ଭାରୋତ୍ତୋଳନ ପାଇଁ ଭଲ ବେଳା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସୋମବାରଠାରୁ ଭାରୋତ୍ତୋଳନ ରିଫ୍ରେସର ପାଠ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟରେ ଭାରୋତ୍ତୋଳନ ପ୍ରଶିକ୍ଷଣରେ ଉତ୍କର୍ଷତା ଲାଗି ଏଭଳି ଏକ କାର୍ଯ୍ୟକ୍ରମ ଆାୟୋଜିତ ହୋଇଛି। ଦେଶର ଦୁଇ ଭାରୋତ୍ତୋଳନ ଦ୍ରୋଣାଚାର୍ଯ୍ୟ ତଥା ଜାତୀୟ ଦଳ ପୂର୍ବତନ ପ୍ରଶିକ୍ଷକ ପଲ୍‌ ସିଂହ ସାନ୍ଧୁ ଏବଂ ହଂସା ଶର୍ମା ମନରାଲ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା କେ ରବି କୁମାର ମୁଖ୍ୟ ଆକର୍ଷଣ ଥିଲେ। ଏଭଳି କାର୍ଯ୍ୟକ୍ରମ ଲାଗି ଶ୍ରୀ ସାନ୍ଧୁ ଓଡ଼ିଶା ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିବା ସହିତ ଖେଳାଳି ଓ ପ୍ରଶିକ୍ଷକଙ୍କୁ ଏହା ସହାୟକ ହେବ ବୋଲି ପ୍ରକାଶ କରିଥିଲେ। କ୍ରିକେଟ୍‌ ଓ ଫୁଟ୍‌ବଲ୍‌ରେ ବି ଏଭଳି ପାଠ୍ୟକ୍ରମ ରହିଛି। ଭାରୋତ୍ତୋଳନରେ ଏହା ସମ୍ଭବତଃ ଦେଶରେ ପ୍ରଥମ ବୋଲି ସେ କହିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିନଥିଲେ ମଧ୍ୟ ଚଳିତ ବର୍ଷର ଏସୀୟ କ୍ରୀଡ଼ା ଓ ବିଶ୍ୱ ଭାରୋତ୍ତୋଳନ ଲାଗି ସେ ନିଜକୁ ପ୍ରସ୍ତୁତ କରୁଛନ୍ତି ବୋଲି କହିଥିଲେ ରବି କୁମାର।
ସୋମବାର ପୂର୍ବାହ୍‌ଣରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଭାରେତ୍ତୋଳନ ସଂଘ ସଭାପତି ଇଂ ଚିତ୍ତରଂଜନ ସ୍ୱାଇଁ, ସମ୍ପାଦକ ନାରାୟଣ ସାହୁ, ପ୍ରଶିକ୍ଷକ ଚନ୍ଦ୍ର ଶେଖର ସାହୁ, କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ମନୋଜ ପାଢ଼ୀ, ସହକାରୀ କ୍ରୀଡ଼ା ନିର୍ଦେଶକ ସନାତନ ସାହୁ, ବରିଷ୍ଠ ଅଧିକାରୀ ଜ୍ଞାନରଂଜନ ପରିଡ଼ା, ରାଜେନ୍ଦ୍ର ପ୍ରସାଦ ପାଣି ପ୍ରମୁଖ ଉପସ୍ଥିତ ଥିଲେ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରାପ୍ତ ପ୍ରଶିକ୍ଷକ ପି ଧର୍ମାରାଓ ଏହାର ନୋଡାଲ୍‌ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଭୁବନେଶ୍ୱର, ବ୍ରହ୍ମପୁର, ମାଲ୍‌କାନଗିରି କ୍ରୀଡ଼ା ଛାତ୍ରାବାସ, କିଟ୍‌ ବିଶ୍ୱବିଦ୍ୟାଳୟ, ଉତ୍କଳ କରାଟେ ସ୍କୁଲ୍‌ର ଖେଳାଳିଙ୍କ ସହିତ ମୋଟ ୬୦ରୁ ଊର୍ଧ୍ୱ ଏହି ୫ ଦିନିକିଆ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି।

ସମ୍ବନ୍ଧିତ ଖବର