ସୁନ୍ଦରସ୍ବା‌ସ୍ଥ୍ୟର ଅସୁନ୍ଦର ଚେହେରା: ସଂଘ ଅନୁଦାନକୁ ନେଇ ଅନିୟମିତତା ଅଭିଯୋଗ ଆଣିଲେ ବିଦ୍ରୋହୀ

ଭୁବନେଶ୍ବର: ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘର ଅସୁନ୍ଦର ଚେହେରା ପଦାକୁ ଆସିଛି। ସରକାରୀ ଅନୁଦାନର ଉପଯୋଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ହେବ ଟଣାଓଟରା ଲାଗି ରହିଥିଲା ବେଳେ ମଙ୍ଗଳବାର ଏହା ବିସ୍ଫୋରକ ରୂପ ନେଇଛି। ବର୍ତମାନ ସଂଘର ବିଭିନ୍ନ ପଦ ପଦବିରେ ଥିବା କର୍ମକର୍ତାମାନେ ସରକାରୀ ଅନୁଦାନର ଦୁରୂପଯୋଗ କରିବା ସହ ସଂଘରେ ବ୍ୟାପକ ଅନିୟମିତତା କରିଥିବା ଆଜି ଅସନ୍ତୁଷ୍ଟ ଗୋଷ୍ଠୀ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି। ସେହିଭଳି ସଂଘର ପାଣ୍ଠିକୁ ବ୍ୟକ୍ତିଗତ କାମରେ ଉପଯୋଗ କରାଯାଉଥିବା ଏବଂ ଗତ ତିନି ଚାରି ବର୍ଷ ହେବ ସଂଘ ଆୟବ୍ୟୟର ଅଡିଟ୍ ହୋଇ ନଥିବା ସେମାନେ ଅଭିଯୋଗ କରିଛନ୍ତି। ତଦନ୍ତ ହେଲେ ଆହୁରି ଅନେକ ଗୁମର ପଦାକୁ ଆସିବ ବୋଲି କହିଛନ୍ତି।

ମଙ୍ଗଳବାର ସ୍ଥାନୀୟ ଉତ୍କଳ ସାମ୍ବାଦିକ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ଆମେଚର ବଡି ବିଲଡିଂ ସଂଘର ସଂପାଦକ ଏସ୍ ରାଜେଶ ବାବୁ ଆଚାରୀ ଏବଂ ଓଡ଼ିଶା ବଡି ବିଲଡିଂ ସଂଘ (ଓବିବିଏ)ର ପୂର୍ବତନ ସଂପାଦକ ମନ୍ମଥ ନାଥ ମିଶ୍ର ଓବିବିଏ ସଂପାଦକ ପ୍ରସନ୍ନ ମହାସୁଆରଙ୍କ ବିରୋଧରେ ଏକାଧିକ ସଂଗିନ ଅଭିଯୋଗ ଆଣିଥିଲେ। ସଂପାଦକ କେତେକ କର୍ମକର୍ତାଙ୍କୁ ହାତକରି ବ୍ୟାପକ ଆର୍ଥିକ ଅନିୟମିତତା କରିଥିବା ସେମାନେ ଖୋଲା ଅଭିଯୋଗ କରିଥିଲେ। ଏହାର ପ୍ରମାଣ ମଧ୍ୟ ଦେଖାଇଥିଲେ। ଏହିକ୍ରମରେ ସେମାନେ ୨୦୧୮ ମସିହା‌ ଜୁନ୍ ମାସ ୨୭ ତାରିଖରେ ରାଜ୍ୟ ସଂସ୍କୃତି ବିଭାଗରୁ ମିଳିଥିବା ୧ ଲକ୍ଷ ଟଙ୍କାର ଅନୁଦାନ କିଭଳି ଭାବେ ସଂଘ ଜମା ଖାତାକୁ ନଯାଇ ବ୍ୟକ୍ତିଗତ ଖାତାରେ ରଖାଯାଇଥିଲା ତାହାର ନଥିପତ୍ର ଦେଖାଇଥିଲେ। ଶ୍ରୀ ଆଚେରୀ ଏବଂ ଶ୍ରୀ ମିଶ୍ର ଦେଇଥିବା ସୂଚନା ଅନୁସାରେ ୨୦୧୮ରେ ବିଭିନ୍ନ ସୁନ୍ଦରସ୍ବାସ୍ଥ୍ୟ ବା ବଡି ବିଲ୍ଡିଂ ପ୍ରତିଯୋଗିତା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦେଶକ ଓବିବିଏକୁ ଏକ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ। ତେବେ ଏହି ରାଶି ଓବିବିଏର ଜମା ଖାତାକୁ ନପଠାଇ ସଂଘର କୋଷାଧକ୍ଷ ତରୁଣ କୁମାର ଚାଟାର୍ଜୀଙ୍କ ବ୍ୟକ୍ତିଗତ ଓଭରଡ୍ରାଫ୍ଟ ଖାତାକୁ ପଠାଯାଇଥିଲା। ଶ୍ରୀ ଚାଟାର୍ଜୀ ପରେ ଏହି ରାଶିକୁ ନିଜ ବ୍ୟକ୍ତିଗତ ସଞ୍ଚୟ ଖାତାକୁ ଏବଂ ତା’ ପରେ ସଂପାଦକ ପ୍ରସନ୍ନ ମହାସୁଆରଙ୍କ ବ୍ୟକ୍ତିଗତ ସଞ୍ଚୟ ଜମା ଖାତାକୁ ପଠାଇ ଦେଇଥିଲେ। ଯାହା ସଂପୂର୍ଣ୍ଣ ଭାବେ ବେଆଇନ। ଏଥିନେଇ ସଂଘର ଆଜୀବନ ସଦ୍ୟ ହରିପ୍ରସାଦ ପଟ୍ଟନାୟକ ଗତବର୍ଷ ଜୁଲାଇ ୧୯ରେ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତଙ୍କ ନିର୍ଦେଶକ୍ରମେ ଗତ ଡିସେମ୍ବର ୨୭ ତାରିଖରେ କ୍ୟାପିଟାଲ ଥାନାରେ ମାମଲା ମଧ୍ୟ ଦାୟର ହୋଇଛି। ଏଣୁ ସଂଘର ସଦସ୍ୟମାନେ ଏକତ୍ରିତ ହୋଇ ସଂପାଦକ ଏବଂ କୋଷାଧ୍ୟକ୍ଷଙ୍କୁ ବ‌ହିଷ୍କୃତ କରିବାକୁ ଉଭୟ ଶ୍ରୀ ଆଚେରୀ ଓ ଶ୍ରୀ ମିଶ୍ର ଏହି ଅବସରରେ ଆହ୍ବାନ କରିଥିଲେ। ସେହିଭଳି ସଂଘରେ ଚାଲିଥିବା ବେଆଇନ କାର୍ଯ୍ୟର ପର୍ଦାଫାସ କରିବା ଲାଗି ତଦନ୍ତ କରାଇବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।

