିଲାଇ ଚିଲାଇ ଏହାକୁ ଖେଳି ହେବ ନାହିଁ କି ପଡ଼ିଆରେ ପ୍ରଶଂସକଙ୍କ ଚିତ୍କାର ନଥାଏ। ପେସାଦାର ଭାବେ ଖେଳିବା କଥା ମୁଁ ଚିନ୍ତା କରିନାହିଁ। କିନ୍ତୁ ନିଜ ଶକ୍ତି, ସାମର୍ଥ୍ୟ ଏବଂ ଶାରୀରିକ ସକ୍ଷମତାକୁ ନେଇ ନିଶ୍ଚିତ ରାଜ୍ୟରେ ଖେଳିବା ଜାରି ରଖିବି ବୋଲି କହିଥିଲେ ଗଲଫ୍ କ୍ଲାନ୍ତି ଓ ଜନ୍ମଦିନ ଶୁଭେଚ୍ଛାରେ ଭାରାକ୍ରାନ୍ତ ଦିଲ୍ଲୀପ।

ସମ୍ବନ୍ଧିତ ଖବର