ସଙ୍ଗରୋଧରେ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ

ବିସିବି ଉନ୍ନୟନ ପ୍ରଶିକ୍ଷକ କରୋନା ଆକ୍ରାନ୍ତ

ହାଇଦ୍ରାବାଦ : ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ ସୋମବାରଠାରୁ ସଂଗରୋଧରେ ରହିଛନ୍ତି। ତାଙ୍କୁ ୧୪ ଦିନ ପାଇଁ ସଂଗରୋଧରେ ରହିବାକୁ ପଡ଼ିବ ବୋଲି କୁହାଯାଇଛି। ଗୋପୀଚାନ୍ଦଙ୍କ କହିବା କଥା ହେଲା, ନିଜର ଅସୁସ୍ଥ ମା’ଙ୍କୁ ଦେଖିବା ପାଇଁ ସୋମବାର ସେ ହାଇଦ୍ରାବାଦରୁ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରକୁ ଯାଇଥିଲେ। ଯେତେବେଳେ ସେ ହାଇଦ୍ରାବାଦକୁ ଫେରୁଥିଲେ ସେତେବେଳେ ଆନ୍ଧ୍ର ପ୍ରଦେଶ-ତେଲେଙ୍ଗାନା ସୀମାରେ ତେଲେଙ୍ଗାନା ଅଧିକାରୀମାନେ ଅଟକାଇ ତାଙ୍କୁ ସଂଗରୋଧକୁ ନେଇଯାଇଥିଲେ। ଗୋପୀଚାନ୍ଦଙ୍କ କହିବା କଥା ତାଙ୍କଠାରେ କରୋନାର କୌଣସି ବି ଲକ୍ଷଣ ଦେଖାଯାଇନାହିଁ। ହେଲେ ଅନ୍ୟତ୍ର ଭ୍ରମଣ କରିଥିବାର ଏହା ଏକ ପ୍ରକ୍ରିୟା ହୋଇଥିବାରୁ ସଂଗରୋଧରେ ରହିବାକୁ ପଡ଼ିଛି ବୋଲି ଗୋପୀଚାନ୍ଦ କହିଛନ୍ତି।

ବିସିବି ଉନ୍ନୟନ ପ୍ରଶିକ୍ଷକ କରୋନା ଆକ୍ରାନ୍ତ
ଢାକା : ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି)ର ଉନ୍ନୟନ ପ୍ରଶିକ୍ଷକ ଆସିକୁର ରହମନ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ନମୁନା ପରୀକ୍ଷାରୁ କରୋନା ଭୂତାଣୁ ପଜିଟିଭ୍‌ ବାହାରିଛି। ମଙ୍ଗଳବାର ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି ଏବଂ କରୋନା ଭୂତାଣୁ ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍‌ ଆସିଛି ବୋଲି ନିଜେ କହିଛନ୍ତି ଆସିକୁର୍‌। ଏହା ପୂର୍ବରୁ ସେ କରୋନା ଲକ୍ଷଣ ଜନିତ ପୀଡ଼ା ଭୋଗୁଥିଲେ ଏବଂ ତାଙ୍କର ଛାତିରେ ଯନ୍ତ୍ରଣା ହେଉଥିଲା। ପ୍ରଥମେ ମୁଁ ଏହାକୁ ବୁଝି ପାରୁନଥିଲି। ମୁଁ ବାବୁଥିଲି ମୋର ଟନ୍‌ସିଲ୍‌ ଫୁଲିଯାଇଛି ଏବଂ ଗଳାରେ ସଂକ୍ରମଣ ରହିଛି। ପ୍ରଥମେ ମଧ୍ୟ ଗଳା ଦରଜ ହେଲା ଓ ଏହାପରେ ଆସ୍ତେ ଆସ୍ତେ ଜ୍ବର ହେଲା। ତା’ପରେ ଛାତି ଯନ୍ତ୍ରଣା ଅନୁଭବ କଲି। ସେଥିପାଇଁ ଡାକ୍ତରଙ୍କ ପାଖକୁ ଗଲି ଓ ପରୀକ୍ଷା କଲି ବୋଲି ଆସିକୁର କହିଛନ୍ତି। ଏବେ ଆସିକୁର୍‌ ଢାକା ପ୍ରିମିୟର ଲିଗ୍‌ରେ ପ୍ରାଇମ୍‌ ବ୍ୟାଙ୍କ୍‌ରେ ନିଯୁକ୍ତି ପାଇଛନ୍ତି। ପୂର୍ବତନ ୧୯ ବର୍ଷରୁ କମ୍‌ ଦ୍ରୁତ ବୋଲର ଆସିକୁର୍‌ ୨୦୦୨ ବିଶ୍ବକପ୍‌ରେ ବାଂଲାଦେଶ ଦଳର ସଦସ୍ୟ ରହିଥିଲେ। ସେ ୧୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଓ ୧୮ ଲିଷ୍ଟ-ଏ ମ୍ୟାଚ୍‌ ଖେଳିଛନ୍ତି।

ସମ୍ବନ୍ଧିତ ଖବର