କୌଣସି ବେଆଇନ କାମ ହୋଇନି: ପ୍ରସନ୍ନ
ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଓବିବିଏ ସଂପାଦକ ପ୍ରସନ୍ନ ମହାସୁଆର ଖଣ୍ଡନ କରିଛନ୍ତି। ଏଭଳି ଅଭିଯୋଗରେ କୌଣସି ସତ୍ୟତା ନଥିବା ସେ ପ୍ରତିକ୍ରିୟାରେ କହିଛନ୍ତି। ଶ୍ରୀ ମହାସୁଆର କହିଛନ୍ତି ଯେ ସବୁକିଛି ଗଣତାନ୍ତ୍ରିକ ଉପାୟରେ ହୋଇଛି। ମିଳିଥିବା ଅନୁଦାନର ଉପଯୋଗ ସଦସ୍ୟମାନଙ୍କ ଅନୁମୋଦନ ଓ ସମ୍ମତି ପରେ ହିଁ ସଂଘ କାର୍ଯ୍ୟରେ ଲାଗିଛି। ସାଧାରଣ ପରିଷଦ ବୈଠକରେ ପ୍ରସ୍ତାବ ମଞ୍ଜୁରି ଲାଭ କରିବା ପରେ ଯାଇ ଉପରୋକ୍ତ ଏକ ଲକ୍ଷ ଟଙ୍କାର ବିନିଯୋଗ ଭିନ୍ନ ଭିନ୍ନ କାର୍ଯ୍ୟରେ ହୋଇଛି। ଏହାର ବିନିଯୋଗ ପ୍ରମାଣପତ୍ର ମଧ୍ୟ ସରକାରଙ୍କ ନିକଟରେ ଦାଖଲ ହୋଇସାରିଛି। ଅଭିଯୋଗକାରୀ ଜାଣିଶୁଣି ସେହି ବୈଠକରେ ଅନୁପସ୍ଥିତି ରହିଥିଲେ। ସଂଘ ଭିତରେ କିଛି ଭୁଲ ବୁଝାମଣା ଥିଲେ ସାଧାରଣ ପରିଷଦ ବୈଠକରେ ସେମାନେ ଏହାର ସ୍ପଷ୍ଟୀକରଣ ମାଗି ପାରିଥାଆନ୍ତେ। ଏଭଳି ସାମ୍ବାଦିକ ସମ୍ମିଳନୀ କରିବାର କୌଣସି ମାନେନାହିଁ। ତା’ ଛଡ଼ା ୨୫ ଜିଲ୍ଲା ଆମ ସଂଘର ସଂଦସ୍ୟ ଅଛନ୍ତି। ଗୋଟିଏ କିମ୍ବା ଦୁଇଟି ଜିଲ୍ଲା ସଂଘ ଯାହା କହିବେ, ତାହାକୁ ଠିକ୍ କହିବା ଉଚିତ ହେବନି। ଏମାନେ ନିର୍ବାଚନ ହାରି ଯାଇଥିବାରୁ ଏଭଳି ଆଚରଣ କରୁଛନ୍ତି। ତେବେ ସରକାରୀ ଅନୁଦାନ ସଂଘ ଖାତାକୁ ହିଁ ଆସିବା କଥା। ବ୍ୟକ୍ତିଗତ ଖାତାକୁ ଆସିବା ଆଇନସମ୍ମତ ନୁହେଁ ବୋଲି ସେ ସ୍ବୀକାର କରିଛନ୍ତି। ଏଥିଲାଗି ସେ ସଂସ୍କୃତି ବିଭାଗ ଉପରେ ଦୋଷ ଲଦିଛନ୍ତି।

ସମ୍ବନ୍ଧିତ ଖବର