ଦୀର୍ଘ ୧୨ ଦିନ ଧରି ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୩ତମ ସଂସ୍କରଣ ସୋମବାର ସଫଳତାର ସହ ସମାପିତ ହୋଇଛି। ୭୨ଟି ରାଜ୍ୟଗୋଷ୍ଠୀ ଦେଶରୁ ୫,୦୦୦ରୁ ଊର୍ଧ୍ବ ଖେଳାଳି ୨୦ ଖେଳର ୨୮୦ ଇଭେଣ୍ଟରେ ନିଜ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ୧୯୩୦ ମସିହାରୁ ଆରମ୍ଭ ହୋଇଥିବା ଏହି ବ୍ରିଟିସ୍ ପ୍ରତିଯୋଗିତାର ୨୪ତମ ସଂସ୍କରଣ ୨୦୨୬ ମସିହାରେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ଅନୁଷ୍ଠିତ ହେବ। ଦ୍ବିତୀୟ ବିଶ୍ବଯୁଦ୍ଧ କାରଣରୁ ୧୯୪୨ ଏବଂ ୧୯୪୬ରେ ଦୁଇଥର ମାତ୍ର ଏହା ଖେଳାଯାଇନଥିଲା।
ବର୍ମିଂହାମରେ ସୋମବାର ମହିଳା ଏକକ ସ୍ବର୍ଣ୍ଣ ପଦକ ଜିତିବା ପରେ ପିଭି ସିନ୍ଧୁ ସିଧା ଦର୍ଶକ ଗ୍ୟାଲେରି ଯାଇ ପ୍ରଶଂସକ ସେଲଫି ଅନୁରୋଧକୁ ସ୍ବୀକାର କରିଥିଲେ। କେବଳ ଏତିକି ନୁହେଁ ତାଙ୍କଠାରୁ ମୋବାଇଲ୍ ଫୋନ ଆଣି ନିଜେ ମଧ୍ୟ ସେଲଫି ଉଠାଇଥିଲେ। ସେଲଫି ନେବା, ସେଲଫି ଦେବା, ହାତ ମିଳାଇବା, ଅଟୋଗ୍ରାଫ୍ ଦେବା ସବୁ କାର୍ଯ୍ୟରେ ସମୟ କାଟିଥିଲେ। ଏହା ପରେ କିଛି ପ୍ରଶଂସକ ସିନ୍ଧୁଙ୍କୁ ‘ପିପୁଲ୍ସ ଚାମ୍ପିଅନ୍’ ଅଭିହିତ କରି ଟ୍ବିଟ୍ କରିଛନ୍ତି।
/sambad/media/post_attachments/wp-content/uploads/2022/08/f564h5f4sh5f6s4h65hfsfhsfhhf-300x146.jpg)
ଶରତ ଓ ନିଖତ ଧରିଲେ ତ୍ରିରଙ୍ଗା
ବର୍ମିଂହାମ: ଜୁଲାଇ ୨୮ ତାରିଖରୁ ଆରମ୍ଭ ହୋଇଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦଯାପିତ ହୋଇଯାଇଛି। ସୋମବାରର ଉଦଯାପନୀ ଉତ୍ସବରେ ବିଶ୍ବବିଜୟିନୀ ତଥା ରାଜ୍ୟଗୋଷ୍ଠୀ ମୁଷ୍ଟିଯୁଦ୍ଧରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ନିଖତ ଜରିନଙ୍କ ସହ ଟେବୁଲ ଟେନିସ୍ ତାରକା ଅଚନ୍ତ ଶରତ କମଲ ତ୍ରିରଙ୍ଗା ଧରିଥିଲେ। ୪୦ ବର୍ଷୀୟ ଶରତ କମଲ ଏଥର ପୁରୁଷ ଏକକ, ମିଶ୍ରିତ ଯୁଗଳ ଏବଂ ପୁରୁଷ ଦଳଗତରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତା’ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବ୍ୟକ୍ତିଗତ ଭାବେ ୧୩ ପଦକ ଜିତିବାର କୀର୍ତ୍ତିମାନ କରିଛନ୍ତି। ଅନ୍ୟପକ୍ଷରେ ନିଖତ ଫ୍ଲାଏୱେଟ୍ ବା ୫୦ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ଏବଂ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଉଦଘାଟନୀ ଦିବସରେ ତ୍ରିରଙ୍ଗା ଧରିଥିଲେ।
ଆଲେଜାଣ୍ଡାର ଷ୍ଟାଡିୟମ୍ରେ ଆୟୋଜିତ ଏହି ୧୧ ଦିନିଆ ପ୍ରତିଯୋଗିତାର ସମାପନ ସମାରୋହରେ ୟୁବି-୪୦ ଓ ଡେକ୍ସିସ୍ ମିଡନାଇଟ୍ ରନର୍ସ ଗ୍ରୁପ୍ ନିଜ ଯାଦୁ ଦେଖାଇଥିଲେ। ପିକି ବ୍ଲାଇଣ୍ଡର୍ସ ଡ୍ୟାନ୍ସ ଥିଏଟର୍ ସୋ’ର କଳାକାରମାନେ ବି ମନ୍ତ୍ରମୁଗ୍ଧକର ନୃତ୍ୟ ପରିବେଷଣ କରିଥିଲେ। ସମସ୍ତେ ଏକାଠି ବର୍ମିଂହାମ ସହରର ଉନ୍ନତ ସଭ୍ୟତା ଓ ମହନୀୟ ସଂସ୍କୃତିର ମିଳିତ ଉତ୍ସବ ପାଳନ କରିଥିଲେ। ବ୍ରିଟିସ୍ ଗାୟିକା ଜୋର୍ଜା ସ୍ମିଥ୍ ମଧ୍ୟ ସଂଗୀତ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆପାଚି ଇଣ୍ଡିଆନ୍, ଲୌରା ମୁଲା, ଗୋଲ୍ଡି, ଜ୍ୟାକବ ବ୍ୟାଂକ୍ସ, ନିଲମ ଗିଲ୍, ରାଜା ହୁସନେ ପ୍ରମୁଖ ଦର୍ଶକ ଓ ଖେଳାଳିଙ୍କ ମନ ମୋହି ନେଇଥିଲେ। ୩୦,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ କୁଇନ୍ ବାଟନକୁ ପରବର୍ତ୍ତୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଯାଉଥିବା ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହର ଅଧିକାରୀଙ୍କ ହସ୍ତାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/sfhsfh1h6sf1h65f4sh54fh65hf.jpg)